Advertisment

କେନ୍ଦୁଝର ଜିଲ୍ଲାରେ ହେବ ମେଗା ଷ୍ଟିଲ ପ୍ଲାଂଟ ସ୍ଥାପନ, ଟାସ୍କଫୋର୍ସ ଗଢ଼ିବେ ସରକାର

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରି କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।

author-image
Ordigital Desk
steel plant

steel plant

ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ସାଢ଼େ ୩ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହାସହିତ ଖଣିଜସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଂଟ ନିର୍ମାଣ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରର ଅଗ୍ରଗତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡ଼ିକରେ ଅଧିକ ନିଯୁକ୍ତି ସୁଯୋଗ ରହିଥିବାରୁ ଏସବୁ କ୍ଷେତ୍ରରେ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ନିମନ୍ତେ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦୁଝର ପରି ଖଣିଜସମୃଦ୍ଧ ଜିଲ୍ଲାରେ ଜମି, ଜଳ,ବିଦ୍ୟୁତ ଓ ଯୋଗାଯୋଗ ଆଦିର ଆନୁସଙ୍ଗିକ ସୁବିଧା ଥାଇ ମଧ୍ୟ ଏପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଂଟ ନିର୍ମାଣ ହୋଇପାରିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଂଟ ସ୍ଥାପନ ଦିଗରେ ଉଦ୍ୟମ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରି କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।

Advertisment

ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ୨୦୧୬ ମସିହାଠାରୁ ଏପର୍ଯ୍ୟନ୍ତ ମୋଟ ୯୮୯ଟି ଶିଳ୍ପ ସ୍ଥାପନ ପାଇଁ ଆବେଦନ ଆସିଛି । ସେଥିରୁ ୬୭୪ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ଅଥରିଟି କ୍ଲିଅରାନ୍ସ ମିଳିସାରିଛି । ଏହି ଅନୁମୋଦିତ ପ୍ରକଳ୍ପରୁ ୩୫୨ଟି ଶିଳ୍ପ ପ୍ରକଳ୍ପକୁ ଜମି ହସ୍ତାନ୍ତର ହୋଇଛି । ଏହାବ୍ୟତୀତ ୧୮୩ଟି ପ୍ରକଳ୍ପ ଶିଳ୍ପ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ୭୪ଟି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ।

ରାଜ୍ୟରେ ୧୨ଟି ବିଦେଶୀ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ୪୧ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ଶର୍ମା ବୈଠକରେ ସୂଚନା ଦେଇଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁଙ୍କ ସମେତ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି । ଏ ଦିଗରେ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସରକାରୀସ୍ତରରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଉପଯୁକ୍ତ ସୁଯୋଗ ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକତା ପୂରଣ ଦିଗରେ ବିଭାଗଗୁଡ଼ିକ ସହଯୋଗ ଯୋଗାଇ ଦେବା ଜରୁରୀ ବୋଲି କହିଛନ୍ତି ।

Kendujhar