Advertisment

ଭୋକର ଭୂଗୋଳ ବଲାଙ୍ଗୀରରୁ ନିଇତି ଛୁଟୁଛି ଦାଦନ ଏକ୍ସପ୍ରେସ

ଗତ ରାତି ତମାମ କଣ୍ଟାବାଞ୍ଜି ଷ୍ଟେସନରେ ଦେଖିବାକୁ ମିଳିଥିଲା ଶ୍ରମିକ ପରିବହନର ହୃଦୟବିଦାରକ ଦୃଶ୍ୟ। ଭିଟାମାଟି ଛାଡ଼ି ଦାନା ପାଇଁ ଦାଦନ ଖଟିବାକୁ ଯାଉଥିଲେ ଶହ ଶହ ଶ୍ରମିକ।

author-image
Debadatta Aryashrestha
Balangir labors in Kantabanji Station

Balangir labors in Kantabanji Station

ଦାନା ପାଇଁ ଦାଦନ ଯାଇ କେତେ ଯେ ମଣିଷ ଶବ ପାଲଟିଗଲେଣି, ତଥାପି ବଦଳୁନି ବ୍ୟବସ୍ଥାର ଚିତ୍ର। ନାନା ଆଲୋଚନା, ନାନା ଯୋଜନା ସତ୍ତ୍ୱେ ଦାଦନ ଦହନରୁ ମିଳୁନି ଉପଷମ। ଭୋକର ଭୂଗୋଳ ବଲାଙ୍ଗୀରରୁ ନିଇତି ଦାଦନଙ୍କୁ ବୋହି ରାଜ୍ୟ ବାହାରକୁ ଛୁଟୁଛି ଦାଦନ ଏକ୍ସପ୍ରେସ।

Advertisment

ପେଟରେ ଭୋକର ଜ୍ୱାଳା, ପିଠିରେ ଗରିବୀର ବୋଝ। ଆଉ ବା କ’ଣ କରିଥାନ୍ତେ, ଶେଷରେ ଭିଟାମାଟିକୁ ପର କରି ଥଣ୍ଡା ଆଉ ଜାଡ଼ ଭିତରେ ରାତି ଅଧିଆ କଣ୍ଟାବାଞ୍ଜିରୁ ଟ୍ରେନ୍ ଧରି ଦାନା ପାଇଁ ହାଇଦ୍ରାବାଦକୁ ଦାଦନ ଯାଉଛନ୍ତି ଶ୍ରମିକ। ଗତ ରାତି ତମାମ କଣ୍ଟାବାଞ୍ଜି ଷ୍ଟେସନରେ ଦେଖିବାକୁ ମିଳିଥିଲା ଶ୍ରମିକ ପରିବହନର ଏଭଳି ଦୃଶ୍ୟ। କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମାଆଙ୍କୁ ଘରେ ଛାଡ଼ି ଦାଦନ ଯାଉଛନ୍ତି। ତାହାରି ଭିତରେ ଭୋକିଲା ମଣିଷଙ୍କୁ ପଚାରିବାରୁ ସିଧା ସିଧା କହିଥିଲେ, କାମ ନାହିଁ କି ମଜୁରୀ ନାହିଁ। ତେଣୁ ଯାଉଛୁ ଇଟା ଗଢ଼ିବାକୁ।

ଚାଖଣ୍ଡେ ପେଟକୁ ଦି’ ମୁଠା ଦାନା ସନ୍ଧାନରେ ରାଜ୍ୟ ବାହାରକୁ ବଲାଙ୍ଗୀର ସମେତ ସାରା ପଶ୍ଚିମ ଓଡ଼ିଶାରୁ ନିଇତି ଦୌଡ଼ୁଥିବା ଏହି ମଣିଷଙ୍କୁ ରୋକିବ କିଏ ? ଶାସନ ଅଛି ସତ, କିନ୍ତୁ ଏଠି ତ ପ୍ରଶାସନ ହିଁ ଢିଲା। ସେଥିପାଇଁ ଦାଦନ କଳଙ୍କର ଟୀକା ପିନ୍ଧିଥିବା ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଶ୍ରମିକଟିଏ ଶବ ପାଲଟିଯାଉଥିବାର ସଂଖ୍ୟା। ଏଇ ଯେମିତି ବେଲପଡ଼ା ବ୍ଲକ ବାଗଦୋର ଗାଁର ଅମ୍ବିକା ତାଣ୍ଡି। ସ୍ୱାମୀଙ୍କ ସହ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟି। କିନ୍ତୁ ଦାନା କମ୍ ଆଉ କାମ ଅଧିକ ପାଇଁ ରୋଗରେ ପଡ଼ି ଶେଷରେ ଆଖିବୁଜିଲେ ଅମ୍ବିକା। ସେହିଭଳି ଆଉ ଜଣେ ହେଲେ ପାଟଣାଗଡ଼ ବ୍ଳକ୍ ତମିଆଁ ଗାଁର ପୂରଣ କୁମୁରି। ସେ ବି ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡରେ ଗତ ୨ ଦିନ ଭିତରେ ୩ ଜଣ ଏବଂ ପାଟଣାଗଡ଼ ଉପଖଣ୍ଡରେ ୩ ଦିନରେ ୨ଜଣ ଦାଦନ ଶ୍ରମିକ ଶବ ହୋଇ ଫେରିଲେଣି।

Advertisment

ଅନ୍ୟପଟେ ଦାଦନ ଚାଲାଣ ରୋକିବା ପାଇଁ ଗଠନ ହୋଇଛି ଟାକ୍ସଫୋର୍ସ। ବଲାଙ୍ଗୀର ଜିଲ୍ଲା ପ୍ରଶାସନ କହୁଛି, ଆମେ ସଚେତନ କରୁଛୁ, ଲୋକଙ୍କୁ କାମ ଯୋଗାଉଛୁ। କିନ୍ତୁ ଗ୍ରାଉଣ୍ଡ ଜିରୋରେ ଏସବୁ କଥା ଫମ୍ପା ମାଠିଆର ଶବଦ ପାଲଟିଛି। କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଆଗରେ କୋଡ଼ି, କୋଦାଳ ସହ ଗାଣ୍ଡୁଆ ଧରି କାମ ମାଗିବାକୁ ଶ୍ରମିକମାନେ ଆସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ, କାମର ନାଁ ଗନ୍ଧ ନାହିଁ। ଶ୍ରମିକଙ୍କୁ ୩ ଶହ ଦିନର କାମ ଯୋଗାଇବାକୁ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଦଲିଲ ଦସ୍ତାବିଜରେ କାମ ବଣ୍ଟାଯାଉଛି ସିନା ହିତାଧିକାରୀଙ୍କ ହାତକୁ କାମ ନାହିଁ। ପଚାରିଲେ ଅଧିକାରୀଙ୍କ ଟାଣ ଉତ୍ତର, ସଚେତନ କରୁଛୁ, କାମ ଦେଉଛୁ।

Migrant Labour Death Migrant Labors Balangir Migrant Labor Problem