Advertisment

ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍‌ ରୋଲ

ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।

Odisha

Odisha

Advertisment

ରାଜ୍ୟରେ ସରୁନି ଦାଦନ ଦୁଃଖ। ଦିନକୁ ଦିନ ବଢ଼ି ଚାଲିଛି ନିର୍ଯାତନା। ଦାଦନ ଖଟିବାକୁ ଯାଇ କିଏ ଶବ ହୋଇ ଆସୁଛି, ତ ଆଉ କିଏ ନିର୍ଯାତନାର ଭୟଙ୍କର ଭିଡିଓ ସାର୍ବଜନୀନ କରୁଛି। ଅକଥନୀୟ ନିର୍ଯାତନା ସହି ନପାରି କିଏ ଲୁଚି ପଳାଇ ଆସୁଛି ତ ଆଉ କିଏ ଉପାୟଶୂନ୍ୟ ଭଳି ସବୁ କିଛି ସହିଯାଉଛି।

Advertisment

କିନ୍ତୁ ଏଠି ପୁଲିସର ଭୂମିକା ସନ୍ଦେହ ଜନକ। କାରଣ ନିର୍ଯାତନାର କରୁଣ କାହାଣୀ କହି ଥାନାରେ ଅଭିଯୋଗ କଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୋଗକାରୀଙ୍କୁ ନାଲି ଆଖି ଦେଖାଇ ସନ୍ଧି କରାଉଥିବା ଅଭିଯୋଗ ହେଉଛି। ପୁଲିସର ଡବଲ ରୋଲରେ ପେଶି ହୋଇ ଦାଦନଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏହାର ନିଚ୍ଛକ ଉଦାହରଣ ବଲାଙ୍ଗିରରୁ ଆସିଛି।

ହସ୍ପିଟାଲ ବେଡରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ୨୫ ବର୍ଷୀୟ ହିମାଦ୍ରୀ ବରିହା କରିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ତାଙ୍କ ସହ ଘଟିଥିବା ନିର୍ଯାତନାର ଗୋଟି ଗୋଟି ଗୁମର ସେ କ୍ୟାମେରା ଆଗରେ ଖୋଲିଛନ୍ତି। ସେ କହିଛନ୍ତି, “ଝାଡ଼ାବାନ୍ତିରେ ସିରିୟସ ହୋଇଗଲି। ତଥାପି ଯେଉଁ ମାଲିକ ପାଖରେ କାମ କରୁଥିଲି ସେ ଛୁଟି ଦେଉ ନଥିଲା। ମାଲିକ କହୁଛି କାମ କରି କରି ମରି ଯା। ଯଦି ପୁଲିସ ପାଖରେ ଖବର ଦେବୁ ତତେ ଏପରି ଜାଗାରେ ଲୁଚାଇ ଦେବି କେହି ଖୋଜିଲେ ବି ପାଇବେ ନାହିଁ। ଝାଡ଼ାବାନ୍ତି ଅବସ୍ଥାରେ ବି କାମ କରାଉଥିଲା। ଅତି ଗୁରୁତର ହୋଇ ପଡ଼ିବାରୁ ମୋତେ ହସ୍ପିଟାଲ ଆଣିଛି।”

Advertisment

ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ୨୫ ବର୍ଷୀୟ ମହିଳା ହମାଦ୍ରୀ ବରିହା ଗତ ଅକ୍ଟୋବର ମାସରୁ ତେଲଙ୍ଗାନାକୁ ଦାଦନ ଖସଟିବାକୁ ଯାଇଛନ୍ତି। କେବଳ ହିମାଦ୍ରୀ ନୁହନ୍ତି, ତାଙ୍କ ମା’ ଜୟନ୍ତୀ ବରିହା ବି ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ଅକଥନୀୟ ନିର୍ଯାତନା ସାଂଗକୁ ହାଡ଼ଭଙ୍ଗା କାମ ଯୋଗୁ ଲୁଚି ଓଡ଼ିଶା ଚାଲି ଆସିଛନ୍ତି। କିନ୍ତୁ ତାଙ୍କ ଝିଅ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି। ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।

ବନ୍ଧକ ଝିଅକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ମା’ ଜୟନ୍ତୀ ଏବେ ଗାଁରେ ବି ନିର୍ଯାତନାର ଶିକାର ହେଉଛନ୍ତି। ବଇନା ଟଙ୍କା ଫେରାଇବା ପାଇଁ ଜୟନ୍ତୀ ବରିହାଙ୍କୁ ସ୍ଥାନୀୟ ଦାଦନ ସର୍ଦ୍ଦାର ଦୀନବନ୍ଧୁ ବିଶି ଧମକ ଦେଉଥିବା ଅଭିଯୋଗ ହୋଇଛି। ଧମକ ଦେଇ ସେ ଜୟନ୍ତୀଙ୍କୁ ପୁଣି ତେଲଙ୍ଗାନା ଯିବାକୁ କହୁଛନ୍ତି। ଯଦି ସେ କଥା ନ ମାନିବେ, ତା’ହେଲେ କଣ୍ଟାବାଞ୍ଜିରୁ ବଡ଼ ସର୍ଦ୍ଦାର ପପ୍ପୁ ଖାନ ଆସିକି ବଳପୂର୍ବକ ତାଙ୍କୁ ଉଠାଇ ନେବ।

ଏପରି ଧମକରେ ଭୟଭୀତ ହୋଇ ଜୟନ୍ତୀ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ରକ୍ଷକ ନୁହେଁ ଭକ୍ଷକ ହୋଇ ଜୟନ୍ତୀଙ୍କୁ ନାଲି ଆଖି ଦେଖାଇ ବିଶିଙ୍କ ବଇନା ଟଙ୍କା ଫେରସ୍ତ କରିବାକୁ କହିଛି। ଯଦି ସେ ଟଙ୍କା ଫେରସ୍ତ ନ କରିବେ, ତା’ହେଲେ ବିଶିଙ୍କ କଥାରେ ପୁଣି ଦାଦନ ଖଟିବାକୁ ତେଲଙ୍ଗାନା ଯିବାକୁ ଖାକିବର୍ଦ୍ଦି ବାବୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

କେବଳ ଧମକରେ ଅଟକି ନଥିଲା ପୁଲିସ। ଦୀନବନ୍ଧୁ ସହିତ ଡିଲ୍‌ କରି ପୁଲିସ୍‌ ଗୋଟିଏ ଲିଖିତ ଦରଖାସ୍ତରେ ଜୟନ୍ତୀଙ୍କ ଟିପ ଚିହ୍ନ ନେଇଯାଇଛି। ପୁଲିସର ଏପରି ହରକତ ପରେ ବିଚାରୀ ଜୟନ୍ତୀ କ’ଣ କରିବେ, ସେଚିନ୍ତାରେ ରହିଛନ୍ତି। ତେବେ ଘଟଣା ସଂର୍ପକରେ କୌଣସି ପୁଲିସ କର୍ମଚାରୀ କିମ୍ବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି। ସେହିପରି ଜିଲ୍ଳାପାଳ ଗୌରବ ଶିବାଜୀ ଇସାଲୱାର ଧାଡ଼ିକିଆ ଉତ୍ତରରେ ଆମେ ଦେଖୁଛୁ ଓ କୋର୍ଡିନେସନ କରୁଛୁ ବୋଲି କହିଛନ୍ତି।

ରିପୋର୍ଟ: ମନରଞ୍ଜନ ଯୋଶୀ ଓ କରୁଣାକର

Odisha Balangir Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe