Advertisment

୫୦ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ, ମାସକ ମଧ୍ୟରେ ରିପୋର୍ଟ

ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏବେ ଏହାର ତଦନ୍ତ ହେବ। ଡିଭିଜନ ସ୍ତରରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବା ପାଇଁ କୁହାଯାଇଛି।

author-image
Hemant Lenka
Odisha

Odisha

ରାଜ୍ୟରେ ଅସ୍ୱାଭାବିକ ହାତୀ ମୃତ୍ୟୁର ତଦନ୍ତ ହେବ। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏବେ ଏହାର ତଦନ୍ତ ହେବ। ଡିଭିଜନ ସ୍ତରରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବା ପାଇଁ କୁହାଯାଇଛି।

Advertisment

ବର୍ତ୍ତମାନ ସତେ ଯେମିତି ଗଜରାଜଙ୍କ ଡେଞ୍ଜର୍ ଜୋନ୍ ପାଲଟିଗଲାଣି କଟକ ଆଠଗଡ଼ ବନାଞ୍ଚଳ। ନରସିଂହପୁର ଓ ବଡ଼ମ୍ବା ଇଲାକା ଏବେ ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ହୋଇଯାଇଛି।

ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ। କାହାର ପ୍ରାଣ ଯାଉଛି ତ ଆଉ କିଏ ମରଣ ସହ ଯୁଝୁଛି। ଏସବୁ ଭିତରେ ପଶୁପ୍ରେମୀଙ୍କୁ ବିଚଳିତ କଲା ଭଳି ଆଉ ଏକ ତାଜା ଖବର ସାମ୍ନାକୁ ଆସିଛି। ମରଣ ସହ ଯୁଝୁଥିବା ଏକ ଦନ୍ତାକୁ ଉଦ୍ଧାର କରିଛି ବନବିଭାଗ।

Advertisment

ଆହତ ଦନ୍ତା ଶରୀରର ୪ରୁ ଅଧିକ ସ୍ଥାନରେ ରହିଛି କ୍ଷତ ଚିହ୍ନ। ଆଶଙ୍କା କରାଯାଉଛି ଯେ ହାତୀଟିକୁ ଲହୁଲୁହାଣ କରି ଦେଇଥିଲେ ଶିକାରୀ। କ୍ଷତାକ୍ତ ଅବସ୍ଥାରେ ଦନ୍ତାଟି ସେରମୁଣ୍ଡା ନୂଆଗଡ଼ ରିଜର୍ଭ ଫରେଷ୍ଟ କମ୍ପାଟମେଣ୍ଟ-୯ ନିକଟରେ ବୁଲୁଥିଲା। ଶେଷରେ ଢେଙ୍କାନାଳ ଓ ନନ୍ଦନକାନନରୁ ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚିଛି ଆହତ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଆରମ୍ଭ ହୋଇଛି ଚିକିତ୍ସା।

ବଡ଼ମ୍ବା ନରସିଂହପୁର ବନାଞ୍ଚଳରେ ଗତବର୍ଷ ସେପଟେମ୍ବର ୨୧ରେ ଦନ୍ତା ହାତୀର ମରଶରୀରକୁ ପୋତି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ କିଛି ବନକର୍ମଚାରୀ। ଯାହାର ଖୁଲାସା କରିଥିଲା SIT। ଏଭଳି ଭାବେ ଗତ ୨ ବର୍ଷ ମଧ୍ୟରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁରର ପୂର୍ବ ଏବଂ ପଶ୍ଚିମ ବନାଞ୍ଚଳ, ବଡ଼ମ୍ବା ବନାଞ୍ଚଳ ଓ ସାତକୋଶିଆ ଜିଲିଣ୍ଡା ବନ୍ୟପ୍ରାଣୀ ଡିଭିଜନରେ ୩୦ରୁ ଅଧିକ ହାତୀଙ୍କ ପ୍ରାଣହାନୀ ହେଲାଣି।

ଆଉ ଅଧିକାଂଶ ଜୀବନ ହରାଇଛନ୍ତି ଶିକାରୀ ଗୁଳିରେ। କୁହାଯାଉଛି, ହାତୀ ବହୁଳ ଏହି ବନାଞ୍ଚଳରେ ସକ୍ରିୟ ଥିବା ଶିକାରୀ ନିର୍ଭୟରେ ବାରହା ସହ ହାତୀ ଶିକାର କରୁଛନ୍ତି। ଗତ କେଇ ବର୍ଷ ହେଲା ଏଠାରୁ ନିୟମିତ ବ୍ୟବଧାନରେ ହାତୀ କଙ୍କାଳ ମିଳିବା ସହ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଦନ୍ତା।

ତେବେ କାହିଁକି ବଡ଼ମ୍ବା ଏବଂ ନରସିଂହପୁର ରେଞ୍ଜରେ ଏଭଳି ଦଶା ଭୋଗୁଛନ୍ତି ଗଜରାଜ? ହାତୀଦାନ୍ତ ରାକେଟର ଚରାଭୂଇଁ ପାଲଟିଛି କି ଏହି ଇଲାକା? ଶିକାରୀଙ୍କ ସହ ରହୁଛି କି ସ୍ଥାନୀୟ ବନ କର୍ମଚାରୀଙ୍କ ଲିଙ୍କ୍ ?

ସେପଟେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ସେକ୍ସନର ଗଡ଼ିଆଜୋର ଗାଁରେ ବି ଟଳିପଡ଼ିଛି ଗୋଟିଏ ହାତୀ। ବାରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମାସକ ଭିତରେ ବଲାଙ୍ଗିର ଜିଲ୍ଲାରେ ଏଭଳି ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲାଣି।

ଅନ୍ୟପକ୍ଷରେ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଗତ ୧୦ ବର୍ଷରେ ୭୬୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆଉ କେବଳ ଶିକାରୀଙ୍କ ଦ୍ୱାରା ହିଁ ଯାଇଛି ୪୧ ହାତୀଙ୍କ ଜୀବନ। ଏବର୍ଷ ଏଯାଏ ଅସ୍ୱାଭାବିକ ଭାବେ ୫୦ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ମାସକ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳଛି।

Odisha Elephant Death