Advertisment

ମନ୍ତ୍ରୀ ହତ୍ୟା ମାମଲା: ଚାଲିଛି ମିଡିଆ ଟ୍ରାଏଲ, ତଦନ୍ତରେ ତ୍ରୁଟି ଜଳଜଳ, ରହସ୍ୟଭେଦ କରିପାରିନି କ୍ରାଇମବ୍ରାଂଚ

ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ହତ୍ୟା ପଛର କ’ଣ କାରଣ ରହିଛି ତାହା ଜାଣିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇନି ।

Naba das

Naba das

Advertisment

ପ୍ରାୟ ଦୁଇବର୍ଷ ପରେ ତତକାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଗତ ଏକ ସପ୍ତାହ ଧରି ନବଙ୍କ ହତ୍ୟାକାଣ୍ଡର ତଦନ୍ତଜନିତ ତ୍ରୁଟିର ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ମିଡିଆରେ ଟ୍ରାଏଲ ଚାଲିଛି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ମଧ୍ୟ ସନ୍ଦେହ ଉଠିଲାଣି।

Advertisment

ଆଉ ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ହତ୍ୟା ପଛର କ’ଣ କାରଣ ରହିଛି ତାହା ଜାଣିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇନି । ଏପରିକି ଗୋପାଳ ଯେଉଁ କାରଣ ଦେଇଛି ସେଥିରେ ତଦନ୍ତକାରୀ ଅଫିସର ସନ୍ତୁଷ୍ଟ ନଥିବା କୋର୍ଟଙ୍କ ଆଗରେ ସ୍ୱୀକାର କରିଥିବାର ଦସ୍ତାବିଜ ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି।

ସୂଚନା ଅନୁସାରେ, ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନକୁ ଆଉ ମାତ୍ର ୯ଦିନ ଥିବାବେଳେ ତାଙ୍କର ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । ପରିବାର ସଦସ୍ୟଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ଦାବି କରାଯିବା ଓ ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟରେ ଗଣମାଧ୍ୟମ ଜରିଆରେ କ୍ରାଇମବ୍ରାଂଚ ତଦନ୍ତରେ ହୋଇଥିବା ନାନାଦି ତ୍ରୁଟି ପଦାକୁ ଆସିବାରେ ଲାଗିଛି।

Advertisment

ଗୁଳି ବାଜିବା ବେଳେ ନବ ପିନ୍ଧିଥିବା ସାର୍ଟକୁ ଏକ ଘରୋଇ ହସ୍ପିଟାଲରେ ପୋଡ଼ି ଦିଆଯାଇଥିବା, ଗୁଳିବିଦ୍ଧ ନବଙ୍କୁ ଧରିଥିବା ସହଯୋଗୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଭିଜା ସାର୍ଟର ରଙ୍ଗ କ୍ରାଇମବ୍ରାଂଚ ରେକର୍ଡରେ ହଳଦିଆରୁ ଧଳାରେ ପରିବର୍ତ୍ତନ ହୋଇଯିବା ଭଳି ସଙ୍ଗୀନ ତ୍ରୁଟି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଯଦିଓ ନବ ପିନ୍ଧିଥିବା ସାର୍ଟ କେଉଁଠି ସେନେଇ ଆନୁଷ୍ଠାନିକ ଭାବେ କେହି କିଛି କହିନାହାନ୍ତି ତଥାପି ମିଡିଆରେ ନବ ହତ୍ୟାକାଣ୍ଡ ପରବର୍ତ୍ତୀ ତଦନ୍ତର ଟ୍ରାଏଲ ଜାରି ରହିଛି।

ଏସବୁ ମଧ୍ୟରେ ନବ ଦାସ ହତ୍ୟା ପଛର କାରଣ ଆଜିବି ରହସ୍ୟମୟ ହୋଇରହିଛି । ହତ୍ୟା ପଛରେ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ର ଥାଇପାରେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ କ୍ରାଇମବ୍ରାଂଚ ସେସବୁ ଦିଗ ଉପରେ ଅଧିକ ଖୋଳତାଡ଼ ନକରି ୨୦୨୩ ମେ’ ମାସରେ (ହତ୍ୟାର ୧୨୦ଦିନ ମଧ୍ୟରେ) ୫୪୪ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡ଼ିଛି । ଯଦିଓ କେବଳ ବିଜେଡିକୁ ବାଦ୍ ଦେଇ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କିନ୍ତୁ ଷଡ଼ଯନ୍ତ୍ର କିଏ ଓ କେଉଁସ୍ତରରେ କରିଥିଲା ତା’ର ଖୋଳତାଡ଼ ପୂର୍ବରୁ କ୍ରାଇମବ୍ରାଂଚ କରିନଥିବା ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ନବ ହତ୍ୟାର ତଦନ୍ତ ପାଇଁ ଜରୁରୀ ଦସ୍ତାବିଜକୁ ନଷ୍ଟ କରାଯିବା ଭଳି ଅଭିଯୋଗ ମାନ ଆସିବା ପରେ କ୍ରାଇମବ୍ରାଂଚର ନିରପେକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି।

ଏପଟେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଗଣମାଧ୍ୟମକୁ ବୟାନ ଦେଇ ଦୀପାଳି ଲିଖିତ ଭାବେ ଦେଲେ ସରକାର ତାକୁ ବିଚାରକୁ ନେବେ ବୋଲି କହିଛନ୍ତି । ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ସିବିଆଇ ତଦନ୍ତ ଓ କେସ୍ ରିଓପନିଂ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଥିବାବେଳେ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ଲିଖିତ ଭାବେ ଦେଲେ ସରକାର ଗୁରୁତର ସହ ବିଚାରକୁ ନେବେ। ଯେକୌଣସି ପରିସ୍ଥିତି ଆସୁ ଦୃଢ଼ତାର ସହିତ ସମ୍ମୁଖୀନ ହୋଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଇତିମଧ୍ୟରେ ଦୀପାଳି ବି ଲିଖିତ ଭାବେ ସିବିଆଇ ତଦନ୍ତ ନିମନ୍ତେ ଅନୁରୋଧ କରିବେ ବୋଲି କହିସାରିଛନ୍ତି।

ଅବଶ୍ୟ ବରିଷ୍ଠ ଓକିଲ ମାନସ କୁମାର ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ, କୋର୍ଟରେ ଚାର୍ଜସିଟ୍ ଦାଖଲ ସରିବା ପରେ ସରକାରଙ୍କ ଆଉ କୌଣସି ଭୂମିକା ନାହିଁ। ଦୀପାଳି ଚାହିଁଲେ କୋର୍ଟରେ ଲିଖିତ ଭାବେ ଦେଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇପାରିବେ । ଆଉ କୋର୍ଟ ମଧ୍ୟ ଧାରା-୧୭୩(୫)ରେ ନିର୍ଦ୍ଦିଷ୍ଟ ଭାବେ ତଦନ୍ତକାରୀ ସଂସ୍ଥାକୁ ସେସବୁ ଦିଗ ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ । ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଟ୍ରାଏଲ କୋର୍ଟ ନୁହେଁ, କେବଳ ହାଇକୋର୍ଟ ହିଁ ଦେଇପାରିବେ ବୋଲି ସେ କହିଛନ୍ତି ।

ସେହିପରି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, “କୌଣସି ତଥ୍ୟ ତତନ୍ତ ପରିସରଭୁକ୍ତ ଥାଇ ନ୍ୟାୟାଳୟର ବିଚାରାଧୀନ ଥିଲେ ଏବଂ ତଦନ୍ତ ପ୍ରକ୍ରିୟା ଓ ଅପରାଧୀର ଅଭିଯୋଜନ ବାଧାପ୍ରାପ୍ତ ହେବାର ଆଶଙ୍କା ଥିଲେ ଉକ୍ତ ତଥ୍ୟ ସରକାରୀ ଭାବେ ଉନ୍ମୋଚନ କରିବା ଉଚିତ୍ ନୁହେଁ । ତେଣୁ ଏବେ ଯେଉଁ ମିଡିଆ ଟ୍ରାଏଲ ଚାଲିଛି ତାହା ଉପରେ ଆନୁଷ୍ଠାନିକ ମନ୍ତବ୍ୟ ଦେବା ସରକାର କିମ୍ବା ତଦନ୍ତକାରୀ ସଂସ୍ଥା ପକ୍ଷେ ସହଜ ନୁହେଁ।”

ଉଲ୍ଲେଖଯୋଗ୍ୟ, ଏବେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଥିବାବେଳେ ପୂର୍ବତନ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ୨୦୨୩ ମାର୍ଚ୍ଚ ୨୭ତାରିଖ ଅର୍ଥାତ୍ ନବଙ୍କ ହତ୍ୟାର ପ୍ରାୟ ୨ମାସ ପରେ ତତକାଳୀନ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ମାମଲାର ଗୁରୁତ୍ୱକୁ ବିଚାରକୁ ନେଇ ରାଜ୍ୟର ପ୍ରମୁଖ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତଦନ୍ତବେଳେ କ୍ରାଇମବ୍ରାଂଚ ପେଷାଦାର ଢଙ୍ଗରେ ସମସ୍ତ ପ୍ରକାରର ସାଇଣ୍ଟିଫିକ୍ ଓ ଟେକନିକାଲ ଉପକରଣ ଓ ସାମର୍ଥ୍ୟର ଉପଯୋଗ କରିଛି । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ମଧ୍ୟ ଏହି ତଦନ୍ତର ଅଗ୍ରଗତିର ତଦାରଖ କରୁଛନ୍ତି ବୋଲି କହିଥିଲେ।

ତେବେ “ଓଡ଼ିଶା ରିପୋର୍ଟର’କୁ ମିଳିଥିବା ଦସ୍ତାବିଜରେ ଗୋପାଳଙ୍କ ବନ୍ଧୁକରୁ ସର୍ବମୋଟ ୩ଟି ଗୁଳି ଫୁଟିଥିବା ଓ ସେ ସବୁପ୍ରକାରର ଯାଂଚର ସମ୍ମୁଖୀନ ହୋଇ ସମ୍ପୂର୍ଣ୍ଣ ମାନସିକ ସୁସ୍ଥ ଥିବାର ପ୍ରମାଣ ମଧ୍ୟ ରହିଛି । ଅଭିଯୁକ୍ତ ଗୋପାଳ ନୂଆଦିଲ୍ଲୀସ୍ଥିତ ସିଏଫଏସଏଲର ବିଶେଷଜ୍ଞଙ୍କ ଦ୍ୱାରା ଫୋରେନ୍ସିକ ସାଇକୋଲୋଜିକାଲ ଆସେସମେଂଟ ଓ ଏଲଭିଏ ଟେଷ୍ଟ, ଗୁଜୁରାଟର ଗାନ୍ଧିନଗରରେ ପଲିଗ୍ରାଫ ଓ ନାର୍କୋ ଆନାଲିସିସ୍ ଟେଷ୍ଟର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ କାହିଁକି ନବଙ୍କୁ ହତ୍ୟା କରିଥିଲା ତା’ର ଯେଉଁ କାରଣ ଗୋପାଳ ନିଜେ ଦେଇଛନ୍ତି ସେଥିରେ ଖୋଦ୍ ତଦନ୍ତକାରୀ ଅଫିସର ସନ୍ତୁଷ୍ଟ ନଥିବା ଟ୍ରାଏଲ କୋର୍ଟଙ୍କ ଆଗରେ ସ୍ୱୀକାର କରିଥିବାର ତଥ୍ୟ ‘ଓଡ଼ିଶା ରିପୋର୍ଟର’କୁ ମିଳିଛି।

ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୭ତାରିଖରେ ରହିଛି ।

Odisha Naba Das Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe