Advertisment

ମନ୍ତ୍ରୀ କହିଲେ- ଅବଢ଼ାର ମାନ ଯାଞ୍ଚ ହେବ; ସ୍ୱାଗତ କଲେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ବ୍ୟଞ୍ଜନ ପ୍ରିୟ ମହାପ୍ରଭୁଙ୍କୁ ଲାଗି ହେଉଥିବା ସବୁ ନୈବେଦ୍ୟର ପ୍ରସ୍ତୁତି ଶୁଦ୍ଧ ଦ୍ରବ୍ୟରେ କରାଯିବାର ବିଧି ରହିଛି। ଏକଥା ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ଭଳି ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି।

author-image
Manoranjan Sial
Puri Temple

Puri Temple

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେଥିପାଇଁ ଜଣେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ। ସେପଟେ ସରକାରଙ୍କ ଏ ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଥିବା ବେଳେ ସୁପକାର ସେବକ କହିଛନ୍ତି ଅବଢ଼ା ରନ୍ଧା ପୂର୍ବରୁ ସାମଗ୍ରୀର ମାନ ପରୀକ୍ଷଣ ଠିକ। କିନ୍ତୁ ମହାପ୍ରସାଦ ହେବା ପରେ ତାର ଯାଞ୍ଚ ଶାସ୍ତ୍ର ବିରୋଧୀ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଛନ୍ତି, ଜଗନ୍ନାଥ ମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍‌ ଇନ୍ସପେକ୍ଟର। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି। ଖାଲି ଅବଢ଼ା ନୁହେଁ, ଅବଢ଼ା ପ୍ରସ୍ତୁତିରେ ଲାଗୁଥିବା ଘିଅର ହେବ ମାନ ପରୀକ୍ଷା। ତିରୁପତି ବାଲାଜୀଙ୍କ ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର ହେଉଥିବାର ସାଂଘାତିକ ଅଭିଯୋଗ ଯେଉଁଭଳି ଭାବେ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଦୋହଲାଇ ଦେଇଛି। ପୁରୀ ମନ୍ଦିରରେ ସେଭଳି ଘଟଣା ଘଟିବା ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଶ୍ରୀମନ୍ଦିରରେ ବ୍ୟଞ୍ଜନ ପ୍ରିୟ ମହାପ୍ରଭୁଙ୍କୁ ଲାଗି ହେଉଥିବା ସବୁ ନୈବେଦ୍ୟର ପ୍ରସ୍ତୁତି ଶୁଦ୍ଧ ଦ୍ରବ୍ୟରେ କରାଯିବାର ବିଧି ରହିଛି। ଏକଥା ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ଭଳି ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେହେତୁ ମହାପ୍ରସାଦ ତେଲରେ ରନ୍ଧା ଯିବାର ପରମ୍ପରା ନାହିଁ, ତେଣୁ ଷାଠିଏ ପଉଟି ଭୋଗ ପ୍ରସ୍ତୁତି ପାଇଁ ଦରକାର କେବଳ ଶୁଦ୍ଧ ଘିଅ। ଖାସି ସେତିକି ନୁହେଁ, ଶ୍ରୀମନ୍ଦିର ସତ୍ତ୍ୱଲିପିରେ ରୋଷଶାଳାଙ୍କୁ ଯାଉଥିବା ଘିଅ ସହ ଅନ୍ୟ ସମସ୍ତ ଅମୁଣିଆ ସାମଗ୍ରୀର ଯାଞ୍ଚ କଥା ଉଲ୍ଲେଖ ଅଛି। ଏ ଦାୟିତ୍ୱ ଦେଉଳ କରଣ, ରୋଷ ପାଇକ, ରୋଷ ଅମିନ, ଶ୍ରୀମନ୍ଦିର ସୁପରଭାଇଜର ଓ ଛତିଶା ନିଯୋଗ ନାୟକଙ୍କର।

Advertisment

ଠାକୁରଙ୍କ ପାଖରେ ମୁଖ୍ୟତଃ ଦୁଇ ପ୍ରକାର ଭୋଗ ଲାଗି ହେଉଛି। ତାହା ହେଲା କୋଠ ଭୋଗ ଓ ବରାଦି ଭୋଗ। ବରିଷ୍ଠ ସୁପକାର ସେବକଙ୍କ ମତରେ ଶ୍ରୀମନ୍ଦିର ରୋଷଶାଳାରେ ଏବେ ଓମଫେଡ୍‌ ଘିଅରେ ଏସବୁ ରନ୍ଧନ ହେଉଛି। ତେଣୁ ସରକାର ଯେଉଁ ପ୍ରକାର ଘିଅକୁ ଅନୁମତି ଦେବେ ଆମେ ସେଥିରେ ଭୋଗ ପ୍ରସ୍ତୁତି କରିବୁ। ତେବେ ମହାପ୍ରଭୁଙ୍କୁ ଭୋଗ ଲାଗି ହେବା ପରେ ସେ ମହାପ୍ରସାଦର ଯାଞ୍ଚ ଶାସ୍ତ୍ର ବିରୋଧୀ। ତେଣେ ଶ୍ରୀମନ୍ଦିରରେ ଘିଅ ସହ ଅନ୍ୟ ସାମଗ୍ରୀର ଯାଞ୍ଚ ପାଇଁ ସରକାର ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ଦେବା ଘୋଷଣାକୁ ସ୍ୱାଗତ କରିଛନ୍ତି ଭକ୍ତ।

ଆଗରୁ ଶ୍ରୀମନ୍ଦିରର ସମସ୍ତ ଶୁଖିଲି ଭୋଗ ଓ ଅବଢ଼ା ଶୁଦ୍ଧ ଦେଶୀ ଗାଈ ଘିଅରେ ପ୍ରସ୍ତୁତ ହେଉଥିଲା। ମଝିରେ ଏଥିରେ ବ୍ୟତିକ୍ରମ ହେବାରୁ, କିଛି ବର୍ଷ ତଳୁ କେବଳ ଓମଫେଡ୍ ଘିଅକୁ ମନ୍ଦିରରେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ତିରୁପତି ଲଡୁ ବିବାଦ ପରଠୁ ସରକାର ଶ୍ରୀମନ୍ଦିର ପାଇଁ ଅଧିକ ଯତ୍ନବାନ ହୋଇଛନ୍ତି।

Puri Shreemandir Puri Sri Jagannath