Advertisment

ମୋହନଙ୍କ ପସନ୍ଦ: ସିଏମଓ ଭାୟା କେନ୍ଦୁଝର, ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ପୂର୍ବ ବିଜେଡି ସରକାରରେ ଯେଭଳି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିଥିବା ଅଫିସରମାନଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଉ ଥିଲା ଠିକ୍ ସେଭଳି ଏବେ ମୋହନ ମାଝୀଙ୍କ ସରକାରରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିଥିବା ପ୍ରଶାସନିକ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱ ମିଳୁଥିବା ଜଣାପଡ଼ିଛି ।

author-image
Ordigital Desk
CMO

CMO

ସିଏମଓ ଭାୟା କେନ୍ଦୁଝର । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ କାର୍ଯ୍ୟ କରିବାକୁ ହେଲେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିଥିବାର ଅଭିଜ୍ଞତା ଜରୁରୀ । ବରିଷ୍ଠ ଓଏଏସ୍ ଅଫିସର ମିର୍ଦ୍ଧା ଟପ୍ପୋଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିବା ପରେ ପାୱାର କରିଡରରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପୂର୍ବ ବିଜେଡି ସରକାରରେ ଯେଭଳି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିଥିବା ଅଫିସରମାନଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଉ ଥିଲା ଠିକ୍ ସେଭଳି ଏବେ ମୋହନ ମାଝୀଙ୍କ ସରକାରରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିଥିବା ପ୍ରଶାସନିକ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱ ମିଳୁଥିବା ଜଣାପଡ଼ିଛି । ତେବେ ଏସବୁ ଭିତରେ ସମସ୍ତଙ୍କଠୁ ଖାସ୍ ପାଲଟିଛନ୍ତି ଓଡ଼ିଶା ସଚିବାଳୟ ସେବାର ଅଫିସର ଅଣ୍ଟୁ ମୁର୍ମୁ , ଯିଏକି ଏବେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

Advertisment

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଆଇ) ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ଟପ୍ପୋ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀଙ୍କ ନିର୍ବାଚନମଣ୍ଡଳୀର ବିଡିଓ ଓ ସେହି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ତାଙ୍କ ପୂର୍ବରୁ ଚଳିତବର୍ଷ ଜାନୁୟାରୀ ମାସରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ ଓ ମାର୍ଚ୍ଚ ମାସରେ କେନ୍ଦୁଝର ବାଂଶପାଳ ତହସିଲଦାର ଓଏଏସ୍ କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ କାର୍ଯ୍ୟରତ ଅଫିସର

ଶାଶ୍ୱତ ମିଶ୍ର: ଓଡ଼ିଶା କ୍ୟାଡ଼ରର ୧୯୯୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଶ୍ରୀ ମିଶ୍ରଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ଜନ୍ମିତ ଶ୍ରୀ ମିଶ୍ରଙ୍କ କାର୍ଯ୍ୟଦକ୍ଷତା ଓ ନିର୍ବିବାଦୀୟ ଚରିତ୍ର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଇବାରେ ସହାୟକ ହୋଇଛି । ନିକୁଞ୍ଜ ବିହାରୀ ଧଳ ବିଦା ହେବାପରେ ଏହି ପଦବୀ ପ୍ରାୟ ୨ମାସ ଧରି ଖାଲି ପଡ଼ିଥିଲା ।

Advertisment

ମନୋଜ କୁମାର ସାହୁ : ୨୦୦୬ ବ୍ୟାଚର ଏଜିଏମୟୁଟି କ୍ୟାଡ଼ର ବରିଷ୍ଠ ଆଇଏଏସ୍  ଶ୍ରୀ ସାହୁଙ୍କୁ ଗତ ଡିସେମ୍ବର ମାସରେ ଓଡ଼ିଶା କ୍ୟାଡ଼ରକୁ ଡେପୁଟେସନରେ ଆସିବା ପରେ ଜାନୁୟାରୀରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଉଛନ୍ତି । ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଶ୍ରୀ ସାହୁ କେନ୍ଦ୍ର ସରକାରଙ୍କ ପସନ୍ଦର ଅଫିସର ଭାବେ ଓଡ଼ିଶା ଆସିଥିବାବେଳେ ଖୁବକମ୍ ଦିନ ମଧ୍ୟରେ ଓଡ଼ିଶା ପ୍ରଶାସନରେ ନିଜର ସଚ୍ଚୋଟତା ଓ କାର୍ଯ୍ୟଦକ୍ଷତା ବଳରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

ଅନୁପମ ସାହା: ୨୦୧୨ ବ୍ୟାଚର ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଅନୁପମ ଶାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଜନ୍ମିତ ଶ୍ରୀ ଶାହାଙ୍କୁ ୨୦୨୪ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିଲା ।

ତ୍ରିଲୋଚନ ମହାନ୍ତି: ରାଜ୍ୟରେ ବିଜେପି ସରକାର ଗଠନର ୫ଦିନ ପରେ ଅର୍ଥାତ୍ ୨୦୨୪ ଜୁନ୍ ୧୭ତାରିଖରେ କେନ୍ଦୁଝର ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଓଏଏସ୍ ଅଫିସର ଶ୍ରୀ ମହାନ୍ତି ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସବୁଠୁ ଖାସ୍ ଅଫିସର ଭାବେ ପରିଚିତ । ।

ପ୍ରସନ୍ନ କୁମାର ଷଡ଼ଙ୍ଗୀ : ଏକମାତ୍ର ଅବସରପ୍ରାପ୍ତ ଓଏଏସ୍ ଅଫିସର ଯିଏକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ସିଏମଓରେ କାର୍ଯ୍ୟ କରୁଛନ୍ତି । ସେ ବିଜେଡି ଶାସନକାଳରେ ତତକାଳୀନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଉଥିଲେ । ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କୁ ନିଜ  ଅଫିସରେ ନିଯୁକ୍ତି ଦେଇଛନ୍ତି ।

ସେହିପରି ବରିଷ୍ଠ ଓଏଏସ୍ ଅଫିସର ଚିତ୍ରସେନ ରାଉତ ଏବଂ ବରିଷ୍ଠ ଓଡ଼ିଶା ଅର୍ଥ ସେବା ଅଫିସର ଉମେଶ ଚନ୍ଦ୍ର ତ୍ରିପାଠୀ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ରାଉତ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେବା ପୂର୍ବରୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଉଥିବାବେଳେ ଶ୍ରୀ ତ୍ରିପାଠୀ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଥିଲେ । ଓଏଏସ୍ ଅଫିସର ଶୁଭେନ୍ଦୁ ପଟ୍ଟନାୟକ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଓଡ଼ିଶା ସଚିବାଳୟ ସେବାର ଅଫିସର ଦେବୀପ୍ରସାଦ ମିଶ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଏବେ ଭାବେ କାର୍ଯ୍ୟରତ ଅଣ୍ଟୁ ମୁର୍ମୁ ଏକମାତ୍ର ଅଫିସର ଯିଏକି ସେଠାରେ ୧୯୯୯ ଏପ୍ରିଲ ୨୧ତାରିଖରୁ କାର୍ଯ୍ୟରତ ଅଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ୨୪ବର୍ଷ ଓ ମୋହନଙ୍କ ଏକବର୍ଷ ଶାସନର ମୂକସାକ୍ଷୀ ଅଛନ୍ତି । ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଓ ସଚ୍ଚୋଟତା ତାଙ୍କୁ ସେଠାରେ କାର୍ଯ୍ୟ କରିବାର ସୁଯୋଗ ଦେଇଛି । ଶ୍ରୀ ମୁର୍ମୁ ଆସନ୍ତା ୨୦୨୮ ମସିହାରେ ଅବସର ନେବେ ।

Odisha Mohan Charan Majhi