Advertisment

ସିଙ୍ଗିରିରେ ମନରେଗା କାମରେ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି କଲେ ପଞ୍ଚାୟତବାସୀ

ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ଆଳି ବିଡିଓ।

author-image
Jitendra Garnayak
Villegers

Villegers

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସିଙ୍ଗିରି ପଞ୍ଚାୟତରେ ମନରେଗାରେ କାମ ନାଁରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାୟତର ଶତାଧିକ ଲୋକ ଆଳି ବିଡିଓଙ୍କୁ ଅଭିଯୋଗ ପତ୍ର ଦେବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତା’ ସହିତ ଏନେଇ ସେମାନେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। 

Advertisment

୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚାୟତର ମୁକ୍ତେଶ୍ଵର ମହାଦେବ ମନ୍ଦିର ଠାରୁ ଗ୍ରାମ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ ନାଁରେ ୨ ଲକ୍ଷ ୨୦ ହଜାର ୨୧୭ ଟଙ୍କା ଉଠାଯାଇଛି। କିନ୍ତୁ କାମ ହୋଇନି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଦହିସାହି ଆଦର୍ଶ ପୋଖରୀ ଖନନ ପାଇଁ ୩ ଲକ୍ଷ ୫୬ ହଜାର ୭୬୭ ଟଙ୍କା ଉଠାଣ କରାଯାଇ ସଂପୂର୍ଣ୍ଣ ଅର୍ଥ ହଡ଼ପ କରାଯାଇଛି। ଧାନମଣ୍ଡଳ ବୁଢ଼ୀ ଜାଗୁଳାଇ ପୋଖରୀ ଖନନ ନାଁରେ ମଧ୍ୟ ୪ ଲକ୍ଷ ୭ ହଜାର ୬୨୮ ଟଙ୍କା ଉଠାଣ କରାଯାଇଥିବା ବେଳେ ଆଦୌ କାର୍ଯ୍ୟ କରାଯାଇନାହିଁ। କେବଳ ଏତିକି ନୁହେଁ, ସିଙ୍ଗିରିର ଗୋପୀ ଦାସ ଛକ ଠାରୁ କୀର୍ତ୍ତନ ମଣ୍ଡପ ଯାଏ ରାସ୍ତାରେ ମାଟି ଫିଲିଙ୍ଗ ପାଇଁ ୨ ଲକ୍ଷ ୫୪ ହଜାର ୭୯୩ ଟଙ୍କା ଉଠାଯାଇଥିବା ବେଳେ ଏଠାରେ ନାମକୁ ମାତ୍ର କେତେ ଟ୍ରିପ୍ ମାଟି ପକାଯାଇ ବାକି ଅର୍ଥ ହଡ଼ପ କରାଯାଇଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।

Advertisment

ଏହି ସବୁ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରିଛନ୍ତି ପଞ୍ଚାୟତବାସୀ।

ଆଳି ବିଡିଓ ମିନତି ଜଗଦେବ କହିଛନ୍ତି, ଆମେ ଘଟଣାର ତଦନ୍ତ କରିବୁ। ମିଛ ବିଲ୍‌ କରି ଟଙ୍କା ଉଠାଯାଇଥିବା ନେଇ ଯଦି ରିପୋର୍ଟ ଆସିବ, ତା’ହେଲେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ

Corruption MGNREGA