Advertisment

ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଅଦ୍ୟତନ ହୋଇଛି
Puri Temple

Puri Temple

Advertisment

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବାକୁ ଥିବା ବେଳେ ଏବେ ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ ଜଷ୍ଟିସ ରଘୁବୀର ଦାସ କମିଶନ କରିଥିଲେ। ଏହି ରିପୋର୍ଟ ଏବେ ସାର୍ବଜନୀନ ହେବ। ଏନେଇ ହାଇକୋର୍ଟଙ୍କୁ ଆଜି ଅବଗତ କରାଇଛନ୍ତି ରାଜ୍ୟ ସରକାର। ଆଗାମୀ କ୍ୟାବିନେଟ ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି। ସେହିପରି ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। କେଉଁ ପରିସ୍ଥିତିରେ ଚାବି ହଜିଲା, ତା’ର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଶନ ତଦନ୍ତ କରିବା ପରେ ନିର୍ଦ୍ଧାରିତ ସମୟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ।

Advertisment

କୋର୍ଟ ଅଫ ଇନକ୍ୱାରୀ ଆକ୍ଟ ଅନୁସାରେ, ରିପୋର୍ଟକୁ ସାର୍ବଜନୀନ କରିବାର ଆବଶ୍ୟକ ରହିଛି। ଅର୍ଥାତ ଏହା ରାଜ୍ୟ ବିଧାନସଭାରେ ଉପସ୍ଥାପନ ହେବା କଥା। କିନ୍ତୁ ପୂର୍ବରୁ କ୍ଷମତାରେ ଥିବା ବିଜେଡି ସରକାର ଏହା ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ। ତେଣୁ ରାଜ୍ୟବ୍ୟାପୀ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶେଷରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। ସ୍ଥାନୀୟ ସ୍ୱେଚ୍ଛାସେବୀ ଦିଲୀପ ବରାଳ ଏନେଇ ହାଇକୋର୍ଟରେ ମାମଲା କରିଥିଲେ।

ଗତ ଏପ୍ରିଲ ମାସ ୫ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗୋଟିଏ ସତ୍ୟପାଠ ଦାଖଲ କରି କହିଥିଲା ଯେ ଖୁବଶୀଘ୍ର ନିର୍ବାଚନ ହେବାକୁ ଯାଉଛି ଓ ଜୁନ ମାସରେ ନୂଆ ସରକାର ଗଠନ ହେବ। ଏହାପରେ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ରିପୋର୍ଟକୁ ଉପସ୍ଥାପନ କରି ସାର୍ବଜନୀନ କରାଯିବ।

ସତ୍ୟପାଠ ଏପ୍ରିଲ ୫ରେ ଦାଖଲ କରାଯାଇଥିଲେ ହେଁ ଏଯାଏ ମାମଲାର ଶୁଣାଣି ହୋଇ ନଥିଲା। ଆଜି ପୁନଃ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଥିଲେ ହେଁ ସତ୍ୟପାଠ ଅନୁସାରେ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ।

ଏହାପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସରକାରୀ ଓକିଲ କହିଛନ୍ତି ଯେ ଆଗାମୀ କ୍ୟାବିନେଟ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ।

ସରକାର ଦୁଇ ଥର ହାଇକୋର୍ଟଙ୍କୁ ରିପୋର୍ଟ ସାର୍ବଜନୀନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆଗାମୀ ଦିନରେ କେଉଁ ପରିସ୍ଥିତିରେ ଚାବି ହଜିଥିଲା, ସେକଥା ପୂରା ରାଜ୍ୟବାସୀ ଜାଣିବାକୁ ସକ୍ଷମ ହେବେ। ରିପୋର୍ଟ ଆସିବା ପରେ ସମ୍ଭବତଃ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

Puri Shreemandir Puri Odisha Highcourt High Court Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe