Advertisment

ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବେ

ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବେ।

Mohan Majhi

Mohan Majhi

Advertisment

ଲଗାତର ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବେ।

Advertisment

ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ହେଲିକପ୍ଟର ଯୋଗେ ଜିଲ୍ଲାର ବନ୍ୟାଞ୍ଚଳ ବୁଲି ଦେଖିବେ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତିପୂରଣ ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି।

Advertisment

ମାଲକାନଗିରିରେ ଜଳ ପ୍ରଳୟ ହେତୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ରାସ୍ତା ଭାସି ଯାଇଛି। ବହୁ ସ୍ଥାନରେ ଏବେବି ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରବଳ ବର୍ଷା ଯୋଗୁଁ ୬ଟି ଓଡ୍ରାଫ ଓ ୫ ଅଗ୍ନିଶମ ଟିମ୍‌ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ସେମାନେ ପ୍ରାୟ ୧୭ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଲଗାଣ ବର୍ଷା ଯୋଗୁଁ ମାଲକାନାଗିରିର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗାମ, କାଙ୍ଗୁରୁକୁଣ୍ଡା, ପଟେରୁ MV-90, MV-7, MV-96 ନମ୍ବର ପୋଲ ଉପରେ ୫ରୁ ୧୦ଫୁଟର ପାଣି ପ୍ରବାହିତ ହେଉଥିଲା । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଏବେ ଜଳସ୍ତର ଖସିବା ସହ ବିଭିନ୍ନ ସ୍ଥାନରେ ଯାତାୟତ ଓ ଜୀବନ ଯାତ୍ରା କ୍ରମଶଃ ସ୍ୱାଭାବିକ ହେବାରେ ଲାଗିଛି । ସୁକୁମା ପୋଲୋ ଉପରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହୋଉଥିବାରୁ ମାଲକାନାଗିରି ଏବଂ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ମାଲକାନଗିରିରେ ବହୁ ସଂଖ୍ୟାରେ ନୂଆଣିଆ ବ୍ରିଜ ଥିବାରୁ ତାହା ଯୋଗୁ ପ୍ରତିବର୍ଷ ବର୍ଷା ଦିନେ ବନ୍ୟା ପରିସ୍ଥିତି ଉପୁଜିଥାଏ। ତେଣୁ ଏହା ବଦଳରେ ନୂଆ ବ୍ରିଜ କାମ ଚାଲିଥିବା ବେଳେ ତାହା ଖୁବ୍‌ ମନ୍ଥର ଗତିରେ ଚାଲୁଛି। ତେଣୁ କିପରି ଏହି କାମକୁ ତ୍ୱରାନିତ କରାଯାଇ ସମ୍ପାଦିତ କରାଯିବ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।

Malkangiri Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe