Advertisment

ଆଖି ପିଛୁଳାକେ ଆକାଉଣ୍ଟକୁ ଆସିଗଲା ପୁଳା ପୁଳା ଟଙ୍କା; ବ୍ୟାଙ୍କ ଆଗରେ ଅସମ୍ଭାଳ ଭିଡ଼

ଆଖି ପିଛୁଳାକେ ଆକାଉଣ୍ଟରେ ଆପେ ଆପେ ଡିପୋଜିଟ ହୋଇଗଲା ଟଙ୍କା । ବଢ଼ିଗଲା କ୍ୟାସ୍‌ ବାଲାନ୍ସ । କାହା ଆକାଉଣ୍ଟରେ ୧୦ ହଜାର ତ କାହା ଆକାଉଣ୍ଟରେ ଡିପୋଜିଟ ହେଲା ୮୦ ହଜାର ।

Bank

Bank

Advertisment

ଆଖି ପିଛୁଳାକେ ଆକାଉଣ୍ଟରେ ଆପେ ଆପେ ଡିପୋଜିଟ ହୋଇଗଲା ଟଙ୍କା । ବଢ଼ିଗଲା କ୍ୟାସ୍‌ ବାଲାନ୍ସ । କାହା ଆକାଉଣ୍ଟରେ ୧୦ ହଜାର ତ କାହା ଆକାଉଣ୍ଟରେ ଡିପୋଜିଟ ହେଲା ୮୦ ହଜାର । ଏହାଦେଖି ଲୋକେ ହତବାକ, କାରଣ ଟଙ୍କା କେଉଁଠୁ ଆସିଲା ସେ ନେଇ କାହା ପାଖରେ କିଛି ଖବର ନାହିଁ । ହେଲେ ନିଜ ପାସବୁକ୍‌ ଦେଖି ସେମାନଙ୍କ ଖୁସି ବନ୍ଧବାଡ଼ ମାନୁ ନ ଥିବା ବେଳେ ପାଦ ବି ତଳେ ଲାଗୁନି। ଆଉ ସଙ୍ଗେସଙ୍ଗେ ଟଙ୍କା ନେବାକୁ ବ୍ୟାଙ୍କ ସମ୍ମୁଖରେ ଅଚାନକ ଦେଖିବାକୁ ମିଳିଲା ଜନସମୁଦ୍ର । ଏପରି ଏକ ଅଜବ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ବାଟିପଡ଼ା ଗ୍ରାମ୍ୟ ବ୍ୟାଙ୍କ ପରିସରରେ ଗତ ୨ ଦିନ ହେବ ଦେଖିବାକୁ ମିଳିଛି।

Advertisment

ବାଟିପଡ଼ାରେ ଥିବା ଓଡ଼ିଶା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଥିବା ଖାତାଧାରୀଙ୍କ ଖାତାରେ ଗତ ବୁଧବାର ରାତିରୁ ଅଚାନକ ଏଭଳି ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି। ଟଙ୍କା ଡିପୋଜିଟ୍ ହେବା ପରେ ଲୋକଙ୍କ ମୋବାଇଲରେ ମେସେଜ୍ ଆସୁଛି। ଆଉ ମେସେଜ୍ ଆସିବା କ୍ଷଣି ଲୋକେ ସେହି ଟଙ୍କାକୁ ଉଠାଇବା ପାଇଁ କିମ୍ବା ସେ ସଂପର୍କରେ ଜାଣିବା ପାଇଁ ଗତକାଲି ଶହ ଶହ ସଂଖ୍ୟାରେ ବ୍ୟାଙ୍କକୁ ଧାଇଁବାରେ ଲାଗିଲେ।

ଗତକାଲି ଏପରି ସ୍ଥିତି ଉପୁଜିଥିବା ବେଳେ ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼ ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ମୁତୟନ ହୋଇଥିଲେ। ଏହାପରେ ବହୁ ଲୋକଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇ ନଗଦ ଟଙ୍କା ଦିଆଯାଇଥିଲା। ମାତ୍ର କ୍ୟାସ୍‌ ସରିଯିବାରୁ ବହୁ ଲୋକ ଘଣ୍ଟା ଘଣ୍ଟା ଧରି ନିରାଶ ହୋଇ ଫେରିଥିଲେ। ଏହାପରେ ଆଜି ପୁଣି ଥରେ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ମାତ୍ର କେଉଁ ସୂତ୍ରରୁ ଟଙ୍କା ଆସୁଛି ତାହା ନ ଜାଣିବା ପର୍ଯ୍ୟନ୍ତ ଟଙ୍କା ଦେଇ ହେବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବ୍ୟାଙ୍କ କର୍ତ୍ତୃପକ୍ଷ ପାତରଅନ୍ତର ନୀତି ଆପଣାଇ କିଛି ଲୋକଙ୍କୁ ଟଙ୍କା ଦେଇଥିବା ବେଳେ କିଛି ଲୋକଙ୍କୁ ଦେଉ ନ ଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

ଲୋକଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ABPS (Aadhaar Payments Bridge System)ରୁ ଟଙ୍କା ଆସିଥିବା ଜଣାଯାଇଛି। ଆଉ କାହା କାହା ଆକାଉଣ୍ଟରେ ମାଟ୍ରିକ ସ୍କଲାରସିପ୍‌ରୁ ଟଙ୍କା ଆସିଥିବା ଉଲ୍ଲେଖ ଅଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଟଙ୍କା କେଉଁଠୁ ଆସିଛି ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ସାଧାରଣ ଲୋକ କାହା ପାଖରେ କିଛି ଉତ୍ତର ନାହିଁ।

ଏନେଇ ବାଟିପଡ଼ା ଗ୍ରାମ୍ୟବ୍ୟାଙ୍କ ମ୍ୟାନେଜର ପ୍ରତାପ ପ୍ରଧାନ କହିଛନ୍ତି, କାହା ଆକାଉଣ୍ଟରେ ୫ ହଜାର, ତ କାହା ଆକାଉଣ୍ଟରେ ୧୦ ହଜାର ଆଉ କାହା ଆକାଉଣ୍ଟରେ ୮୦ ହଜାର ବି ଡିପୋଜିଟ ହୋଇଛି। ହେଲେ ଟଙ୍କା କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନି। ତନାଘନା କରିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଏହି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିଥିବା ଜଣାଯାଇଛି। ଟଙ୍କା ନେବାକୁ ସକାଳୁ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼ ଜମୁଛି। ମାତ୍ର କ୍ୟାସ୍‌ ନ ଥିବାରୁ ଆମେ ଏବେ ଟଙ୍କା ଦେବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛୁ।

Bankfraud Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe