Advertisment

ଓଡ଼ିଶାରେ ଫେଲ୍ ମାରିଛି ହାତୀ ସୁରକ୍ଷା, ୫ବର୍ଷରେ ମରିଛନ୍ତି ୪୦୩ ହାତୀ

ଗତ ୧୦ ବର୍ଷରେ ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

author-image
Ordigital Desk
Representational Image

Representational Image

ରାଜ୍ୟରେ ‘ହାତୀ କରିଡର’ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ହାତୀଙ୍କୁ ସୁରକ୍ଷା ଯୋଗାଇବା ପ୍ରୟାସ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୦୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୪-୧୫ରୁ ୨୦୨୪-୨୫(ଡିସେମ୍ବର ୨ତାରିଖ ସୁଦ୍ଧା) ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଣରାମ ସିଂ ଖୁଂଟିଆ ଆଜି ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ, ୨୦୧୯-୨୦ରୁ ୨୦୨୩-୨୪ ମସିହା ମଧ୍ୟରେ ମୋଟ ୪୦୩ଟି ହାତୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ ହାତୀମାନଙ୍କ ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନକୌଶଳ ଆପଣାଇ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଆଦି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି।

ସେହିପରି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୪-୧୫ରୁ ଚଳିତମାସ ସୁଦ୍ଧା ମୋଟ ୮୫୭ଟି ହାତୀର ଅସ୍ୱାଭାବିକ ମୃତ୍ୟୁ ଘଟିଥିବାବେଳେ ୨୯ଟି ହାତୀ ଟ୍ରେନ ଓ ୭ଟି ହାତୀ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୧୪୯ଟି ହାତୀ ବିଦ୍ୟୁତ ଆଘାତରେ ଓ ୩୦ଟି ହାତୀଙ୍କର ଶିକାରୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି। ୨୦୨୨-୨୩ରେ ସର୍ବାଧିକ ୯୨ଟି ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି। ତେବେ ଏତେ ସଂଖ୍ୟକ ହାତୀ ମୃତ୍ୟୁ ଘଟଣା ହିଁ ରାଜ୍ୟରେ ହାତୀ ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି।

Advertisment

ସୂଚନାଯୋଗ୍ୟ, ଗତମାସରେ ଜାରି ହାତୀ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମୋଟ ୨୧୦୩ଟି ହାତୀ ରହିଛନ୍ତି।

Elephant Death Elephant Trafficking Elephants Safety Elephant In Odisha