Rescue
କେନାଲରେ ହାତୀ ଛୁଆ ପଡ଼ି ଯାଇଥିବା ବେଳେ ପାଖରେ ଜଗି ରହିଥିଲା ମା’ । ହାତୀ ଛୁଆକୁ ଉଦ୍ଧାର କରିବାକୁ ଯାଇଥିବା ଜେସିବିକୁ ଦେଖି ଆକ୍ରମଣାତ୍ମକ ହୋଇ ଉଠିଲା ମା’ ହାତୀ ସମେତ ଦୁଇ ହାତୀ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିବିକୁ ଉପରେ ଘନ ଘନ ଆକ୍ରମଣ କରିଥିଲେ l ଶେଷରେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ହାତୀଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାପରେ ଶାବକକୁ ନେଇ ଦୁଇ ହାତୀ ଜଙ୍ଗଲକୁ ଚାଲି ଯାଇଛନ୍ତି। ଆଜି ଏପରି ଏକ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅସନବଣି ଗାଁରେ ଦେଖିବାକୁ ମିଳିଥିଲା।
ବେତନଟୀ ରେଞ୍ଜରେ ଏକ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଅସନବଣି ଗାଁ ମୁହାଁ ହୋଇଥିଲେ। ସେଥିରେ ହାତୀ ଛୁଆ ଥିବା ବେଳେ ଅନ୍ଧାର ରାତିରେ ସେ ସୁବର୍ଣ୍ଣରେଖା ଶାଖା କେନାଲରେ ଖସି ପଡ଼ିଥିଲା l ଦୀର୍ଘ ସମୟର ସଂଘର୍ଷ ପରେ ବି ହାତୀଛୁଆଟି ଶାଖା କେନାଲରୁ ବାହାରି ପାରି ନ ଥିଲା। ଫଳରେ ପାଖରେ ଥିବା ମା’ ହାତୀ ଓ ଅନ୍ୟ ହାତୀ ପ୍ରଚଣ୍ଡ ଗର୍ଜନ କରିଥିଲେ l
ହାତୀମାନଙ୍କ ଗର୍ଜନ ଶୁଣି ଗ୍ରାମବାସୀ, ଗଜସାଥୀ ଟିମ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶାବକଟି କେନାଲରେ ପଡ଼ିଥିବା ଦେଖିଥିଲେ। ଏହାପରେ ତତ୍କ୍ଷଣାତ ଜେସିବି ଦ୍ୱାରା କେନାଲର କିଛି ଅଂଶକୁ ପୋତି ଶାବକକୁ ବାହାର କରିବାକୁ ଚେଷ୍ଟା କରିଥିଲେ l
ମାତ୍ର ଏହାଦ୍ୱାର ଛୁଆ ହାତୀକୁ କ୍ଷତି ପହଞ୍ଚିବ ଆଶଙ୍କା କରି ଜଗି ରହିଥିବା ମା' ହାତୀ ଓ ଅନ୍ୟ ଏକ ବଡ ହାତୀ ଛୁଆର ଆକ୍ରମଣାତ୍ମକ ହୋଇଉଠିଲେ । ଉଭୟଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜେସିବି ଉପରେ ଘନ ଘନ ଆକ୍ରମଣ କରିଥିଲେ l ମାତ୍ର ବହୁ ଛକାପଞ୍ଝା ପରେ ଶେଷରେ ହାତୀଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଗତକାଲି ରାତିରୁ ହାତୀଛୁଆଟି କେନାଲରେ ଖସି ପଡ଼ିଥିବା ବେଳେ ଆଜି ସକାଳୁ ତାକୁ ଉଦ୍ଧାର କରାଯାଇଛି। ହାତୀମାନେ ଛୁଆକୁ ନେଇ ଜଙ୍ଗଲ ଆଡ଼କୁ ପଳାଇ ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
