Advertisment

କ୍ରିକେଟ ପଡ଼ିଆରେ ହାଇଡ୍ରାମା: ପୁଅକୁ ନଖେଳାଇବାରୁ ପିଚ୍‌ରେ ବସିଲେ ମା’

ପଇସା ନେଇ ପକ୍ଷପାତିତା କରାଯାଉଥିବା ଅଭିଯୋଗ କରି ପୁଅକୁ ନ୍ୟାୟ ଦେବାକୁ ମହିଳାଙ୍କ ଦାବି।

author-image
Jitendra Garnayak
ଅଦ୍ୟତନ ହୋଇଛି
Woman

Woman

କ୍ରିକେଟ ପଡ଼ିଆରେ ହାଇଡ୍ରାମା। ପୁଅକୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନକରାଯିବାରୁ ପଡ଼ିଆରେ ପଶି ଖେଳ ବନ୍ଦ କରି ଦେଲେ ବାପାମା’। ଏମିତିକି ନ୍ୟାୟ ଦାବିରେ ପିଚ୍‌ରେ ବସି ରହିଥିଲେ ମା’। ଆଜି କଟକ ସନସାଇନ ପଡ଼ିଆରେ ଘଟିଛି ଏହି ଘଟଣା।

Advertisment

ଏଠାରେ ଓସିଏ ଦ୍ୱାରା ଆୟୋଜିତ ୧୯ ବର୍ଷରୁ କମ୍ ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଦେଖବାକୁ ମିଳିଛି। ଆଜି ରେଷ୍ଟ ଅଫ ଓଡ଼ିଶା ଓ ଭୁବନେଶ୍ୱର ‘ଏ’ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ଭୁବନେଶ୍ୱର ‘ଏ’ ଟିମ୍‌ରେ ଆୟୁଷ ମହାନ୍ତି ଥିଲେ। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇ ନଥିଲା। ସେଥିପାଇଁ ତାଙ୍କ ବାପାମା’ ଆସି ଏହାର ପ୍ରତିବାଦ କରିଥିଲେ ଓ ଖେଳ ବନ୍ଦ କରି ଦେଇଥିଲେ। ତାଙ୍କ ମା’ ପିଚ୍‌ରେ ଧାରଣାରେ ବସିଥିଲେ। ତେଣୁ ଖେଳ ବାଧାପ୍ରାପ୍ତ ହୋଇଥିଲା।

ପଡ଼ିଆରେ ଉପସ୍ଥିତ ଥିବା ଓସିଏ କର୍ତ୍ତୃପକ୍ଷ ସଂପୃକ୍ତ ମହିଳାଙ୍କୁ ପିଚ୍‌ରୁ ଉଠିଯିବାକୁ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଠେଲାପେଲା ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଆୟୁଷଙ୍କ ବାପାମା’ଙ୍କୁ ଥାନାକୁ ନେଇ ଯାଇଥିଲା।

Advertisment

ଆୟୁଷଙ୍କ ମା’ ରୋଜାଲିନ ମହାନ୍ତି କହିଛନ୍ତି, ମୋ ପୁଅ ଭୁବନେଶ୍ୱର ‘ଏ’ ପକ୍ଷରୁ ଖେଳିବାକୁ ଆସିଥିଲା। ଆଜି ସକାଳେ ସେ ଘରକୁ ଫେରି ଆତ୍ମହତ୍ୟା ଉଦ୍ୟମ କରିଥିଲା। କାରଣ ତା’ କ୍ୟାରିୟରକୁ ବରବାଦ କରାଯାଇଛି। ବିବିସିସି ମହାପାତ୍ର ପଇସା ଖାଇ ତା’ କ୍ୟାରିୟରକୁ ବରବାଦ କରିଛନ୍ତି। ତାକୁ ଡାକି ୪ଟା ମ୍ୟାଚ୍‌ରେ କେବଳ ପାଣି ବୁହାଇଛନ୍ତି। ମୋ ପୁଅ ଭଲ ଖେଳେ। ଯଦି ଜଣେ ଭଲ ଖେଳାଳି ସହିତ ଏମିତି କରାଯିବ, ତା’ହେଲେ ସେ ନିଶ୍ଚିତ ଆତ୍ମହତ୍ୟା ଉଦ୍ୟମ କରିବ। ସେଥିପାଇଁ ମୁଁ ଏଠାକୁ ନ୍ୟାୟ ମାଗିବାକୁ ଆସିଥିଲି। କାହା ସହିତ ପାଟିତୁଣ୍ଡ କରିବାକୁ ମୁଁ ଏଠାକୁ ଆସି ନଥିଲି। କିନ୍ତୁ ମୋତେ ଏଠାରେ ମାରପିଟ କରାଯାଇଛି।

ସେ ଆହୁରି କହିଛନ୍ତି, ଆଗରୁ ମୋ ପୁଅ ସିନିୟର ଟ୍ରାଏଲ୍ସରେ ଯାଇଥିଲା ଓ ସିଲେକ୍ସନ ହୋଇଥିଲା। ବିବିସିସି ମହାପାତ୍ର କହିଲେ, ଆୟୁଷ ମହାନ୍ତି ଭଲ ପ୍ରଦର୍ଶନ କରିଛି। ମୁଁ ତାକୁ ଅଣ୍ଡର ୧୯ରେ କ୍ୟାପ୍‌ଟେନ୍ କରିବି। ସେ ସିନିୟରରେ ନଯାଉ। ତାଙ୍କ କଥା ମାନି ଆମେ ପୁଅକୁ ଅଣ୍ଡର ୧୯ରେ ରଖିଲୁ। ୧୯ରେ ଟ୍ରାଏଲ୍ସରେ ଯାଇ ଭଲ ପ୍ରଦର୍ଶନ କରିଥିଲା। ସୁପର ଲିଗ୍‌ ପାଇଁ ତାକୁ ଡାକି ପଇସା ନେଇ ଟି-ଶର୍ଟ ଆଦି କିଣିଲେ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖେଳାଇଲେ ନାହିଁ। ଆମେ ପଚାରିବାରୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ପୁଅକୁ ଖେଳିବାକୁ ସୁଯୋଗ ଦିଆଯିବ ବୋଲି କହିଥିଲେ। କିନ୍ତୁ ପୁଣି ବସାଇ ଦେଲେ। ତେଣୁ ପୁଅ ଆଜି ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପଇସା ଖାଇକି ଏମିତି କରାଯାଉଛି। ବିବିସିସି ମହାପାତ୍ର ଓସିଏରେ ଥିଲେ। ପଇସା ଖାଇଲେ ବୋଲି ସେଠାରୁ ତଡ଼ା ଖାଇଲେ। ସେ ଯେଉଁଠାକୁ ଯାଉଛନ୍ତି ପଇସା ଖାଇ ଏମିତି କାମ କରୁଛନ୍ତି।

ଅନ୍ୟପକ୍ଷରେ ରୋଜାଲିନ ମହାନ୍ତିଙ୍କ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ବିବିସିସି ମହାପାତ୍ର ମନା କରି ଦେଇଛନ୍ତି।

Cricket