Advertisment

PM-USHA କାର୍ଯ୍ୟକ୍ରମ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ଛାତ୍ରଛାତ୍ରୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଆମ ସରକାରଙ୍କ ୮୧ତମ ଦିନରେ PM-USHA କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା।

PM-USHA

PM-USHA

Advertisment

ଆଜି ରାଜ୍ୟ କୃଷି ଭବନରେ ଓଡ଼ିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, PM-USHA କାର୍ଯ୍ୟକ୍ରମ ଦ୍ୱାରା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମିର ବିକାଶ ହେବ। ଶିକ୍ଷାର ପରିସର ବ୍ୟାପକ ହେବ ସେ କହିଛନ୍ତି।

Advertisment

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ଛାତ୍ରଛାତ୍ରୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଆମ ସରକାରଙ୍କ ୮୧ତମ ଦିନରେ PM-USHA କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା। ଏହା ହେଉଛି ଡବଲ୍ ଇଞ୍ଜିନ ସରକାରର ସଫଳତା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଓ ତତ୍ତ୍ୱାବଧାନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷାର ପରିସର ବ୍ୟାପକ। ଏହାକୁ ରାଜନୀତିର ସଂକୀର୍ଣ୍ଣତା ମଧ୍ୟରେ ରଖିବା ଉଚିତ୍ ନୁହେଁ। PM-USHA କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ ଆଗରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ। ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ। ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତିଯୋଗ୍ୟ ଶିକ୍ଷାର ବିକାଶରେ ସହାୟକ ହେବ। ଏହା ଆମର ଶିକ୍ଷା ପରିବେଶକୁ ବିଶ୍ୱସ୍ତରୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମର ସଂକଳ୍ପପତ୍ର ଅନୁଯାୟୀ ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲା ଯାଇଛି। ଏହା ସହିତ ଓଡ଼ିଶାର ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ୨୬ଟି ଭାଷା ପରୀକ୍ଷାଗାର ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଉଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ପୂର୍ବ ସରକାରଙ୍କ ଦୂରଦୃଷ୍ଟିର ଅଭାବ ତଥା ରାଜନୈତିକ ସଂକୀର୍ଣ୍ଣତା ଯୋଗୁ ଆମ ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଆ ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗ୍‌ଦର୍ଶନରେ ଆମ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। PM-USHA କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି-୨୦୨୦ର ପାଞ୍ଚଟି ସ୍ତମ୍ବକୁ ସୁଦୃଢ କରାଯିବ। ଏହା ହେଲା ସୁଗମ୍ୟ ଶିକ୍ଷା, ଗୁଣାତ୍ମକ ମାନ, ସମାନତା, ଉତ୍ତରଦାୟିତ୍ୱ ଓ ସାମର୍ଥ୍ୟ। ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟା ହେଉଛି ଯୁବବର୍ଗ ମଧ୍ୟରେ ଦକ୍ଷତାର ବିକାଶ। ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ବିକାଶ ସହିତ ଆମର ଶିକ୍ଷା ପ୍ରଣାଳୀକୁ ସମାନ୍ତରାଳ ଭାବରେ ଉନ୍ନତ କରିବାକୁ ହେବ। ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା ହାସଲ କରିଥିବା ଯୁବବର୍ଗକୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଦେଶର ବଜେଟରେ ୧ କୋଟି ଯୁବକ ଯୁବତୀଙ୍କୁ ୫୦୦ ଉଦ୍ୟୋଗରେ internship ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ପୂରଣ ଦିଗରେ ଏହା ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ବୈଷମ୍ୟତା ଓ ଅସମାନତା ଦୂର କରାଯାଇ SDG-4 ର ଲକ୍ଷ୍ୟ ପୂରଣ ହୋଇପାରିବ। ଆଗାମୀ ଦିନରେ ସାମଗ୍ରୀକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆନ୍ତର୍ଜାତିକ ମାନର ଶିକ୍ଷା ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ୱାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ ଏବଂ ବିକଶିତ ଭାରତ ଓ ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟରେ ସ୍କୁଲ ଓ କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କର ଠିକ୍‌ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ। ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ। ଜ୍ଞାନ ଓ ପ୍ରତିଭା ହେଉଛି ଓଡ଼ିଆ ପିଲାଙ୍କ ମୂଳ ଆଧାର। ଏହାର ବିକାଶ ହୋଇପାରିଲେ ଆମ ପିଲାମାନେ ମଧ୍ୟ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ୟୁନିଭର୍‌ସିଟିର ବିକାଶ ପାଇଁ ୫୦୦ କୋଟି ଟଙ୍କା ଦିଆଯିବ। ଏହା ଯୋଗୁ ଆମ ରାଜ୍ୟର ୧ କୋଟି ପିଲା ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ। ଏହି କାର୍ଯ୍ୟକ୍ରମ ୩ ବର୍ଷ ଆଗରୁ ହେବାର ଥିଲା। କିନ୍ତୁ ରାଜନୀତି ଯୋଗୁ ଓଡ଼ିଆ ପିଲାମାନେ ବଞ୍ଚିତ ହୋଇଥିଲେ। ଓଡ଼ିଶାରେ ଖୁବ୍‌ ଶୀଘ୍ର ଶିକ୍ଷାରେ ସ୍ୱାୟତ୍ତତା ଆସିବ। UGCର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବ ବୋଲି ସେ କହିଛନ୍ତି।

ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପି.ଏମ୍. ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଢିବ। ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହିତ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ।

Bhubaneswar Bjp Cmo Of Odisha Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe