Advertisment

ବିପଦରେ ମେଘନାଦ ପାଚେରି! ଗଳୁଛି ପାଣି, ମରାମତିର ପ୍ରତିଶ୍ରୁତି ଦେଲେ ପ୍ରଶାସକ

ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧିରେ ଉଚ୍ଛେଦ ବେଳେ ଜେସିବି ମାଡ଼ରେ ବାରମ୍ବାର ମେଘନାଦ ପାଚେରି ଆଘାତପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସେମାନେ ଅଭିଯୋଗ କରିଛନ୍ତି।

author-image
Hemant Lenka
Puri

Puri

ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରି ଅସୁରକ୍ଷିତ ହୋଇପଡ଼ିଛି। ଐତିହ୍ୟ ସଂପନ୍ନ ପାଚେରିର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଏହାକୁ ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତଙ୍କ ଯାଏ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି।

Advertisment

ଶ୍ରୀମନ୍ଦିର ସୁରକ୍ଷା କବଚ ହେଉଛି ମେଘନାଦ ପାଚେରି। ହେଲେ ଏହି ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା ରହିଛି। ସେଥି ମଧ୍ୟରୁ ଅନବରତ ଝରୁଛି ପାଣି। ପାଚେରିରେ ଶିଉଳି ମଧ୍ୟ ମାଡ଼ି ଗଲାଣି। ସିଂହଦ୍ୱାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡ ଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଜଳ ଜଳ ହୋଇ ଦିଶୁଛି।

ଅନେକ ସ୍ଥାନରେ କଣା ହୋଇ ଝରଣା ଭଳି ଅନର୍ଗଳ ଗଳୁଛି ପାଣି। ବର୍ଷା ହେଲେ ସ୍ଥିତି ଅଧିକ ସଂଗୀନ ହୋଇପଡୁଛି। ସବୁଠୁ ବେଶୀ ପାଣି ଗଳି ଗଳୁଛି ଆନନ୍ଦ ବଜାର କଡ଼ ପାଚେରିରେ। ହେଲେ ଶ୍ରୀମନ୍ଦିର ପ୍ରଶାସନ ହେଉ କି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତେ ଏହାକୁ ଦେଖି ନଦେଖିଲା ପରି ହେଉଛନ୍ତି।

Advertisment

ସେପଟେ ଐତିହ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ବି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ, ବୁଦ୍ଧୀଜୀବୀ ଓ ମଠବାଡ଼ିର ସନ୍ନ୍ୟାସୀ।

ଏମିତିକି ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧିରେ ଉଚ୍ଛେଦ ବେଳେ ଜେସିବି ମାଡ଼ରେ ବାରମ୍ବାର ମେଘନାଦ ପାଚେରି ଆଘାତପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସେମାନେ ଅଭିଯୋଗ କରିଛନ୍ତି।

ଶହ ଶହ ବର୍ଷ ଧରି ଯେଉଁ ମେଘନାଦ ପାଚେରି ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଛି,ସିଏ ବି ଅସୁରକ୍ଷିତ। ଏମିତି କି ଗତ ଜାନୁଆରୀ ୧୭ ତାରିଖରେ ଲୋକର୍ପିତ ହୋଇଥିବା ପରିକ୍ରମା ପ୍ରକଳ୍ପ ଫଳକ ପାଖରେ ବି ମେଘନାଦ ପାଚେରିରୁ ଅନବରତ ପାଣି ଗଳୁଛି। ଗଣମାଧ୍ୟମରେ ମେଘନାଦ ପାଚେରିର ଦୁର୍ବଳ ସ୍ଥାନର ତାଜା ଚିତ୍ର ପ୍ରସାରଣ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ହଇଚଇ। ତେଣେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ପାଚେରିରେ ଲାଗିଥିବା ଶିଉଳି ଛଡ଼ା କାମ ବି ଆରମ୍ଭ ହୋଇଛି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅତୀତର କିଛି ଭୁଲ କାରଣରୁ ଭବିଷ୍ୟତର ଭୁଲ ହୁଏ। ଯାହା ଅସୁବିଧା ହୋଇଛି ତା’ର ତୁରନ୍ତ ମରାମତି କରାଯିବ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସ୍ଥାୟିତ୍ୱ ଆମ ପ୍ରାଥମିକତା। ଏଏସଆଇ ଓ ଟେକ୍ନିକାଲ ଟିମକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ୱାର୍କ ସେକ୍ସନ ଅଧିକାରୀଙ୍କୁ ବି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଘନାଦ ପାଚେରିର ଖୁବଶୀଘ୍ର ମରାମତି କାମ ହୋଇଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି।

ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଐତିହ୍ୟ ସଂପନ୍ନ ମେଘନାଦ ପାଚେରି ନିର୍ମାଣ ହୋଇଥିଲା। ୨୦ ଫୁଟ ଉଚ୍ଚତା ଓ ଛଅ ଫୁଟ ମୋଟେଇ ବିଶିଷ୍ଟ ଏ ପାଚେରି ପ୍ରାୟ ୬ଶହ ବର୍ଷ ଧରି ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଛି। ହେଲେ ଏବେ ଏହା ରକ୍ଷାଣବେକ୍ଷଣ ଅଭାବରୁ ବିପଦଜନକ ସ୍ଥିତିରେ ପହଞ୍ଚିଛି।

Puri Shreemandir Puri Meghanada Pacheri