Advertisment

ମିଥ୍ୟା ଅଭିଯୋଗ ଦ୍ୱାରା ମୋର ମାନହାନି ହୋଇଛି: ପ୍ରଫୁଲ୍ଲ ସାମନ୍ତରା

ମୋତେ ପୁଲିସ ଦ୍ୱାରା ଅମାନବୀୟ, ବେଆଇନ ଓ ଅପରାଧମୂଳକ ଅପହରଣ କରିବା ପରେ ଦେଶ ଓ ରାଜ୍ୟର ଜନମତ ଚାପରେ ମୋତେ ମୁକ୍ତ କରାଯାଇଥିଲା।

ଅଦ୍ୟତନ ହୋଇଛି
Prafulla Samantara

Prafulla Samantara

Advertisment

‘ମୋ ବିରୋଧରେ ଖାଣ୍ଟି ମିଥ୍ୟା ଅଭିଯୋଗ ଆଣି ଦେଶଦ୍ରୋହୀ ବୋଲି ଉଲ୍ଲେଖ କରିଥିବା ଏକ ଜାଲି ପ୍ରଚାରପତ୍ରକୁ କେତେକ ଗଣମାଧ୍ୟମ ଅବିକଳ ନକଲ କରି ସ୍ଥାନ ଦେଇଛନ୍ତି। ଏହି ପୋଷ୍ଟର ମାତ୍ର ୩ଟି ସ୍ଥାନରେ ଲାଗିଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୋଷ୍ଟର ଛପାଇଥିବା ବା ଲେଖିଥିବା ବ୍ୟକ୍ତିର ନାମ ଉଲ୍ଲେଖ ନଥିବା ବେଳେ ସେହି ପୋଷ୍ଟର ଯାହା ଲେଖାଥିଲା, ତାକୁ ଛାପିଛନ୍ତି ବା ପ୍ରସାରଣ କରିଛନ୍ତି କିଛି ଗଣମାଧ୍ୟମ। ଏହି ପୋଷ୍ଟରରେ ଥିବା ସଙ୍ଗଠନ ପ୍ରକୃତରେ ଅଛି କି ନାହିଁ ତାର ସତ୍ୟତା ଜାଣିବାକୁ ଉଦ୍ୟମ କରାଯାଇନି କିମ୍ବା ଏହି ପୋଷ୍ଟରକୁ ସାମ୍ବାଦିକମାନେ ନିଜନିଜ ଗଣମାଧ୍ୟମରେ ସ୍ଥାନ ଦେବା ବେଳେ ମୋର ମତାମତ ନଦେବା କିମ୍ବା ମୋର ମନ୍ତବ୍ୟକୁ ନେଇ ଉକ୍ତ ସମ୍ବାଦରେ ସ୍ଥାନ ନଦେବା ଅନୈତିକ ଓ ଉଦ୍ଦେଶ୍ୟମୂଳକ।’

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପରସାଲି ଓ ନିୟମଗିରିରେ ସମାଜସେବୀ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମନ୍ତରାଙ୍କ ବିରୋଧ ଯେଉଁ ପୋଷ୍ଟର ମରାଯାଇଥିଲା, ତା’ ଉପରେ ପ୍ରତିକ୍ରିୟା ରଖି ସେ ନିଜେ ଆଜି ଏଭଳି କଥା କହିଛନ୍ତି। 

ଲୋହିଆ ଏକାଡେମୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏହି ପ୍ରଚାରପତ୍ରରେ ଆମେରିକା ଓ ଅଷ୍ଟ୍ରେଲିଆର କମ୍ପାନୀରୁ କୋଟି କୋଟି ଟଙ୍କା ପାଇ କାଶୀପୁର ଓ ନିୟମଗିରି ଖଣି ଖନନକୁ ମୁଁ ବିରୋଧ କରୁଛି ବୋଲି ଲେଖାଯାଇଛି ଏବଂ ଦେଶଦ୍ରୋହୀ କାର୍ଯ୍ୟ ବିରୋଧରେ ତଦନ୍ତ ପାଇଁ ଦାବି କରାଯାଇଛି। ଯେହେତୁ ମୋ ଜାଣତରେ ନିୟମଗିରି, କାଶୀପୁର ସମେତ ରାଜ୍ୟର କୌଣସି ଅଞ୍ଚଳରେ ଉଲ୍ଲେଖ ଥିବା ସଙ୍ଗଠନ ନାହିଁ, ତେଣୁ ସେହି ନିର୍ଦ୍ଦିଷ୍ଟ ସଙ୍ଗଠନ ନାମରେ ମାନହାନି ମାମଲା କରିବାକୁ ଚାହୁଁନଥିଲି। ମୋର ପ୍ରତିକ୍ରିୟା ନନେଇ ଏହି ପୋଷ୍ଟରକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ କରାଗଲା ଏବଂ ଲକ୍ଷ ଲକ୍ଷ ପାଠକ ଓ ଟେଲିଭିଜନ ଦର୍ଶକମାନଙ୍କ ପାଖରେ ପହଞ୍ଚାଗଲା। ତେଣୁ ମୁଁ ଏବେ ସେହି ଗଣମାଧ୍ୟମମାନଙ୍କୁ ଆହ୍ଵାନ କରୁଛି ଯେ ସେମାନେ ସେହି ସଂଗଠନର ଅସ୍ତିତ୍ୱ, ତାର କର୍ମକର୍ତ୍ତାମାନଙ୍କ ପରିଚୟ ଓ ଠିକଣା ଦିଅନ୍ତୁ, ଯାହାଦ୍ୱାରା ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି। ନଚେତ୍ ଏହି ପୋଷ୍ଟରକୁ ଅବିକଳ ଛାପିଥିବା ବା ପ୍ରସାରଣ କରିଥିବା ଗଣମାଧ୍ୟମ ବିରୋଧରେ ମୁଁ ମାନହାନି କରିବାକୁ ବାଧ୍ୟ ହେବି। ଯଦି ସେହି ସଙ୍ଗଠନ ଦ୍ୱୟର ଅସ୍ତିତ୍ୱ ବା ଠିକଣା ଜଣାଇପାରିବେ ନାହିଁ, ତାହାହେଲେ ଏହି ପୋଷ୍ଟର କୌଣସି ବ୍ୟକ୍ତି ବା ଛଦ୍ମବେଶୀ ସଂଗଠନ କିମ୍ବା କମ୍ପାନୀର ମିଥ୍ୟା, କପୋଳକଳ୍ପିତ ଅଭିଯୋଗ ଏବଂ ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟୀକରଣ ପ୍ରକାଶ କରାଯାଉ।

Advertisment

ଶ୍ରୀ ସାମନ୍ତରା କହିଛନ୍ତି, ମୋତେ ପୁଲିସ ଦ୍ୱାରା ଅମାନବୀୟ, ବେଆଇନ ଓ ଅପରାଧମୂଳକ ଅପହରଣ କରିବା ପରେ ଦେଶ ଓ ରାଜ୍ୟର ଜନମତ ଚାପରେ ମୋତେ ମୁକ୍ତ କରାଯାଇଥିଲା। ଏହି ଅପହରଣ ମୂଳରେ ନିୟମଗିରି ସମେତ କାଶୀପୁର, କଳାହାଣ୍ଡିରେ ବକ୍ସାଇଟ ଖଣି ଖନନ ବିରୋଧୀ ଆନ୍ଦୋଳନକୁ ଚାପି ଦେବା ଲକ୍ଷ୍ୟ ଥିଲା। ବେଦାନ୍ତ କମ୍ପାନୀ ପାଇଁ ନିଯୁକ୍ତ ଠିକା କମ୍ପାନୀ ମୈତ୍ରୀ କାଶୀପୁରର ଗାଁ ଗାଁରେ ପୁଲିସର ସହଯୋଗରେ ଆର୍ଥିକ ପ୍ରଲୋଭନ ଦ୍ୱାରା ଆତଙ୍କ ସୃଷ୍ଟି କରୁଛି। ମୁଁ ଆଇନ ବିରୋଧୀ ଖଣି ଖନନକୁ ବିରୋଧ କରୁଛି, କରିଚାଲିଥିବି ଓ ଜଙ୍ଗଲବାସୀ- ଆଦିବାସୀ-ଦଳିତଙ୍କ ଅଧିକାର ପାଇଁ ସହଯୋଗ କରୁଥିବି। ପୋଷ୍ଟରରେ ଥିବା ମିଥ୍ୟା ଅଭିଯୋଗ ଯଥା- କୋଟି କୋଟି ଟଙ୍କା ବିଦେଶରୁ କେଉଁ କମ୍ପାନୀ ଦେଇଛି, ତାର ନାମ, କେବେ ଦେଇଛି, ତାର ପ୍ରମାଣ ଥିବ ସ୍ଥାନୀୟ ଆଦିବାସୀ ବିରୋଧ କରୁଥିବା କମ୍ପାନୀମାନଙ୍କ ପାଖରେ। ଅନ୍ତତଃ ବେଦାନ୍ତ କିମ୍ବା ତାର ଠିକାଦାର ମୈତ୍ରୀ କମ୍ପାନୀ ଏ ସଂକ୍ରାନ୍ତରେ ତଥ୍ୟ ଦେବାକୁ ମୁଁ ଆହ୍ୱାନ କରୁଛି। ଏହା ସହ ପୋଷ୍ଟରକୁ ସତ ବୋଲି ମାନୁଥିବା ଗଣମାଧ୍ୟମଗୁଡ଼ିକ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିବାକୁ ମୋର ନିବେଦନ। ରାଜ୍ୟ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ଵାରା ତଦନ୍ତ କରି ସତ୍ୟତା ଉପସ୍ଥାପନ କରି, ଏହି ଜାଲି ପୋଷ୍ଟରର ଯଦି ସତ୍ୟତା ଥାଏ, ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ ଏହି ପ୍ରଚାରପତ୍ର ମାରିଥିବା ବ୍ୟକ୍ତି ତଥା ସଂସ୍ଥା ବିରୋଧରେ ଦଣ୍ଡ ବିଧାନ ହେଉ। ମୋର ଅପହରଣ ଯେପରି ରାୟଗଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ଓ ରାଜ୍ୟ ସରକାରଙ୍କ ବଡ଼ ବଡ଼ ପୁଲିସ ଅଫିସରଙ୍କ ଦ୍ଵାରା ହୋଇଥିଲା, ଏହି ଜାଲି ପୋଷ୍ଟର ପଛରେ ସେହି ଅଞ୍ଚଳର ଖଣି କମ୍ପାନୀ ଓ ପୁଲିସର ମିଳିତ ଚକ୍ରାନ୍ତ ବୋଲି ବିଶ୍ୱାସଯୋଗ୍ୟ।

Prafulla Samantara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe