ତଦନ୍ତ ଦାବି କଲେ ନେପାଳ ମାନବାଧିକାର ଆୟୋଗ: ଫେରୁନାହାନ୍ତି ଛାତ୍ରଛାତ୍ରୀ, ସନ୍ଦେହଘେରରେ ଉଚ୍ଚସ୍ତରୀୟ ତଦନ୍ତ କମିଟି

ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟିର ଯାଂଚ ପ୍ରକ୍ରିୟା ଉପରେ କଂଗ୍ରେସ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ତଦନ୍ତ କମିଟି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନୁହେଁ ବରଂ ଖସେଇ ଦେବା ପାଇଁ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛି ।

KIIT

ବିକ୍ଷୋଭ (ଫାଇଲ ଫଟୋ)

Ordigital Desk
  • Published: Monday, 24 February 2025
  • , Updated: 24 February 2025, 06:46 PM IST

କିଟ୍ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରୀମୃତ୍ୟୁଜନିତ  ପରବର୍ତ୍ତୀ ଘଟଣାକୁ ନେଇ ନେପାଳ-ଭାରତ ସମ୍ପର୍କ ଅଧିକ ପ୍ରଭାବିତ ହେବାରେ ଲାଗିଛି । ନେପାଳ ମାନବାଧିକାର ଆୟୋଗ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଓ ପଢୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ଏପଟେ କିଟ୍ କ୍ୟାମ୍ପସରେ ଆବଶ୍ୟକ ସୁରକ୍ଷା ଓ ସ୍ଥିତିରେ ସୁଧାର ଆସୁନଥିବାରୁ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିବାରେ ବିଳମ୍ବ ହେଉଛି । ଆଉ ସେମାନଙ୍କ ପାଠପଢ଼ା ମଧ୍ୟ ବ୍ୟାହତ ହେବାରେ ଲାଗିଛି ।

ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟିର ଯାଂଚ ପ୍ରକ୍ରିୟା ଉପରେ କଂଗ୍ରେସ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ତଦନ୍ତ କମିଟି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନୁହେଁ ବରଂ ଖସେଇ ଦେବା ପାଇଁ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛି । କିଟ୍ ବିବାଦକୁ ୮ଦିନ ପରେ ମଧ୍ୟ ରାଜ୍ୟ ସରକାର କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଓ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିବା ପାଇଁ ଆବଶ୍ୟକ ଇକୋସିଷ୍ଟମ ସୁନିଶ୍ଚିତ କରାଉନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ନିରପେକ୍ଷ ତଦନ୍ତ ଦାବି କଲେ ନେପାଳ ମାନବାଧିକାର ଆୟୋଗ

ନେପାଳ ମାନବାଧିକାର ଆୟୋଗଙ୍କ ଯୁଗ୍ମ ମୁଖପାତ୍ର ଶ୍ୟାମବାବୁ କାଫଲେ ଏକ ପ୍ରେସ୍ ରିଲିଜ୍ ଜାରି କହିଛନ୍ତି ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ ମୃତଦେହ ହଷ୍ଟେଲରୁ ମିଳିବା ଘଟଣାର ତ୍ୱରିତ୍ ନିରପେକ୍ଷ ତଦନ୍ତ ସହ ନେପାଳୀ ଛାତ୍ରଛାତ୍ରୀମାନଙ୍କ ସହ ହୋଇଥିବା ଅତ୍ୟାଚାର,ମାରପିଟ୍ ଆଦିର ତଦନ୍ତ ନିମନ୍ତେ ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଲିଖିତ(ଚିଠି ସଂଖ୍ୟା ୨୦୮୧/୧୧/୭) ଅନୁରୋଧ କରିଛନ୍ତି । ନିରପେକ୍ଷ ତଦନ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଅମାନବୀୟ ଅତ୍ୟାଚାର ଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ସେଠାରେ ପାଠ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ପଦାଧିକାରୀଙ୍କୁ ଦାୟୀ କରାଯିବାକୁ ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ନେପାଳ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଆଧାରରେ ନେପାଳ ମାନବାଧିକାର ଆୟୋଗ ଏହି ସମଗ୍ର ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

ସନ୍ଦେହଘେରରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଯାଂଚ କମିଟି

ଫେବୃୟାରୀ ୧୬ତାରିଖ ଅପରାହ୍ନରେ କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ପ୍ରକୃତିଙ୍କ ସନ୍ଦେହଜନକ ମୃତ୍ୟୁ ଓ ୧୭ତାରିଖରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ ସହଜ ଜବରଦସ୍ତି ହଷ୍ଟେଲରୁ ବିଦା କରାଯିବା ଘଟଣାକୁ ୮ଦିନ ପୁରିଲାଣି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ରାଜ୍ୟ ସରକାର ୩ଜଣ ସଚିବଙ୍କୁ ନେଇ ଫେବୃୟାରୀ ୧୮ତାରିଖରେ ଏକ ଉଚ୍ଚସ୍ତରୀୟ ଯାଂଚ କମିଟି ଗଢ଼ିଛନ୍ତି । କିନ୍ତୁ ନେପାଳର ସାର୍ବଭୌମତ୍ୱ ସମ୍ପର୍କରେ ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ଦେଇଥିବା ଦୁଇ ମହିଳା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନହେବା, ବିଶ୍ୱବିଦ୍ୟାଳୟର କୌଣସି ଜଣେବି ବରିଷ୍ଠ ପଦାଧିକାରୀଙ୍କୁ ଘଟଣା ପାଇଁ ଦାୟୀ କରାନଯିବା(୩ଜଣ ନିର୍ଦ୍ଦେଶକ ଗିରଫ ହୋଇ ୨ଘଣ୍ଟାରେ ମୁକୁିଳିଗଲେ) ଏବଂ ନେପାଳୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଆବଶ୍ୟକ ମାହୋଲ ପ୍ରସ୍ତୁତ ହୋଇନଥିବାରୁ ରାଜ୍ୟ ସରକାରଙ୍କ ଯାଂଚ କମିଟିର କାର୍ଯ୍ୟ ଓ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

୬ଦିନ ପରେ ମଧ୍ୟ କମିଟି ଯାଂଚ ମଧ୍ୟରେ ନିଜକୁ ସୀମିତ ରଖିଛି । ଆଉ ଏପଟେ ନେପାଳୀ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେଉଛି ଓ ସେମାନେ ଫେରିବାକୁ ଚାହିଁଲେ ବି ନିଜର ସୁରକ୍ଷାକୁ ନେଇ ଆଶଙ୍କାରେ ରହିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି । ପୂର୍ବତନ ଯୁବକଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ବାଣୀବିହାରର ପୂର୍ବତନ ଛାତ୍ରନେତା ମନୋଜ ମହାପାତ୍ର ସିଧାସଳଖ ରାଜ୍ୟ ସରକାରଙ୍କ ଯାଂଚ କମିଟିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଗଠନ କରିଥିବା କମିଟି ସଠିକ୍ ତଦନ୍ତ କରି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଅଚ୍ୟୁତଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସରକାର ଗଠନ କରିଥିବା କମିଟି ଦୋଷୀଙ୍କୁ ଖସାଇ ଦେବା ପାଇଁ କାମ କରୁଛି ବୋଲି ଛାତ୍ର ଓ ଯୁବ କଂଗ୍ରେସର ନେତାମାନେ ଅଭିଯୋଗ କରିଛନ୍ତି । କିଟ୍ ବିରୁଦ୍ଧରେ ଯେଉଁସବୁ ଦୁର୍ନୀତି ଅଭିଯୋଗ ଆସୁଛି ତା’ର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି । ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବାରମ୍ବାର ଦୋହରାଇଛନ୍ତି ଯେ, ତଦନ୍ତ କମିଟିର ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ତଦନ୍ତ କମିଟି କାହିଁକି ନିଜର ତଦନ୍ତ ଶେଷ କରିବାକୁ ବିଳମ୍ବ କରୁଛି ଓ ଆବଶ୍ୟକ ଶୈକ୍ଷିକ ମାହୋଲ କ୍ୟାମ୍ପସରେ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେଉନି ତାହା ମଧ୍ୟ ଏହି କମିଟିର ସଦସ୍ୟମାନଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନେପାଳ ଛାତ୍ରଛାତ୍ରୀ ଗଲେ କୁଆଡ଼େ ?

କିଟ୍ ବିଶ୍ୱବିଦ୍ୟାଳୟ ଘଟଣାକୁ ନେଇ ଏବେ ନେପାଳରେ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି । କିଟ୍ କର୍ତ୍ତୃପକ୍ଷ ନିଜର ହିଟଲରୀ ଶାସନ ଚଳାଇ ଫେବୃୟାରୀ ୧୭ତାରିଖରେ ପ୍ରାୟ ୮୦୦ ନେପାଳୀ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ କରିଦେଇଥିବା ଓ ସେହି ଛାତ୍ରଛାତ୍ରୀମାନଙ୍କୁ ନିଜର ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଲଗାଇ ବଳପୂର୍ବକ ହଷ୍ଟେଲରୁ ବିଦା କରାଯାଇଥିବା ନେଇ ନେପାଳୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିନ୍ତୁ ୨୩ତାରିଖ ସନ୍ଧ୍ୟା ସୁଦ୍ଧା ଭାରତ-ନେପାଳ ସୀମାରେ ଥିବା ପ୍ରବେଶ ପଥ ଦେଇ ମାତ୍ର ୩୦୦ ନେପାଳୀ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ଥିତି କ’ଣ ସେମାନେ ଏବେ କେଉଁଠି ତାକୁ ନେଇ ନୂଆ ବିବାଦ ନେପାଳରେ ସୃଷ୍ଟି ହୋଇଛି । ନେପାଳ ଗଣମାଧ୍ୟମର ତଥ୍ୟ ଅନୁସାରେ ମୋଟ ୩୦୧ଜଣ ନେପାଳୀ ଛାତ୍ରଛାତ୍ରୀ ୪ଟି ଚେକପଏଂଟ ଦେଇ ନେପାଳ ସୀମାରେ ପ୍ରବେଶ କରିଛନ୍ତି ।

୨୩ତାରିଖ ରବିବାର ସନ୍ଧ୍ୟାର ତଥ୍ୟ ଅନୁସାରେ ଝାପାର କାକରଭିଟ୍ଟା ଦେଇ ୨୦ଜଣ, ଭାଇରାହାୱାର ବେଲାହିୟା ଦେଇ ୩୬ଜଣ, ବିରାଟନଗରର ଯୋଗବାଣୀ ଦେଇ ୮୩ଜଣ ଓ ବୀରଗଞ୍ଜ ଦେଇ ୧୬୨ଜଣ ନେପାଳୀ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଛନ୍ତି । ନେପାଳୀ ଗଣମାଧ୍ୟମ ‘କାଠମାଣ୍ଡୁପୋଷ୍ଟ’ ଅନୁସାରେ ନେପାଳ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅନୁସଚିବ ରାଜୁ ଶ୍ରେଷ୍ଠା ସ୍ୱୀକାର କରିଛନ୍ତି ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରକୃତି ଲମସଲଙ୍କ ମୃତ୍ୟୁ ପରେ କେତେ ସଂଖ୍ୟକ ନେପାଳୀ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ । କିଟ୍ ବିଶ୍ୱବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ପଢ଼ୁଛନ୍ତି ଓ କେତେ ଏପର୍ଯ୍ୟନ୍ତ ନେପାଳ ଫେରିଛନ୍ତି ତା’ର ତଥ୍ୟ ମନ୍ତ୍ରଣାଳୟ ପାଖରେ ନଥିବାକୁ ନେଇ ରାଜନୀତିକ ବୟାନବାଜି ନେପାଳରେ ଜୋର ଧରିଛି ।

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଅଭିଯୋଗ ମିଳିଛି ଯେଉଁଥିରେ ଜଣେ ଅଭିଭାବକ ଅନୁରୋଧ କରିଛନ୍ତି ଯେ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ହଷ୍ଟେଲରେ ରହୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ହଷ୍ଟେଲରେ ଏକାଠି ରଖାଯାଉ । ଏହି ଅଭିଯୋଗକୁ ବିଦେଶ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି ବୋଲି ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇଥିବା ନେଇ ‘କାଠମାଣ୍ଡୁପୋଷ୍ଟ’ ଦାବି କରିଛି ।

ଏପର୍ଯ୍ୟନ୍ତ ପୁଲିସକୁ କାହିଁକି ହୋଇନି ଜେରା?

କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ପ୍ରକୃତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରଠୁ କ୍ୟାମ୍ପସ ପରିସରରେ କମିଶନରେଟ ପୁଲିସ ମୁତୟନ ଥିଲା । ଏପରିକି ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିଦା କରି ଷ୍ଟେସନ ପଠାଇବା, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାରଙ୍କ ଚାପରେ ପ୍ରାୟ ୧୨ଘଣ୍ଟା ପରେ ସାଇନଡାଏ ଉଠାଇ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଷ୍ଟେସନରୁ ଖୋଜି ପୁଣିଥରେ କ୍ୟାମ୍ପସକୁ ଆଣିବାରେ ପୁଲିସର କ’ଣ ଭୂମିକା ରହିଥିଲା ତାହା ଏପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆସିନାହିଁ । ପୁଲିସ ନିଜର ତଦନ୍ତରେ ଏପର୍ଯ୍ୟନ୍ତ ପ୍ରକୃତିଙ୍କ ମୃତ୍ୟୁକୁ ‘ଆତ୍ମହତ୍ୟା’ ଘଟଣା ମଧ୍ୟରେ ସୀମିତ ରଖି ଯାଂଚ ଆଗେଇ ନେଇଛି । ପ୍ରକୃତିଙ୍କ ପୁରୁଷବନ୍ଧୁ ଆଦ୍ୱିକ୍ ଶ୍ରୀବାସ୍ତବଙ୍କୁ ଗିରଫ କରି ବାହାବା ନେଉଥିବା ପୁଲିସ କିନ୍ତୁ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଇବାର ବଳିଷ୍ଠ ପ୍ରମାଣ ହାସଲ କରିପାରିନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସେହିପରି ପୀଡ଼ିତା ନେପାଳୀ ଛାତ୍ରଛାତ୍ରୀମାନେ ଗଣମାଧ୍ୟମରେ ଖୋଲାଖୋଲି ଭାବେ ବୟାନ ଦେଇଛନ୍ତି ଯେ, ସେମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିଦା କରାଯିବାବେଳେ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲା । ପୁଲିସ ନିଜେ ହିଁ ସେମାନଙ୍କୁ ରୁମରୁ ବିଦା କରାଉଥିଲା ।

ଏନେଇ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତଥାପି ଆର୍ନ୍ତଜାତିକ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିଦା ପାଇଁ ସେହି ପୁଲିସ କର୍ମଚାରୀମାନଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା ତାହା ଏବେବି ଅସ୍ପଷ୍ଟ । ସେହିପରି ନେପାଳୀ ଛାତ୍ରଛାତ୍ରୀଙ୍କୁ କଟକ ଓ ଭୁବନେଶ୍ୱର ଷ୍ଟେସନରୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ ପୁଲିସ କେଉଁଠି ନିର୍ଦ୍ଦେଶ ପାଇଥିଲା ତା’ର ମଧ୍ୟ ଖୋଳତାଡ଼ ହେବା ଜରୁରୀ । ଯେଉଁ ଦୁଇଜଣ ମହିଳା ଅଧିକାରୀ ମଞ୍ଜୁଳା ପାଣ୍ଡେ ଓ ଜୟନ୍ତୀ ନାଥ ନେପାଳ ଦେଶ ସମ୍ପର୍କରେ କଟୂ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ ପୁଲିସ କାହିଁକି ନିଜଆଡ଼ୁ ମାମଲା ରୁଜୁ କରିନାହିଁ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଥାନାର ଆଇଆଇସିଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି । ତେବେ ପୁଲିସର ଭୂମିକା ସନ୍ଦେହଜନକ ସ୍ଥିତିରେ ଥିଲେ ମଧ୍ୟ ରାଜ୍ୟ ସରକାର ସେଦିଗ ପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ କମିଟି ମଧ୍ୟ ସେନେଇ ବି ଖୋଳତାଡ଼ କରିନାହାନ୍ତି । ତେଣୁ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରି ଏହି ସମଗ୍ର ଘଟଣାକ୍ରମକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଭଳି ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି ।

ରାଜନୀତିକ ବୟାନବାଜି ଥମୁନି, ଫେରୁନାହାନ୍ତି ନେପାଳୀ ଛାତ୍ରଛାତ୍ରୀ

କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ସମଗ୍ର ବିଶ୍ୱରେ ଓଡ଼ିଶାକୁ ନିନ୍ଦିତ କରିଛି । ଘଟଣାକୁ ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟଠୁ ଆରମ୍ଭ କରି ନେପାଳ ସରକାର ପର୍ଯ୍ୟନ୍ତ ସମସ୍ତେ ଉଦବେଗ ବ୍ୟକ୍ତ କରିସାରିଛନ୍ତି । ମାତ୍ର କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସୁରକ୍ଷା ଫେରାଇ ଆଣିବା ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଇବା ଦିଗରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ । ନା ରାଜ୍ୟ ସରକାର କିଛି ପଦକ୍ଷେପ ନେଉଛନ୍ତି, ନା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଏସବୁ ମଧ୍ୟରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳଗୁନିକ ନିଜ ନିଜର ରାଜନୀତିକ ବୟାନବାଜି ଜାରି ରଖିଛନ୍ତି ।

କିଟ୍ ଘଟଣାକୁ ନେଇ ଦୋମୁହାଁ ରାଜନୀତି ବିଜେଡି କରୁଥିବାବେଳେ ଦଳର ବିଧାୟକ ସାରଦା ପ୍ରସନ୍ନ ଜେନା ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଟ୍ ଘଟଣାକୁ ଯଥାର୍ଥ ଭାବେ ପରିଚାଳନା କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ବାହାର ଦେଶର ଛାତ୍ରଛାତ୍ରୀମାନଙ୍କୁ ଭରସା ଦେବାରେ ବିଫଳ ହୋଇଛନ୍ତି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଫେରିବାକୁ ଆଗ୍ରହ ଦେଖାଉନାହାନ୍ତି । ଉଭୟ ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷ ମିଳିତ ଭାବେ ସେଠାରେ ଅଧ୍ୟୟନରତ ନେପାଳୀ ଛାତ୍ରଛାତ୍ରୀଙ୍କୁ ଭରସା ଦେଇ ସେମାନଙ୍କର କ୍ୟାରିୟର ଗଠନରେ ସହଯୋଗ କଲେ ଓଡ଼ିଶାର ସୁନାମ ହେବ । ଯେତେବେଳେ ଗୋଟିଏ ଦେଶର ନାଗରିକ ଅସୁରକ୍ଷିତ ହେବେ କିମ୍ବା ସେମାନଙ୍କ ସ୍ୱାର୍ଥହାନି ହେବ ସେ ଦେଶ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ । ନେପାଳ ମାନବାଧିକାର କମିଶନ ଚିଠି ଲେଖି ନ୍ୟାୟ ଦାବି କରିବା ପରେ ଜଣାପଡ଼ୁଛି ଯେ, କିଟ୍ ଘଟଣାରେ ସରକାର ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇ ନାହାନ୍ତି ।

ସେହିପରି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ମାହୋଲ ପ୍ରସ୍ତୁତ କରିବାର ଗୁରୁଦାୟିତ୍ୱ ସରକାରଙ୍କର । କିଟ୍ ବିଶ୍ୱରେ ଯାହା ନାଁ କରିଥିଲା ତାହା ମଳିନ ହୋଇଗଲା । ରାଜ୍ୟ ସରକାର ଗୁରୁତ୍ୱର ସହ ଘଟଣାକୁ ନେଲେନି । କେବଳ ଗଣମାଧ୍ୟମରେ ନେପାଳ ସରକାରଙ୍କ ସହ ଆଲୋଚନା ହେଲା ବୋଲି କହି ଚାଲିଛନ୍ତି । କିନ୍ତୁ ନିର୍ଯ୍ୟାସ କ’ଣ ମିଳୁଛି । ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ମଧ୍ୟ ଫଳପ୍ରଦ ହେଲାନାହିଁ । ନେପାଳୀ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯେଉଁମାନେ ନେପାଳ ଦେଶ ପ୍ରତି ହୀନମନ୍ତବ୍ୟ ଦେଇଥିଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲାନି । ତେଣୁ ପିଲାମାନେ କିଭଳି କାହାକୁ ଭରସା କରିବେ । ଆମର ନେପାଳ ସହ ଯେଉଁ ଭାଇଚାରା ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିଲା ତାକୁ ଏମାନେ ମଳିନ କରିଦେଲେ । ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ହେବ ଓ କ୍ୟାମ୍ପସରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।

ଅନ୍ୟପକ୍ଷରେ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି ଯେ, କିଟ୍ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାହାକୁ କ୍ଷମା କରାଯିବାର ପ୍ରଶ୍ନ ଉଠୁନାହିଁ । ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାମ କରୁଛନ୍ତି । ଜାତୀୟ ମାନବାଧିକାର ଆୟୋଗ ଯାହା ତଥ୍ୟ ମାଗିବେ ରାଜ୍ୟ ସରକାର ଦେବେ । ଉଚ୍ଚସ୍ତରୀୟ କମିଟି ବି ତନ୍ତ କରୁଛି । ନେପାଳ ସହ ସମ୍ପର୍କ କିଛି ଖରାପ ହେବ ନାହିଁ । ନେପାଳ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଆମ ସରକାର କାର୍ଯ୍ୟ କରୁଛନ୍ତି । ନେପାଳ ଛାତ୍ରଛାତ୍ରୀମାନେ ଓଡ଼ିଶା ଆସିବାକୁ ଅମଙ୍ଗ ହେଉଥିବା ଅଭିଯୋଗ ସତ ନୁହେଁ ।

Related story