/odisha-reporter/media/post_attachments/uploadimage/library/16_9/16_9_0/IMAGE_1748011828.jpg)
Bhubaneswar
ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଓ ଭିଡ଼ ହ୍ରାସ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ଭିଡ଼ ହ୍ରାସ ସହିତ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦେଇ ରାସ୍ତା ଓ ଫ୍ଲାଏଓଭର ଆଦି ନିର୍ମାଣ କରିବା ସହ ଏଥିଯୋଗୁ ବିସ୍ଥାପିତ ହେବାକୁ ଥିବା ମୋଟ ୩୬୬ଟି ପରିବାରକୁ ଆର୍ଥିକ ସହାୟତା ସରକାର ଯୋଗାଇ ଦେବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ ନିମନ୍ତେ ପୂର୍ତ୍ତ ବିଭାଗର ପ୍ରସ୍ତାବ ଓ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗୋଟିଏ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟାୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ଏବଂ କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକସରୁ ପଥରଗାଡ଼ିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫଟ୍ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି । ଏହାସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣ ପାର୍କରୁ ବରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି । ଏହାସହିତ ଏକ ଇନର୍ ରିଙ୍ଗ ରୋଡ୍ ମଧ୍ୟ ନିର୍ମାଣ କରାଯିବ । ଏହି ସମସ୍ତ ନିର୍ମାଣ ଦ୍ୱାରା ଭୁବନେଶ୍ୱରରେ ଦିନ ପ୍ରତିଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ଏବଂ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଥିଲେ । ଏସବୁ ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପ୍ରାୟ ୩୬୬ଟି ପରିବାରକୁ ଥଇଥାନ କରାଯିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ନଗର ଉନ୍ନୟନ ସଚିବ ଉଷା ପାଢୀ, ଅର୍ଥ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ସଚିବ ସଞ୍ଜୟ ସିଂ, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
