/odisha-reporter/media/post_attachments/uploadimage/library/16_9/16_9_0/Bus_1725548674.jpg)
Bus
ଓଡ଼ିଶାରେ ଚାଲିବ ସ୍ମାର୍ଟ ବସ୍। ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଏହି ବସ୍ରେ ରହିଛି ଅନେକ ସୁବିଧା। ଡ୍ରାଇଭର ମଦ ପିଇ ଏହି ବସ୍ ଚଲେଇବାକୁ ଚେଷ୍ଟା କଲେ ଅଟୋମେଟିକ ଷ୍ଟାର୍ଟ ବନ୍ଦ୍ ହୋଇଯିବ। କଟକକୁ ଆସିଛି ଏହି ନୂଆ ଭଲଭୋ ସ୍ମାର୍ଟ ବସ୍। ଆଉ କିଛି ଦିନ ପରେ ରାସ୍ତାରେ ଗଡ଼ିବ ଏହି ବସ୍।
୫୩ ସିଟ୍ ବିଶିଷ୍ଟ ଏହି ଭଲଭୋ 9600 B8R ବସ୍ ଆଣିଛି ପ୍ରଧାନ ବସ୍ ସର୍ଭିସ। ଏଥିରେ ରହିଛି ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ବସ୍ରେ ସମସ୍ତ ସିଟ୍ ପାଖରେ, ବସ ମଝିରେ ଏବଂ ଇଞ୍ଜିନରେ ସ୍ପ୍ରିଙ୍କଲର ଲାଗିଛି। ତା’ସହିତ ଲଗାଯାଇଛି CO2 ବା କାର୍ବନ ଡାଇଅକସାଇଡର ସ୍ପ୍ରିଂଙ୍କଲର। ବସ ତଳେ ଥିବା ଏକ ସ୍ୱତନ୍ତ୍ର ଚାମ୍ବରରେ ତିନୋଟି ବଡ଼ ସିଲିଣ୍ଡର ରହିଛି। ଏହି ସିଲିଣ୍ଡରଗୁଡ଼ିକରେ ଏକା ଥରେ ୧୦୦ ଲିଟର ପାଣି ସହ CO2 ବା କାର୍ବନ ଡାଇଅକ୍ସସାଇଡ ଗ୍ୟାସ ରଖିବାର କ୍ଷମତା ରହିଛି। ଦୁର୍ଘଟଣା ଘଟିଲେ ଏକାବେଳେ ଆପେ ଆପେ ଆଲାର୍ମ ବାଜିବା ସହ ପାଣି ଓ କାର୍ବନ ଡାଇଅକସାଇଡ ଗ୍ୟାସ ସମ୍ପୂର୍ଣ୍ଣ ବସକୁ ନିୟନ୍ତ୍ରଣ କରିବ। ଯାହା ଫଳରେ ବସରେ ଅଗ୍ନିକାଣ୍ଡ ହେଲେ ତୁରନ୍ତ ତାହା ନିୟନ୍ତ୍ରଣକୁ ଆସିପାରିବ।
ଯାତ୍ରୀ ପରିବହନ ସେବା କ୍ଷେତ୍ରରେ ସୁରକ୍ଷା ପାଇଁ ରାଜ୍ୟରେ ଏହି ବସ୍ ସର୍ଭିସ୍ ଆରମ୍ଭ ହୋଇଛି। ପ୍ରତ୍ୟେକ ସିଟ୍ ପାଖରେ ରହିଛି ଆଲାର୍ମ ସୁଇଚ। ବସ୍ ଭିତରେ ଯଦି କିଛି ଅଘଟଣ ଘଟେ, ତେବେ ତୁରନ୍ତ ଏହି ସୁଇଚ ଚିପିବା ମାତ୍ରେ ଏହାର ସୂଚନା ନିକଟସ୍ଥ ପୁଲିସ୍ ଷ୍ଟେସନ୍ରେ ଯାଇ ପହଞ୍ଚିବ। ଜିପିଆର ଏସ ଟ୍ରାକିଂ ଡିଭାଇସ୍ ମାଧ୍ୟମରେ ବସ୍ର ଲୋକେସନ ଟ୍ରାକ ହୋଇପାରିବ। ସେହିପରି ବସ୍ ଭିତରେ ରହିଛି ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା। ବସ୍ ଡ୍ରାଇଭର ଯଦି ମଦ୍ୟପାନ କରି ଗାଡ଼ି ଚଲାଇବାକୁ ଚେଷ୍ଟା କରନ୍ତି, ତା’ହେଲେ ଅଟୋମେଟିକ ଷ୍ଟାର୍ଟ ବନ୍ଦ୍ ହୋଇଯିବ। ଏକ ସ୍ୱତନ୍ତ୍ର ସେନସର ବସ୍ ଡ୍ରାଇଭର ମଦ ପିଇଛି କି ନାହିଁ ଡିଟେକ୍ଟ କରିପାରିବ। ସେହିପରି ବସ୍ ଭିତରେ ଯଦି କେହି ଧୂମପାନ କରନ୍ତି, ତେବେ ସ୍ମୋକ ଡିଟେକ୍ଟର ତାହା ଜାଣିନେବ ଓ ତୁରନ୍ତ ଆଲାର୍ମ ବାଜି ଉଠିବ। ଏତେ ସବୁ ସୁବିଧା ସତ୍ତ୍ୱେ ଭଡ଼ା ସରକାରଙ୍କ ଧାର୍ଯ୍ୟ ଦର ଅନୁସାରେ ନିଆଯିବ। ତା’ଠାରୁ ଅଧିକ ଭଡ଼ା ନିଆଯିବ ନାହିଁ।
ରିପୋର୍ଟ- କଟକରୁ ପ୍ରଭାତ ବିଷୋୟୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
