Advertisment

ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର

ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।

author-image
Ordigital Desk
ଅଦ୍ୟତନ ହୋଇଛି
PM Awas Yojana (Imaginary Image)

PM Awas Yojana (Imaginary Image)

ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର। ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାର ସର୍ଭେ ସମୟରେ ନିଜେ ତାଲିକାଭୁକ୍ତ ହୋଇପାରିବେ। ପ୍ରତ୍ୟେକ ଗାଁରେ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସଠିକ୍ ସର୍ଭେ ପାଇଁ ସମ୍ପୃକ୍ତ ବ୍ଲକ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯିବ।

Advertisment

ସବୁ ଯୋଗ୍ୟ ପରିବାର କିଭଳି ଘର ପାଇବେ ସେଥିପାଇଁ ମଧ୍ୟ ଆବାସ ଯୋଜନାର ସର୍ତ୍ତାବଳୀକୁ ମଧ୍ୟ ସରକାର କୋହଳ କରିଛନ୍ତି। ଏପରିକି ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତକାଲି ପ୍ରଥମଥର ପାଇଁ ପି.ଏମ୍ ଆବାସ ଯୋଜନାକୁ ନେଇ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ପଂଚାୟତିରାଜ ବିଭାଗ।

ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ପି.ଏମ୍ ଆବାସ ଯୋଜନାରେ ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇଚକିଆ ଯାନ, ଫ୍ରିଜ ଅବା ଲ୍ୟାଣ୍ଡଫୋନ୍ ଥିବା ପରିବାରକୁ ଆଉ ଅଯୋଗ୍ୟ ବିବେଚନା କରାଯିବ ନାହିଁ। ଏହାସହିତ ପରିବାରର ମାସିକ ଆୟର ସୀମା ୧୦ହଜାର ଟଙ୍କା ପରିବର୍ତ୍ତେ ୧୫ହଜାର ଟଙ୍କାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଗୃହ ମଞ୍ଜୁର କରିବାକୁ ସରକାର ନୂଆ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି।

Advertisment

ବିଜେଡି ସରକାର ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ପାତରଅନ୍ତର କରି ଗୃହ ଆବଂଟନ କରାଯିବା ଭଳି ଅଭିଯୋଗ ଉପରେ ରୋକ୍ ଲଗାଇବାକୁ ସରକାର ଏଥର ନୂଆ ଢଙ୍ଗରେ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ହେଉଥିବା ସର୍ଭେ ନୁହେଁ ବରଂ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ, ଯାହାର ଯୋଗ୍ୟତା ଯାଂଚ କରି ସରକାର ଘର ମଧ୍ୟ ମଞ୍ଜୁର କରିବାର ପ୍ରାବଧାନ ରଖିଛନ୍ତି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସର୍ଭେରୁ ବାଦ୍ ପଡ଼ିବା ଆଶଙ୍କା ମଧ୍ୟ ଦୂର ହୋଇଯିବ। ନିଜେ କିଭଳି ସର୍ଭେରେ ସାମିଲ ହେବେ ସେଥିପାଇଁ ସରକାର ମଧ୍ୟ ପ୍ରତ୍ୟେକ ପଂଚାୟତରେ କର୍ମଶାଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟର ସମସ୍ତ ପଂଚାୟତରେ ଡିସେମ୍ବର ୨ରୁ ୪ତାରିଖ ମଧ୍ୟରେ ୩ଦିନ ଧରି ଏହି କର୍ମଶାଳା ଆୟୋଜନ କରାଯିବ। ବ୍ଲକର ବିଡିଓ କର୍ମଶାଳା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ବହୁଳ ପ୍ରଚାର କରି ଅବଗତ କରାଇବେ। ଏହି କର୍ମଶାଳା ପାଇଁ ମଧ୍ୟ ଗତ ନଭେମ୍ବର ୧୮ତାରିଖରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବ୍ଲକସ୍ତରୀୟ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇ ସାରିଛି।

ଏଥର ଆବାସ ଘର ପାଇଁ ଯେଉଁ ନୂଆ ସର୍ଭେ ହେବ ତାକୁ ସଠିକ୍ ଓ ଉତ୍ତରଦାୟୀ କରିବା ନିମନ୍ତେ ରାଜ୍ୟ ସରକାର ଏଥର ପ୍ରତ୍ୟେକ ଗାଁର ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସର୍ଭେରେ କିଛି ବି ଅନିୟମିତତା କିମ୍ବା ଭୁଲ୍ ରହିଲେ ସମ୍ପୃକ୍ତ ବ୍ଲକ କର୍ମଚାରୀ ଉତ୍ତରଦାୟୀ ରହିବେ। ସେହି କର୍ମଚାରୀ ତାଙ୍କୁ ଆବଂଟିତ ଗାଁର ପ୍ରତ୍ୟେକ ସାହିକୁ ଯାଇ ଗୃହହୀନ ଓ କଚ୍ଚାଘରେ ରହୁଥିବା ସବୁ ପରିବାରକୁ ସର୍ଭେରେ ସାମିଲ କରିବେ। ସର୍ଭେ ସମୟରେ ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାରକୁ ତାଲିକାଭୁକ୍ତ କରାଯିବ। ପରେ ଯାଂଚ ସମୟରେ ଅଯୋଗ୍ୟ ପରବାରକୁ ବାଦ୍ ଦେଇ କେବଳ ଯୋଗ୍ୟ ପରିବାରକୁ ତାଲିକାଭୁକ୍ତ କରାଯିବ। ଯଦି ପରିବାରର ସଦସ୍ୟମାନେ ଭିନ୍ନ ହୋଇଥିବେ ସେମାନଙ୍କୁ ମଧ୍ୟ ଭିନ୍ନ ପରିବାରର ହିସାବରେ ଗଣନା କରାଯାଇ ସର୍ଭେରେ ସାମିଲ କରାଯିବ। ଯୋଗ୍ୟ ଭିନ୍ନକ୍ଷମ ସଦସ୍ୟ, ତୃତୀୟ ଲିଙ୍ଗୀ, ବିଧବା, ନିରାଶ୍ରୟ ଓ ମୁକ୍ତ ଗୋତିଶ୍ରମିକ ପରିବାରକୁ ଏଥିରେ ସାମିଲ ପାଇଁ ବିଡିଓ ନିଜେ ସ୍ୱତନ୍ତ୍ର ଧ୍ୟାନଦେବେ।

କେବଳ ସେତିକି ନୁହେଁ ସର୍ଭେ ସମୟରେ କ୍ଷେତ୍ର କର୍ମଚାରୀ ପରିବାରର ସଦସ୍ୟଙ୍କର ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ଆଧାର ନମ୍ବର, ଜବକାର୍ଡ ନମ୍ବର, ରୋଜଗାର ଆଦି ସଂକ୍ରାନ୍ତରେ ତଥ୍ୟ ପୂରଣ କରିବେ। ପିଏମଆବାସ-ଗ୍ରାମୀଣର ଗାଇଡଲାଇନରେ ଉଲ୍ଲେଖ ଥିବା ଅଯୋଗ୍ୟତାର କାରଣ ବାବଦରେ ପରିବାର ମୁଖ୍ୟଙ୍କଠୁ ତଥ୍ୟ ସଂଗ୍ରହ କରି ଆବାସ୍ ଆପରେ ଉଲ୍ଲେଖ କରିବେ। ପରିବାରର ମହିଳା ମୁଖ୍ୟ ହିଁ କେବଳ ପିଏମ୍ ଆବାସ ଗ୍ରାମୀଣର ହିତାଧିକାରୀ ଭାବେ ପରିଗଣିତ ହେବେ।

ପିଏମ୍ ଆବାସ-ଗ୍ରାମୀଣ ଅଧୀନରେ ସୁଦୃଢ଼ ତଥ୍ୟା ବନ୍ୟା-ବାତ୍ୟା ମୁକାବିଲା କରିବାଭଳି ଘର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅନେକ କିସମର ଗୃହର ନକ୍ସା ସମ୍ପର୍କରେ ବ୍ଲକ କର୍ମଚାରୀମାନେ ସର୍ଭେ ସମୟରେ ହିତାଧିକାରୀଙ୍କୁ ଦେଖାଇ ସେମାନଙ୍କର ପସନ୍ଦର ନକ୍ସା ଚୟନର ସୁଯୋଗ ଦେବେ। ଗୃହ ନିର୍ମାଣ ହେବାକୁ ଥିବା ଖାଲି ଜାଗାର ଫଟୋ ଉଠାଇ ସେହି ଜାଗାରେ ହିତାଧିକାରୀ ବାଛି ଥିବା ଘର ନକ୍ସାଟି ବାସ୍ତବରେ କିପରି ଦେଖାଯିବ ତାକୁ ପ୍ରଦର୍ଶନ କରାଇବେ।

ସର୍ଭେ ଆରମ୍ଭ ହେବାର ଏକମାସ ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଓ ହିତାଧିକାରୀଙ୍କ ଦ୍ୱାରା ପଞ୍ଜିକୃତ ପରିବାରଙ୍କ ନାଁକୁ ଗାଁୱାରି ପଂଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ। ପୁନର୍ବାର ୧୫ଦିନ ବ୍ୟବଧାନରେ ନୂଆ ଚିହ୍ନଟ ହୋଇଥିବା ପରିବାରର ତାଲିକା ପ୍ରଦର୍ଶନ କରାଯିବ। ଏହାଦ୍ୱାରା ତାଲିକାଭୁକ୍ତ ହୋଇଥିବା ପରିବାର ସମ୍ପର୍କରେ ଗାଁ ଲୋକେ ସୂଚନା ପାଇବା ସହ ବଳକା ରହିଯାଇଥିବା ଯୋଗ୍ୟ ହିତାଧିକାରୀ ନିଜ ଦ୍ୱାରା ଅବା ବ୍ଲକ ଅଧିକାରୀଙ୍କ ଦ୍ୱାରା ସର୍ଭେ ତାଲିକାଭୁକ୍ତ ହେବା ପାଇଁ ସୁଯୋଗ ପାଇପାରିବେ।

ସର୍ଭେ ଆରମ୍ଭ ହେବା ଦିନଠାରୁ ୨ମାସ ମଧ୍ୟରେ କାର୍ଯ୍ୟପ୍ରକ୍ରିୟା ଶେଷ କରିବାକୁ ବିଡିଓ ପଦକ୍ଷେପ ନେବେ। ଜିଲ୍ଲାପାଳ ଓ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଡି) ନିଜେ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଏହି ସର୍ଭେକୁ ତଦାରଖ କରିବେ। ଯେପରିକି କେହି ଯୋଗ୍ୟ ପରିବାର ସର୍ଭେରୁ ବାଦ୍ ପଡ଼ିବେ ନାହିଁ ତାହା ସୁନିଶ୍ଚିତ କରିବେ। ସର୍ଭେରେ ଥିବା ସମସ୍ତ ଯୋଗ୍ୟ ପରିବାରର ତାଲିକାକୁ ପଂଚାୟତ ଅଫିସ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ ଗାଁର ମୁଖ୍ୟ ସ୍ଥାନଗୁଡ଼ିକରେ ସାଧାରଣ ଲୋକଙ୍କ ଜାଣିବା ପାଇଁ ପ୍ରଦର୍ଶନ କରାଯିବ। ଯଦି କୌଣସି ଅଯୋଗ୍ୟ ବ୍ୟକ୍ତି ତାଲିକାରେ ଥିବେ ଲୋକେ ସେନେଇ ଟୋଲ ଫ୍ରି ନମ୍ବର, ଆରଏଚ୍ ପୋର୍ଟ ଅବା ପଂଚାୟତ ଓ ବ୍ଲକରେ ଥିବା ଅଭିଯୋଗ ବାକ୍ସରେ ଆପତ୍ତି ଉଠାଇ ପାରିବେ। ଯେଉଁ ଆପତ୍ତିକୁ ବ୍ଲକସ୍ତରୀୟ ୩ଜଣିଆ କମିଟି ମାଧ୍ୟମରେ ସରଜମିନ୍ ତଦନ୍ତ କରାଯିବ।

ରାଜ୍ୟ ପଂଚାୟତିରାଜ ସଚିବ ଏସଏନ୍ ଗିରିଶ ଗତକାଲି ସମସ୍ତ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ପଠାଇ ନୂଆ ସର୍ଭେ ସମ୍ପର୍କରେ ଅବଗତ କରାଇଛନ୍ତି। ଏପଟେ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆବାସ ଯୋଜନାରେ ନିଜ ଘର ପାଇଁ ସର୍ଭେ ନିଜେ ଲୋକେ କରିବେ। କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ। ପ୍ରକୃତ ହିତାଧିକାରୀ ହିଁ ଘର ପାଇବେ। ନିଜେ ଯୋଗ୍ୟ କି ନୁହେଁ ନିଜେ ସର୍ଭେ କରିବେ। ଏହାସହିତ ଡିସେମ୍ବର ମାସରେ ଗାଁ ଗାଁରେ କ୍ୟାମ୍ପ୍ କରାଯିବ ଓ ଲୋକେ ଏହି କର୍ମଶାଳାରେ ଯୋଗ ଦେବେ। ୨ମାସ ଭିତରେ ସର୍ଭେ କରାଯିବ ବୋଲି ସେ କହିଛନ୍ତି।

ପଂଚାୟତିରାଜ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୧୫ରୁ ୨୦ତାରିଖ ମଧ୍ୟରେ ଗାଁରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ଏହା ପ୍ରାୟ ୨ମାସ ଧରି ଚାଲିବ। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଗ୍ରାମସଭା ଡାକି ଏହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ ଦିଆଯିବ ଓ ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ୱାର୍କଅର୍ଡର ଜାରି କରାଯିବ। ବାକିଥିବା ସମସ୍ତେ ପ୍ରାୟ ଘରେ ପାଇବେ। ୨୦୧୬ ମସିହାରୁ ଏବେସୁଦ୍ଧା ରାଜ୍ୟରେ ମୋଟ ୨୮.୨୫ଲକ୍ଷ ପରିବାରକୁ ପିଏମ୍ ଆବାସ-ଗ୍ରାମୀଣରେ ଘର ବଂଟନ କରାଯାଇଛି ଓ ସେଥିରୁ ଏପର୍ଯ୍ୟନ୍ତ ୨୩ଲକ୍ଷ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଛି।

Pm Awas PM Awas New Terms PM Awas Yojana Survey