Advertisment

ନୂଆ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ କରୁଛି ଉଚ୍ଚଶିକ୍ଷା ବିଭାଗ

ଉତ୍କଳ, ରମାଦେବୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ସପ୍ତାହରେ ସରିବ। ନୂଆ କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି।

author-image
Ordigital Desk
ଅଦ୍ୟତନ ହୋଇଛି
RajBhavan, Odisha

RajBhavan, Odisha

ରାଜ୍ୟର ତିନି ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସପ୍ତାହରେ ସରିବ। କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ନକରି ପକାଇ ରଖିଛି। ଏହି ବିଳମ୍ବ ଯୋଗୁଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ପ୍ରାବଧାନ ଆଧାରରେ ଏବେ ଏସବୁ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତିଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ।

Advertisment

ଏପଟେ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃହତର ସ୍ୱାର୍ଥ ଦୃଷ୍ଟିରୁ ନୂଆ କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ(ରାଜଭବନ) ପକ୍ଷରୁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ ଗତ ୪ଦିନ ତଳେ, ଅର୍ଥାତ୍ ୮ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ପ୍ରାବଧାନ ଆଧାରରେ ନୂଆ କୁଳପତି ଚୟନ ପାଇଁ ଚୟନ କମିଟିର ସଂଯୋଜକ ଭାବେ ବିଜ୍ଞାପନ ଜାରି କରିବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠିରେ ଅନୁରୋଧ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ସ୍ତରରେ ଏହି ଚୟନ ପ୍ରକ୍ରିୟା ପଡ଼ି ରହିଥିବା ଚିଠିରେ କୁହାଯାଇଛି। ଚୟନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଏସବୁ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡ଼ିଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ପ୍ରାବଧାନ ଆଧାରରେ ‘ଇନଚାର୍ଜ କୁଳପତି’ ଦାୟିତ୍ୱ ତୁଲାଇବେ। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟ ଯଥା-ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତ ନଭେମ୍ବର ମାସ ଶେଷ ସପ୍ତାହରେ ସରିବ। ତତ୍କାଳୀନ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ଏହି ୩ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି ଦେଇଥିଲେ।

Utkal University Higher Education Department Governor Raghubar Das Odisha Governor Raj Bhawan New VC Appointment