Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ପିଲା ଜଳେଶ୍ୱରରୁ ଉଦ୍ଧାର

ଶନିବାର ସକାଳେ ପିଲାକୁ ଟିକା ଦିଆଯିବାର ଥିଲା। ତେଣୁ ମହିଳା ଜଣକ ଅନୀତାଙ୍କ ଶାଶୁଙ୍କ ସହିତ ମିଶି ପିଲାକୁ ଧରି ମେଡ଼ିକାଲ୍‌ କ୍ୟାମ୍ପସରେ ଥିବା ଶିଶୁ ଭବନକୁ ଯାଇଥିଲେ। ହେଲେ ମଝିରେ ଅନୀତାଙ୍କ ଶାଶୁଙ୍କୁ ଚକ୍‌ମା ଦେଇ ମହିଳା ଜଣକ ପିଲାକୁ ଧରି ଚମ୍ପଟ ମାରିଥିଲେ।

author-image
Manoranjan Sial
Medical

Medical

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପିଲା ଜଳେଶ୍ୱରରୁ ଉଦ୍ଧାର ହୋଇଛି। ଆଉ ଧରା ପଡ଼ିଛି ପିଲା ଚୁରୋଣୀ। ଏହି ମାମଲାରେ ପୁଲିସ୍‌ ଜଣେ ଆଶା କର୍ମୀ ଓ ପିଲା ଚୋରି କରିଥିବା ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବାଲିଆପାଳ କୁଲାଚଡ ଗାଁର ସୁରେନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ପିଲା ଜନ୍ମ ପରେ ମେଡ଼ିକାଲ୍‌ର ପ୍ରସୂତି ବିଭାଗ ୱାର୍ଡରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ଜଣେ ମହିଳା ୱାର୍ଡରେ ପଶି ଅନୀତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ବିନା ଅକୁହାରେ ପିଲାର ସେବା ଯତ୍ନ କରୁଥିଲେ।

ଶନିବାର ସକାଳେ ପିଲାକୁ ଟିକା ଦିଆଯିବାର ଥିଲା। ତେଣୁ ମହିଳା ଜଣକ ଅନୀତାଙ୍କ ଶାଶୁଙ୍କ ସହିତ ମିଶି ପିଲାକୁ ଧରି ମେଡ଼ିକାଲ୍‌ କ୍ୟାମ୍ପସରେ ଥିବା ଶିଶୁ ଭବନକୁ ଯାଇଥିଲେ। ହେଲେ ମଝିରେ ଅନୀତାଙ୍କ ଶାଶୁଙ୍କୁ ଚକ୍‌ମା ଦେଇ ମହିଳା ଜଣକ ପିଲାକୁ ଧରି ଚମ୍ପଟ ମାରିଥିଲେ। ଏ କଥା ଅନୀତା ଜାଣିବା ପରେ ତାଙ୍କ ଅଟକ ଗୁଡ଼ୁମ ହୋଇଯାଇଥିଲା। ଏନେଇ ସେ ମେଡ଼ିକାଲ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ୱାର୍ଡରେ କାର୍ଯ୍ୟରତ ଜଣେ ଆଶା କର୍ମୀଙ୍କ ଉପରେ ସେ ସନ୍ଦେହ କରୁଥିଲେ।

Advertisment

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରିଥିଲା। ପୁଲିସ୍‌ ପ୍ରଥମେ ଆଶା କର୍ମୀଙ୍କୁ ଅଟକ ରଖିବା ସହିତ ମେଡ଼ିକାଲ୍‌ ସିସିଟିଭି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ମହିଳାଙ୍କ ସମ୍ପର୍କରେ ପୂରା ସୂଚନା ପାଇଥିଲା। ତା’ପରେ ବାଲେଶ୍ୱର ଟାଉନ୍‌ର ଅଟୋ ଚାଳକଙ୍କ ସହଯୋଗରେ ପୁଲିସ୍‌ ଜଳେଶ୍ୱର ରାଜଘାଟରେ ପହଞ୍ଚି ଥିଲା। ସେଠାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା।

ପୁଲିସ୍‌ ଶିଶୁ ପୁତ୍ରକୁ ଉଦ୍ଧାର କରି ତା’ ମାଆଙ୍କୁ ହସ୍ତାନ୍ତର କରିଛି। ପିଲା ବର୍ତ୍ତମାନ ମେଡ଼ିକାଲ୍‌ ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହେଉଛି। ଏହି ମାମଲାରେ ଆଶା କର୍ମୀଙ୍କ ସମେତ ପିଲା ଚୋରି କରିଥିବା ମହିଳାଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏଥିରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଥିବା ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ମେଡ଼ିକାଲ୍‌ରେ ସିକ୍ୟୁରିଟି ଗାର୍ଡ଼ ମୁତୟନ ହୋଇଥିବା ବେଳେ ଜଣେ ଅଜଣା ମହିଳା ୱାର୍ଡ ଭିତରେ ପଶିଲେ କେମିତି? ସେପଟେ ୱାର୍ଡରେ ପଶିଲା ବେଳେ ମହିଳା ଜଣକ କାହିଁକି ଉପସ୍ଥାନରେ ଦସ୍ତଖତ କଲେ ନାହିଁ? ଏଥିରେ ଆଉ କିଛି ରାଜ ନାହିଁ ତ?

ରିପୋର୍ଟ-ବାଲେଶ୍ୱରରୁ ପ୍ରକାଶ ମହାନ୍ତି

Balasore