Advertisment

‘ଏନ୍‌ଏଚ୍‌ଏଆଇ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେଉ’

NH-୧୬ରେ ବ୍ରିଜ୍ ଭୁଶୁଡ଼ିଥିବା ଖବର ପାଇ ପହଞ୍ଚିଥିଲେ NHAI ପ୍ରକଳ୍ପ ନିର୍ଦ୍ଦେଶକ। ପ୍ରାଥମିକ ଅନୁଧ୍ୟାନରୁ ଏହା ନିର୍ମାଣଗତ ତ୍ରୁଟି ବୋଲି ସ୍ୱୀକାର କରିଥିଲେ।

author-image
Manoranjan Sial
Jajpur

NHAI

ଏନ୍‌ଏଚ୍‌ଏଆଇ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ସରକାରଙ୍କ ନିକଟରେ ଦାବି କଲା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ଆଜି ଏନ୍‌ଏଚ୍‌ଏଆଇରେ ବ୍ରିଜ୍‌ ଭୁଶୁଡିଲା। ତେଣୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବସ୍‌ ମାଲିକ ସଂଘ ଦାବି କରିଛି।

Advertisment

ଆଜି ସକାଳ ପ୍ରାୟ ୬ଟା ୧୫ କୋଲକାତା-ଚେନ୍ନାଇ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଏକ ବ୍ରିଜ୍‌ ଭୁଶୁଡି ପଡ଼ିଥିଲା। ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ଅତିକ୍ରମ କରିବା ମାତ୍ରେ ହଠାତ ଭୟାନକ ଶବ୍ଦ କରି ଧସି ଯାଇଥିଲା। ଶବ୍ଦ ଶୁଣି ଆଖପାଖ ଲୋକ ଧାଇଁ ଆସି କୋଲକାତା ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଓ ଯାଜପୁର ଆରଟିଓ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ି ଗୁଡ଼ିକୁ ଅନ୍ୟ ଏକ ବ୍ରିଜ ବାଟେ ଛାଡ଼ିଥିଲେ। ତେବେ ଏଠି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ରିଜ୍‌ଟି ଏମିତି ଭୁଶୁଡ଼ିଲା କାହିଁକି? ନିମ୍ନ ମାନର କାମ ନା ରକ୍ଷଣାବେକ୍ଷଣର ଅଭାବ? ଯେଉଁଠି ଇଂରେଜ ଅମଳର ଅନେକ ପୋଲ ଆଜି ପର୍ଯ୍ୟନ୍ତ ମଜଭୁତ୍ ସ୍ଥିତିରେ ଅଛି, ସେଠି ମାତ୍ର ୧୫ବର୍ଷର ତଳର ପୋଲ ଭୁଶୁଡ଼ିଲା କେମିତି?

Advertisment

NH-୧୬ରେ ବ୍ରିଜ୍ ଭୁଶୁଡ଼ିଥିବା ଖବର ପାଇ ପହଞ୍ଚିଥିଲେ NHAI ପ୍ରକଳ୍ପ ନିର୍ଦ୍ଦେଶକ। ପ୍ରାଥମିକ ଅନୁଧ୍ୟାନରୁ ଏହା ନିର୍ମାଣଗତ ତ୍ରୁଟି ବୋଲି ସ୍ୱୀକାର କରିଥିଲେ। ତେବେ ଯେଉଁ ବ୍ରିଜ ଅତିକମ୍‌ରେ ୫୦ ବର୍ଷ ଯିବା କଥା, ତାହା ୧୫ବର୍ଷରେ କମିତି ଭୁଶୁଡ଼ିଲା? ତାର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ। ସେପଟେ ପ୍ରାଥମିକ ତଦନ୍ତରୁ ହେଭି ଓଭର ଲୋଡିଂ ଗାଡ଼ି ପାଇଁ ବ୍ରିଜ ଭୁଶୁଡ଼ିଥିବା କହିଛନ୍ତି।

Jajpur NHAI