କିଟ୍ ବିବାଦ: ତଦନ୍ତ ନିର୍ଦ୍ଦେଶ ଦେଲେ ଏନଏଚଆରସି, କୋମାରେ ସରକାରଙ୍କ ଯାଂଚ କମିଟି, ଫେରିନାହାନ୍ତି ୭୦%ରୁ ଅଧିକ ଛାତ୍ରଛାତ୍ରୀ

ଏନଏଚଆରସିଙ୍କ ସରଜମିନ୍ ତଦନ୍ତ କିଟ୍ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି ।

KIIT

କିଟ୍‌ ବିଶ୍ୱବିଦ୍ୟାଳୟ

Ordigital Desk
  • Published: Tuesday, 04 March 2025
  • , Updated: 04 March 2025, 05:34 PM IST

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବା ଘଟଣାକୁ ୧୬ଦିନ ବିତିଲାଣି । କିନ୍ତୁ କେଉଁମାନଙ୍କ ଦୋଷତ୍ରୁଟି ଯୋଗୁ ଜଣେ ବିଦେଶୀ ମେଧାବୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲା, ହଜାରରୁ ଅଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ କାହିଁକି ହଷ୍ଟେଲରୁ ତଡ଼ି ଦିଆଗଲା ତାହା ଏବେବି ରହସ୍ୟ ଘେରରେ ରହିଛି । ବିଦେଶୀ ଛାତ୍ରଛାତ୍ରୀଙ୍କ ସହ ଅମାନବୀୟ ଅତ୍ୟାଚାର ଓ ମାରପିଟ୍ କରିବା ପଛର ରିଙ୍ଗମାଷ୍ଟରଙ୍କ ନିକଟରେ ପହଂଚିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନି । ଏପଟେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ରେଜିଷ୍ଟ୍ରାର(ଆଇନ)ଙ୍କୁ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରି ମାର୍ଚ୍ଚ ୧୦ତାରିଖ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କିଟ୍ ବିବାଦ ପରେ ଫେବୃୟାରୀ ୧୮ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ଯାଂଚ କମିଟିକୁ ଯାଂଚ ରିପୋର୍ଟ ଦାଖଲ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇନଥିବାରୁ ଏହି କମିଟି ଏବେ କୋମାକୁ ପଳାଇଛି । ଏସବୁ ମଧ୍ୟରେ ଆସନ୍ତା ୧୦ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟରେ ବିଦେଶୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆରମ୍ଭ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୭୦ପ୍ରତିଶତରୁ ଅଧିକ ନେପାଳୀ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିନଥିବା ଜଣାପଡ଼ିଛି । କିଟ୍ କର୍ତ୍ତୃପକ୍ଷଙ୍କ ହିଟଲରୀ ଶାସନ ଓ ଅମାନବୀୟ ଆଚରଣ ଯୋଗୁ ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ତତ୍କାଳ କାର୍ଯ୍ୟାନୁଷ୍ଠାନ କରିବାରେ ଫେଲ୍ ମାରିଛନ୍ତି । ଆଉ ଏବେ ଏନଏଚଆରସିଙ୍କ ସରଜମିନ୍ ତଦନ୍ତ କିଟ୍ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି ।

ଏନଏଚଆରସି ଦେଲେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କିଟ୍ ବିବାଦର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟଙ୍କ ଅବହେଳାରୁ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ନ୍ୟାୟ ଦାବିରେ ନେପାଳୀ ପ୍ରତିବାଦ କରୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଧମକ ଓ ମାରପିଟ୍ କରାଯିବା, କିସ୍ ବିଶ୍ୱବିଦ୍ୟାଳୟରେ ଆଦିବାସୀ ପିଲାମାନଙ୍କୁ ନିର୍ଯାତନା ଦିଆଯିବା,ମାନବାଧିକାରର ଉଲ୍ଲଘଂନ, ବେଆଇନ ଭାବେ ଜମି ଅଧିଗ୍ରହଣ ଆଦି ଘଟଣାରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ବରମୁଣ୍ଡା ଅଂଚଳର ବି.ଆଶୁତୋଷଙ୍କ ଲିଖିତ ଅଭିଯୋଗ ଉପରେ ଏନଏଚଆରସି ସୋମବାର(ମାର୍ଚ୍ଚ ୩)ରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରି ଆସନ୍ତା ୧୦ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଫେବୃୟାରୀ ୨୮ତାରିଖରେ ଡିଜି(ତଦନ୍ତ)ଙ୍କୁ ମାନବ ଅଧିକାର ସୁରକ୍ଷା ଆଇନ-୧୯୯୩ର ପ୍ରାବଧାନ ଆଧାରରେ ତଦନ୍ତ ୱିଙ୍ଗ ଓ ଆଇନ ଶାଖାର ଅଧିକାରୀମାନଙ୍କର ଏକ ଟିମକୁ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟକୁ ପଠାଇ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ରେଜିଷ୍ଟ୍ରାର(ଆଇନ)ଙ୍କୁ  ସରଜମିନ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସହ ଯାଂଚ ଶାଖାର ଦୁଇଜଣ ଅଫିସର (ଜଣେ ଏସଏସପି ପାହ୍ୟାରୁ କମ୍ ନୁହେଁ) ଓ ଆଇନ ଶାଖା ବିଭାଗର ଜଣେ ଅଫିସରଙ୍କୁ ନେଇ ଗଠିତ ଟିମ୍ ସହ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟକୁ ଯାଇ ସରଜମିନ୍ ତଦନ୍ତ କରି ମାର୍ଚ୍ଚ ୧୦ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଟି  ବୁଧବାର କିମ୍ବା ଗୁରୁବାର ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଏହି କମିଟି କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ସରଜମିନ୍ ତଦନ୍ତ କରିବା ସହ ନେପାଳୀ ଛାତ୍ରଛାତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଆବଶ୍ୟକ ପଡ଼ିଲେ ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

କୋମାରେ ରାଜ୍ୟ ସରକାରଙ୍କ ଯାଂଚ କମିଟି

କିଟ୍ କର୍ତ୍ତୃପକ୍ଷଙ୍କ ଅମାନବୀୟ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା । ନେପାଳ ସହ ରାମାୟଣ ଯୁଗରୁ ଥିବା ଭାରତର ସମ୍ପର୍କରେ ବି କଳାଦାଗ ଲାଗିଲା । କିନ୍ତୁ ଏସବୁ ସତ୍ତ୍ୱେ କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ଆନ୍ତରିକତା ଦେଖାଇଲେ ନାହିଁ । କେବଳ ଫେବୃୟାରୀ ୧୬-୧୭ତାରିଖ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କ ଅମାନୁଷିକ କାର୍ଯ୍ୟକୁ ନେଇ ସର୍ବସାଧାରଣରେ ତୀବ୍ର ଆକ୍ରୋଶକୁ ଦେଖି ରାଜ୍ୟ ସରକାର ଫେବୃୟାରୀ ୧୮ତାରିଖରେ ଏକ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରିଦେଇ ଚୁପ୍ ହୋଇ ବସିଯାଇଛନ୍ତି । ଗୃହସଚିବ ସତ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ୩ଜଣିଆ କମିଟି କେବେ ସୁଦ୍ଧା ତାଙ୍କ ରିପୋର୍ଟ ଦାଖଲ କରିବେ ସେନେଇ ସରକାର କୌଣସି ଧାର୍ଯ୍ୟ ସମୟସୀମା ଦେଲେନି । ଆଉ କମିଟି ମଧ୍ୟ ‘କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି’ ଯାଂଚ ସମାପ୍ତ କରି ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ଆଗ୍ରହ ଦେଖାଇନାହାନ୍ତି କିମ୍ବା ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ ଅଗ୍ରଗତି ହୋଇଛି ସେସଂକ୍ରାନ୍ତ ତଥ୍ୟକୁ ବି ସାର୍ବଜନୀନ କଲେ ନାହିଁ । କିଟ୍ କ୍ୟାମ୍ପସଠୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ରାଜନୀତିକ ଦଳଗୁଡ଼ିକ ହୋ-ହାଲ୍ଲା କଲେ, ବିଜେପି ବିଧାୟକମାନେ କଡ଼ା ଭାଷାରେ ସମାଲୋଚନା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ । ମାତ୍ର ଏବେ ସମସ୍ତେ ନିରବି ଯାଇଛନ୍ତି ।  ଆଉ କିଟ୍ କର୍ତ୍ତୃପକ୍ଷ ମଧ୍ୟ ନିଜର ପୁରୁଣା ଅଭିଜ୍ଞତା ଆଧାରରେ ‘ମ୍ୟାନେଜ୍‌’ କରିବା କସରତରେ ମଧ୍ୟ ସଫଳ ହୋଇଥିବା ଭଳି ଚର୍ଚ୍ଚା ହେଉଛି ।

ଏବେବି ଫେରିନାହାନ୍ତି ୭୦୦ରୁ ଊର୍ଦ୍ଧ୍ୱ ନେପାଳୀ ଛାତ୍ରଛାତ୍ରୀ

କିଟ୍ କର୍ତ୍ତୃପକ୍ଷଙ୍କ ସବୁ ପ୍ରୟାସ ପରେ ମଧ୍ୟ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିବାକୁ ସାହାସ ଜୁଟାଇ ପାରୁନଥିବା ଜଣାପଡ଼ିଛି । କିଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଫେରିବା ପାଇଁ ଏୟାର ଟିକେଟଠୁ ଆରମ୍ଭ କରି ସବୁପ୍ରକାରର ପ୍ରଲୋଭନ ଦିଆଯାଉଥିଲେ ମଧ୍ୟ ନେପାଳୀ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟକୁ ପଠାଇବାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଦେଶୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେଉଛି । ଅନ୍ୟ ପାଠ୍ୟକ୍ରମର ପିଲାମାନଙ୍କ ପରୀକ୍ଷା ମଧ୍ୟ ଆରମ୍ଭ ହୋଇସାରିଲାଣି । କିନ୍ତୁ ଫେବୃୟାରୀ ୧୭ତାରିଖରେ ହଷ୍ଟେଲରୁ ମାଡ଼ମାରି ବଳପୂର୍ବକ ଯେଉଁ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ବିଦା କରାଯାଇଥିଲା ସେମାନଙ୍କ ମଧ୍ୟରୁ ଏବେବି ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶା ଫେରିନାହାନ୍ତି । ସୂତ୍ର ଅନୁସାରେ, କିଟ୍ ବିଶ୍ୱବିଦ୍ୟାଳୟରେ ମୋଟ ୧୧୬୯ଜଣ ନେପାଳୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଏବେ କ୍ୟାମ୍ପସକୁ ମାତ୍ର ପ୍ରାୟ ସର୍ବାଧିକ ୪୦୦ରୁ ୪୫୦ଜଣ ଛାତ୍ରଛାତ୍ରୀ ଫେରିଥିବା କୁହାଯାଉଛି । ଏହି ନେପାଳୀ ପିଲାମାନଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସୁରକ୍ଷିତ ଓ ନିରାପଦ କ୍ୟାମ୍ପସ ସୁନିଶ୍ଚିତ କରାଇବାରେ ଉଭୟ କିଟ୍ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ପୁଲିସର ଉପସ୍ଥିତିରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ମାଡ଼ ମାରି ବିଦା କରାଯିବା ଓ  ୨ମହିଳା ଅଧିକାରୀ ମଞ୍ଜୁଳା ପାଣ୍ଡେ ଓ ଜୟନ୍ତୀ ନାଥଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ପିଲାମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇପାରୁନାହିଁ । ଏପରିକି ନେପାଳ ବିଦେଶ ମନ୍ତ୍ରୀ ଡକ୍ଟର ଆରଜୁ ରାଣା ଦେଉବା କିଟ୍ ଘଟଣାରେ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଚାକିରିରୁ ହଟାଇବା ପାଇଁ ଦାବି କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନାହିଁ । କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ପ୍ରକୃତି ଲମସଲଙ୍କର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଏବେବି ରହସ୍ୟଘେରରେ ରହିଛି ।

Related story