Advertisment

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର?

୧୯୭୮ ମସିହା ପରଠୁ ଆଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇନି। ଯାହାକୁ ନେଇ ଢେର ତମ୍ବି ତୋଫାନ୍ ଚାଲିଛି। ଏମିତିକି ବିଜେଡି ସରକାର ଅମଳରେ ଜଷ୍ଟିସ୍‌ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟି ମଧ୍ୟ ଗଢ଼ା ଯାଇଛି।

author-image
Manoranjan Sial
Jagannath Temple Puri

Jagannath Temple Puri

କେବେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର? ରଥଯାତ୍ରା ଭିତରେ ନା ରଥଯାତ୍ରା ସରିବା ପରେ? ତାକୁ ନେଇ ଚର୍ଚ୍ଚା ଯେତିକି ଦ୍ୱନ୍ଦ୍ୱ ସେତିକି। ଗୋଟିଏ ପଟେ ରତ୍ନଭଣ୍ଡାର ଭିତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବାରମ୍ବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା କହି ଆସୁଥିବା ବେଳେ ଏହାର ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦେଉଛି। ତେବେ ଯଦି ରତ୍ନଭଣ୍ଡାର ଖୋଲାଯାଏ ତା’ହେଲେ ଖାଲି ମରାମତି ହେବ ନା ଦୁର୍ମୂଲ୍ୟ ଅଳଙ୍କାର ସବୁର ଗଣତି ଓ ମଣତି ହେବ। ସେ ନେଇ କିଛି ସ୍ପଷ୍ଟତା ଆସୁନଥିବାରୁ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଉଛି।

Advertisment

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଛତିଶା ନିଯୋଗର ମଧ୍ୟ ପରାମର୍ଶ ନିଆଯିବା ଜରୁରୀ। ହେଲେ ଅଦ୍ୟାବଧି ଛତିଶା ନିଯୋଗରେ ଏ ପ୍ରସଙ୍ଗରେ ପଦୁଟିଏ ଆଲୋଚନା ହୋଇନାହିଁ ବୋଲି ସଫା ସଫା କହିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗ ସଭାପତି। ତା’ସହ ସେ କହିଛନ୍ତି, ଛତିଶା ନିଯୋଗରେ ଆଲୋଚନା ପରେ ଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ତା’ପରେ ଭଣ୍ଡାର ଘର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏପଟେ ରତ୍ନଭଣ୍ଡାର ମରାମତି ପୂର୍ବରୁ ତା’ ଭିତରେ ଥିବା ଅଳଙ୍କାର ଭର୍ତ୍ତି ସିନ୍ଦୁକ ସବୁକୁ ଆଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଯିବା ଦରକାର ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି, ବିନା ଅଳଙ୍କାର ଗଣତିରେ ସିନ୍ଦୁକ ସ୍ଥାନାନ୍ତର ଅସମ୍ଭବ। ଏଥିଲାଗି ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ।

ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ବୁଧବାର ଏଏସଆଇ ସୁପରିଟେଣ୍ଟେଣ୍ଟ ଆର୍କିଓଲୋଜିଷ୍ଟଙ୍କ ପକ୍ଷରୁ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପରେ ତାକୁ ବିଭ୍ରାନ୍ତିକର ବୋଲି ଆଇନମନ୍ତ୍ରୀ ଦର୍ଶାଇବା ନେଇ ତେଜିଛି ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି।

Advertisment

ଆଇନମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇ ରାଜ୍ୟ ସରକାର ପ୍ରକ୍ରିୟା ଚଳାଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପରେ ଯାଇ ଏ ସମ୍ପର୍କରେ ସ୍ପଷ୍ଟତା ଆସିବ।

୧୯୭୮ ମସିହା ପରଠୁ ଆଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇନି। ଯାହାକୁ ନେଇ ଢେର ତମ୍ବି ତୋଫାନ୍ ଚାଲିଛି। ଏମିତିକି ବିଜେଡି ସରକାର ଅମଳରେ ଜଷ୍ଟିସ୍‌ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟି ମଧ୍ୟ ଗଢ଼ା ଯାଇଛି। ଯାହାର ଦୁଇ ଥର ବୈଠକ ସରିଛି। ୟା ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାରକୁ ନିର୍ବାଚନୀ ଏଜେଣ୍ଡାରେ ରଖି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ, କେତେ ଶୀଘ୍ର ଖୋଲୁଛି ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାର, ଏବେ ତାକୁ ଅପେକ୍ଷା।

Puri Shreemandir Puri