Advertisment

ରତ୍ନଭଣ୍ଡାର ଖୋଲାଯିବା ଘଟଣାରେ ନୂଆ ଟ୍ୱିଷ୍ଟ: ମନ୍ତ୍ରୀ କହିଲେ- ଖୋଲିବା ନେଇ ନିଷ୍ପତ୍ତି ହୋଇନି

ସନ୍ଧ୍ୟା ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଥିବା ବୟାନ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେବେ ରତ୍ନଭଣ୍ଡାର ଖୋଲାଯିବ, ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଆଇନ ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Puri

Puri

Advertisment

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ତାର ଆସନ୍ତା ୮ ତାରିଖରେ ଖୋଲାଯିବ ବୋଲି ମଧ୍ୟାହ୍ନ ସମୟରେ ଏଏସ୍‌ଆଇର ଜଣେ ଅଧିକାରୀ କହିଥିଲେ। ଏହାକୁ ନେଇ ପୂରା ରାଜ୍ୟରେ ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

Advertisment

କିନ୍ତୁ ସନ୍ଧ୍ୟା ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଥିବା ବୟାନ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେବେ ରତ୍ନଭଣ୍ଡାର ଖୋଲାଯିବ, ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଆଇନ ମନ୍ତ୍ରୀ କହିଛନ୍ତି।

ରତ୍ନଭଣ୍ଡାର ୮ ତାରିଖରେ ଖୋଲିବାକୁ ଯାଉଥିବା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏ ସଂପର୍କରେ ଛତିଶା ନିଯୋଗ ବୈଠକରେ କିଛି ବି ନିଷ୍ପତ୍ତି ହୋଇନି। ଜଣେ ASI ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କେବଳ ଭ୍ରାନ୍ତି ସୃଷ୍ଟି କରିଛନ୍ତି।

Advertisment

ଅଧିକାରୀ ଜଣଙ୍କ ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂପୃକ୍ତ ASI ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କେବେ ରତ୍ନଭଣ୍ଡାର ଖୋଲାଯିବ, ତା’ଉପରେ ପ୍ରଥମେ ତର୍ଜମା କରାଯିବ। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ସୁଦ୍ଧା ରତ୍ନଭଣ୍ତାର ଖୋଲିବା ନେଇ କୌଣସି ପ୍ରକାରର ନିଷ୍ପତ୍ତି ହୋଇନାହିଁ। କେବେ ଖୋଲାଯିବ ଓ କଣ ହେବ, ସରକାର ସେନେଇ ନିଷ୍ପତ୍ତି ନେବେ। ସରକାର ଏ ସଂପର୍କରେ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ରହିଛନ୍ତି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

ଆଗାମୀ ରଥଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ASI ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡି.ବି. ଗଡ଼ନାୟକ ସୂଚନା ଦେଇଥିଲେ। ସେ କହିଥିଲେ ଯେ କୋର୍ କମିଟି ଓ ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି।

ଯେହେତୁ ଗତ ନଭେମ୍ବରରେ ଲେଜର ସ୍କାନିଂ ରିପୋର୍ଟରେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥରେ ଫାଟ ଥିବା ଜଣାପଡିଥିଲା, ତେଣୁ ଭଣ୍ଡାର ଘର ଭିତରେ ପାଣି ପଶୁଥିବା ଆଶଙ୍କା ସୃଷ୍ଟି ହୋଇଛି। ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ତା’ର ମରାମତି କରାଯିବ। ଏଏସଆଇ ସୁପରିଟେଣ୍ଟଣ୍ଟଙ୍କ ଏ ସୂଚନା ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯାଇ ପାରିବ ବୋଲି ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା।

ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଥିଲେ, ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ପୂର୍ବ ସରକାର ଅମଳରେ ନିଷ୍ପତ୍ତି ହୋଇଥିଲା।

ଏମିତିକି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ମଧ୍ୟ ଗଠନ ହୋଇସାରିଛି। ଉକ୍ତ କମିଟିର ଖୁବଶୀଘ୍ର ଆଉ ଥରେ ବୈଠକ ବସିବ, ସେଠୁ ଯାହା ପରାମର୍ଶ ଆସିବ ସେ ଅନୁଯାୟୀ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏହାକୁ ନେଇ ବିଭିନ୍ନ ପ୍ରକାରର ଆକଳନ ଓ ଚର୍ଚ୍ଚା ଚାଲିଥିବା ବେଳଆ ଆଇନ ମନ୍ତ୍ରୀ ହରିଚନ୍ଦନଙ୍କ ବୟାନ ସବୁ କିଛି ଓଲପାଲଟ କରିଦେଇଛି। ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Odisha Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe