ରାଜ୍ୟ ସରକାର ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ଆଉ ୬ମାସ ବୃଦ୍ଧି କରିଛନ୍ତି । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଏହି ଆନ୍ଦୋଳନ ଉପରେ କଟକଣା ଲାଗୁ କରିଛନ୍ତି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନଙ୍କ(ଡ୍ରାଇଭର ଓ ଆଟେଣ୍ଡାଣ୍ଟ) ସମେତ ରେଫରାଲ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ ସର୍ଭିସରେ କାର୍ଯ୍ୟରତ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର ଗତ ମେ’ ୨୪ତାରିଖରେ ଜାରି କରିଥିବା କଟକଣାର ଅବଧି ନଭେମ୍ବର ୨୩ତାରିଖ ଶେଷ ହେବ । ଏବେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସ୍ୱାସ୍ଥ୍ୟସେବା ପ୍ରଭାବିତ ନହେବା ପାଇଁ ରାଜ୍ୟ ସରକାର ପୁଣିଥରେ ନିଜର କ୍ଷମତାର ଉପଯୋଗ କରି ଏହି ଆନ୍ଦୋଳନ ଉପରେ ଥିବା କଟକଣାକୁ ଆଉ ୬ମାସ ବୃଦ୍ଧି କରିଛନ୍ତି ।
ଓଡ଼ିଶା ଅତ୍ୟାବଶ୍ୟକ ସେବା(ମେଂଟେନାନ୍ସ) ଆକ୍ଟ-୧୯୮୮(ଓଡ଼ିଶା ଆକ୍ଟ ୯,୧୯୯୯) -ଏସମାର ଧାରା ୩(୩)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଏହି କଟକଣା ଅବଧିକୁ ନଭେମ୍ବର ୨୪ତାରିଖରୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବଧି ମଧ୍ୟରେ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନେ କୌଣସି ପ୍ରକାରର ଧର୍ମଘଟ ଓ ଆନ୍ଦୋଳନ କରିପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ, ଚଳିତମାସ ପ୍ରଥମ ସପ୍ତାହରେ ଆମ୍ବୁଲାନ୍ସ କର୍ମଚାରୀମାନେ ସେମାନଙ୍କର ୨୦୦ ସହଯୋଗୀଙ୍କ ଛଟେଇକୁ ବିରୋଧ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ ।