Advertisment

ଶ୍ରାବଣରେ ଜମି ଫାଟି ଆଁ, ମୁଖ୍ୟ ଶାସନ ସଚିବ କହିଲେ ଆମେ ଜାଣିଛୁ; କୃଷି ବିଶେଷଜ୍ଞ ଦେଲେ ପରାମର୍ଶ

ଏମିତି ସ୍ଥିତିରେ ସ୍ୱଳ୍ପ ମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି।

ଅଦ୍ୟତନ ହୋଇଛି
Farmer

Farmer

Advertisment

ଶ୍ରାବଣରେ ଜମି ଫାଟି ଆଁ କରିଛି। ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ପାଖାପାଖି ୪୦ ପ୍ରତିଶତ ଜମିରେ ଏଯାଏଁ ଆରମ୍ଭ ହୋଇପାରିନି ଧାନ ଚାଷ। ଯେଉଁଠି ବି ତଳି ଉଠିଛି ହଳଦିଆ ପଡ଼ିଲାଣି। ଏମିତି ସ୍ଥିତିରେ ସ୍ୱଳ୍ପ ମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।

Advertisment

ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷା ପୁଅ। ମାଟି ଫାଟି ଆଁ କଲାଣି। ଧାନ ବିଲରେ ଗଜା ମରୁଡ଼ି ସ୍ଥିତି। ବର୍ଷା ଟିକେ ପାଇଁ ବିଲ ହିଡ଼ରେ ଆକାଶର ଭସା ବାଦଲକୁ ଅନେଇ ରହିଛି ଚାଷୀ ବାପୁଡ଼ା। କ’ଣ ହେବ ଆଗକୁ, କିଛି କୂଳ କିନାରା ପାଉନି।

ପ୍ରଥମ ଚିତ୍ର ସମ୍ବଲପୁର ଜମନକିରା ବ୍ଲକ ଭୋଜପୁର ଅଞ୍ଚଳରୁ ଅସିଛି। ଏଠାରେ ୧୫ ଦିନ ହେଲା ବର୍ଷାର ଦେଖା ନାହିଁ। ପାଣି ଅଭାବରୁ ଗଜା ଗଛ ସବୁ ହଳଦିଆ ହୋଇ ମରିବାକୁ ବସିଲାଣି। ଅନ୍ୟ ଚିତ୍ରଟି ସୁନ୍ଦରଗଡ଼ କୋଇଡ଼ା ବ୍ଲକରୁ ଆସିଛି। ଏଠାରେ ନିଅଣ୍ଟିଆ ବର୍ଷା ଯୋଗୁ କେଉଁଠି ଚାଷ ଜମି ପଡ଼ିଆ ପଡ଼ିଛି ତ’ ଆଉ କେଉଁଠି ଗଜା ମରୁଡ଼ି ସ୍ଥିତି। ପ୍ରଥମ ବର୍ଷା ପରେ ଋଣ କରି ବିଲରେ ବୁଣିଥିବା ବିହନ ନଷ୍ଟ ହୋଇଯାଇଥିବାରୁ ଆସନ୍ନ ମରୁଡ଼ି ଚିନ୍ତାରେ ବ୍ଲକର ୧୫ ପଞ୍ଚାୟତର ଚାଷୀକୂଳ। କେବଳ ଏ ଦୁଇ ଅଂଚଳ ନୁହେଁ, ବରଗଡ଼ରୁ ନୂଆପଡ଼ା ଯାଏଁ ସବୁଠି ଚାଷର ବିକଳ ଚିତ୍ର।

Advertisment

ଓୟୁଏଟି କୃଷି ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ଜୁନ ପହିଲାରୁ ଜୁଲାଇ ୧୦ ତାରିଖ ସୁଦ୍ଧା ରାଜ୍ୟରେ ୨୨୧ ମିଲିଲିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩୨.୨ ପ୍ରତିଶତ କମ୍। ଦେବଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୮ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ହୋଇଛି ୫୦ ପ୍ରତିଶତରୁ କମ୍ ବର୍ଷା। କଳାହାଣ୍ଡିରେ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୫୬ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୫ ପ୍ରତିଶତ, ନବରଙ୍ଗପୁର ଓ ପୁରୀରେ ୫୪ ପ୍ରତିଶତ କମ୍ ବର୍ଷା ହୋଇଛି।

ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବାରୁ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ତୁଷାର ମହାନ୍ତି ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ୩୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ତେଣୁ ଚାଷୀମାନେ ବିଳମ୍ୱ କିସମ ଧାନ ଚାଷ ନକରି ସହଳ କିସମ ଧାନ ଚାଷ କରନ୍ତୁ। ଢିପ ସ୍ଥାନରେ ଧାନ ଫସଲ ନ କରି ଅଣଧାନ ଫସଲ କରନ୍ତୁ। ଏହି ନୀତି ଅପଣାଲେ ଆଗକୁ ବିଳମ୍ୱରେ ବର୍ଷା ହେଲେ ମଧ୍ୟ ଚାଷୀକୁ ବିଶେଷ କିଛି କ୍ଷତି ହେବନି।

କୃଷି ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହେବା କଥା। ହେଲେ ହୋଇଛି ମାତ୍ର ୬ ଲକ୍ଷ ୨୫ ହଜାର ହେକ୍ଟର ଜମିରେ। ସେହିଭଳି ଏ ସମୟ ସୁଦ୍ଧା ଯେଉଁଠି ୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ସେଠି ମାତ୍ର ୬୦ ପ୍ରତିଶତ ବା ୩ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଆରମ୍ଭ ହୋଇପାରିଛି ।

ମୌସୁମୀ ବିଳମ୍ବ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷା ଥିବା କଥାକୁ କୃଷି ନିର୍ଦ୍ଦେଶକ ସ୍ୱୀକାର କରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ସ୍ଥିତି ଚିନ୍ତାଜନକ ନଥିବା କହିଛନ୍ତି। ସେପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଏବେ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ଆସିନି। ସରକାର ଚାଷ ସ୍ଥିତି ଉପରେ ନଜର ରଖିଛନ୍ତି। ଆବଶ୍ୟକତା ଅନୁସାରେ ଉଚିତ ସମୟରେ ପଦକ୍ଷେପ ନିଆଯିବ।

କୃଷି ନିର୍ଦ୍ଦେଶକ ଡକ୍ଟର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ବର୍ଷା ବିଳମ୍ୱିତ ହେଉଛି। ମାତ୍ର ଚାଷୀ ଧାନ ବିହିନ କିଣି ନେଉଛନ୍ତି। ବର୍ଷା ନହେଲେ କେନାଲ ଜରିଆରେ ପାଣି ଯୋଗାଇ ଦିଆଗଲେ ଚାଷରେ ବିଶେଷ ପ୍ରଭାବ ପଡ଼ିବନି। ଚାଷ କାମ ସୁରୁଖୁରୁରେ ହୋଇପାରିବ।

Odisha Farmers Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe