/odisha-reporter/media/post_attachments/uploadimage/library/16_9/16_9_0/Patato_1722179008.jpg)
Patato
ଯୋଗାଣ ମନ୍ତ୍ରୀଙ୍କ ତାଗିଦ ସତ୍ତ୍ୱେ ମଧ୍ୟ ଖସୁନି ଆଳୁ ଦର। ଖାଉଟିମାନେ କେଉଁଟି ୫୦ ତ ଆ କେଉଁଠି ୭୦ ଟଙ୍କା ଦେଇ ଆଳୁ କିଣୁଛନ୍ତି। ଦର ବୃଦ୍ଧିକୁ ନେଇ ଖାଉଟି ଏବେ ଚିନ୍ତାରେ ରହିଛନ୍ତି।
ପଶ୍ଚିମବଙ୍ଗରୁ ଆଳୁ ବୋଝେଇ ଟ୍ରକ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ। ଏଭଳି ସ୍ଥିତିରେ ଆଳୁ କେଜି ପିଛା ୩୨ ଟଙ୍କାରେ ବିକ୍ରି ପାଇଁ ମନ୍ତ୍ରୀଙ୍କ ତାଗିଦ୍ କରିଥିଲେ ହେଁ ଏହାକୁ ମାନିବାକୁ ନାରାଜ୍ ଖୁଚୁରା ବ୍ୟବସାୟୀ।
ବର୍ତ୍ତମାନ ରାଜବ୍ୟାପି ଆଳୁ ହଲଚଲ୍। ଦର ଶୁଣି ହଲକ ଶୁଖିଯାଉଛି। କୁତ୍ରିମ ଅଭାବ ଯୋଗୁ ଖାଉଟି କଲବଲ ହେଉଛନ୍ତି। ପ୍ରାୟ ୪ ଦିନ ହୋଇଗଲାଣି ସ୍ୱାଭାବିକ ସ୍ଥିତିକୁ ଫେରିପାରୁନି ଆଳୁର ଦାମ୍। କେଉଁଠି ବିକ୍ରି ହେଉଛି ୪୦ ଉପରେ ତ ଆଉ କେଉଁଠି ୫୦। ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁରରେ ଆଳଚ କେଜି ପିଛା ୪୫ ଟଙ୍କା ରହିଛି।
କଟକ ଛତ୍ର ବଜାରରେ ସର୍ବାଧିକ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ବର୍ଦ୍ଧିତ ଦରକୁ ନେଇ କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତାଗିଦ ସତ୍ତ୍ୱେ କେଉଁଠି ବି ଆଳୁ ୩୨ ଟଙ୍କାରେ ମିଳୁନି।
ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ଯେହେତୁ ସେମାନେ ପୂର୍ବରୁ ଚଢ଼ା ଦରରେ ଆଳୁ କିଣି ସାରିଛନ୍ତି, ସେହି କ୍ଷତିର ଭରଣା ଦେବ କିଏ? କେବଳ ଏତିକି ନୁହେଁ, ପଶ୍ଚିବଙ୍ଗରୁ ଓଡ଼ିଶାକୁ ଆଳୁ ପରିବହନ ଏଯାଏ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି। ଫଳରେ ବ୍ୟବସାୟୀମାନେ ଚାନ୍ଦା ଦେଇ ଓ ବିଭିନ୍ନ ଗଳାବାଟ ଦେଇ ଆଳୁ ଆଣୁଛନ୍ତି।
ଜଳେଶ୍ୱରର ହଳଦୀହତା ଗାଁର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅତ୍ୟନ୍ତ ସରୁ ରାସ୍ତାରେ ଟ୍ରକରେ ଆଳୁ ପରିବହନ କରାଯାଉଛି। ଉକ୍ତ ରାସ୍ତା ରାସ୍ତା ଦେଇ ସାଇକେଲ, ବାଇକ ଆଉ ଟ୍ରକରେ ଆଳୁ ଅଣାଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।
ସେହିପରି ଭୁବନେଶ୍ୱର ଆଇଗିଣିଆ ଆଳୁଗଦିକୁ ପଶ୍ଚିମବଙ୍ଗରୁ ଆସିଛି ୨୩ଟି ଆଳୁ ଗାଡ଼ି। କୁହାଯାଉଛି, ଏହି ଆଳୁ ଆସନ୍ତା ୩ ଦିନ ଯାଏ ଭୁବନେଶ୍ୱରବାସୀଙ୍କ ଆବଶ୍ୟକତା ପୂରଣ କରିବ। ସେହିପରି କଟକ ଛତ୍ରବଜାରରେ ମଧ୍ୟ ପଡ଼ୋଶୀ ରାଜ୍ୟରୁ ଆଳୁ ପହଞ୍ଚିଛି। ତେଣୁ ଆଜିକାଲି ଭିତରେ ଦର ଆହୁରି ଖସିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।
ସେପଟେ ମନ୍ତବ୍ୟକୁ ଦୋହରାଇ ୩୨ ଟଙ୍କାରେ ଆଳୁ ବିକ୍ରି କରୁ ନଥିବା ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିସହ ସେ ଆଶ୍ୱସନା ଦେଇ କହିଛନ୍ତି ଯେ ଏବେ ରାଜ୍ୟକୁ ଆଳୁ ଆସିବାରେ ଲାଗିଛି। ଖୁବଶୀଘ୍ର ସବୁ କିଛି ସ୍ୱାଭାବିକ ହୋଇଯିବ।
ରାଜ୍ୟରେ ଆଳୁ ସ୍ଥିତିକୁ ନେଇ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏପରି କି ଉଭୟ ରାଜ୍ୟର ପ୍ରଶାସନିକ ସ୍ତରରେ ମଧ୍ୟ କଥାବାର୍ତ୍ତା ଚାଲିଛି। ତେଣୁ ଆଳୁର କୃତ୍ରିମ ଅଭାବ ସ୍ଥିତି କେବେ ଦୂର ହେଉଛି, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
