Advertisment

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

author-image
Debadatta Aryashrestha
Shree Mandir Ratna Bhandar (Symbolic Image)

Shree Mandir Ratna Bhandar (Symbolic Image)

ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ ଆଉ ଆଜି ଆଇନମନ୍ତ୍ରୀ ପୂରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୪୫ ପୃଷ୍ଠା ସମ୍ୱଳିତ ଜିପିଆରଏସ୍ ସର୍ଭେ ରିପୋର୍ଟ, ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ସାମ୍ନାକୁ ଆସିଛି ଏ ତଥ୍ୟ। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ଫିଟିଛି। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଗତ ସେପ୍ଟମ୍ବର ୨୧ ଓ ୨୨ ଦୁଇଦିନ ଧରି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ହୋଇଥିଲା। ଦୁଇ ମାସ ପରେ ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଯେଉଁଥିରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ କି ଅଧିକ କୋଠରୀ ନଥିବା ସ୍ପଷ୍ଟ କରାଯାଇଛି। ତେଣୁ ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଭିତରେ ଧାତବ ଦ୍ରବ୍ୟ ଥିବାର ଯେଉଁ ପରିକଳ୍ପନା ଥିଲା, ସେମିତି କିଛି ବି ନାହିଁ। ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି ସହ ଗଣତି ମଣତି କାମ ସାରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଆଗେ ଭଣ୍ଡାରଗୃହ ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ତା ଭିତରକୁ ଯିବ। ତାପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି କରାଯିବ।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ। ଏମିତିକି ବଳି ପାତାଳ ମନ୍ଦିରରୁ ସୁଡଙ୍ଗ ସନ୍ଦେହକୁ କାହିଁକି ଗୁରୁତ୍ୱ ଦିଆନଯାଇ ଲେଜର ସ୍କାନିଂ କରାହେଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଜିପିଆର ସର୍ଭେ ରିପୋର୍ଟରେ କି ତଥ୍ୟ ଆସିଛି ତାକୁ ସାର୍ବଜନୀନ କରିବାକୁ ବି ଦାବି କରିଛନ୍ତି। ସେପଟେ ଏଏସଆଇ ସୁପରିଟେଣ୍ଡଣ୍ଟ ଆର୍କିଓଲୋଜିଷ୍ଟ ମଧ୍ୟ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ନଥିବା କହିଥିବାବେଳେ ଏହାର ପଶ୍ଚିମ ଓ ପୂର୍ବପଟ କାନ୍ଥରେ କ୍ରାକ୍ ସହ ଚଟାଣ ମରାମତି ଦରକାର ବୋଲି କହିଛନ୍ତି। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ସହମତିରେ ଯେଉଁ ତାରିଖ ଆସିବ, ସେମାନେ ତୁରନ୍ତ ମରାମତି କାମ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଗୋଟିଏ ପଟେ ଏଯାଏଁ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ଗଠନ ହୋଇନଥିବାବେଳେ ଅନ୍ୟପଟେ ଆଗକୁ ଆସୁଛି ଡିସେମ୍ବର ଓ ଜାନୁଆରୀ ଟୁରିଜିମ୍ ମାସ। ତେଣୁ ଏ ସମୟରେ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଭିତରେ କେତେ ସୁବିଧାରେ ରତ୍ନଭଣ୍ଡାର ମରାମତି ହେବ, ତାକୁ ନେଇ ବି ଉଠିଛି ପ୍ରଶ୍ନ।

Puri Ratna Bhandar Jagannath Temple Shree Mandira Prithviraj Harichandan