Advertisment

ଟେଣ୍ଡର ପରେ ଟେଣ୍ଡର ଡ଼କା ଯାଉଛି: ହେଲେ ମା’ ତାରିଣୀଙ୍କ ନଡ଼ିଆ କେହି କିଣୁନାହାନ୍ତି

ଚଳିତ ବର୍ଷ ଜିତେନ୍ଦ୍ର ନାରାୟଣ ଜେନା ନଡିଆ ଗୋଟା ପ୍ରତି ୪ ଟଙ୍କା ୬୫ ପଇସାରେ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ କିଛି ମାସ ପରେ ସମସ୍ୟା ଦେଖାଦେବାରୁ ସେ ଟେଣ୍ଡରରୁ ଓହରି ଯାଇଥିଲେ।

Maa Tarani

Maa Tarani

Advertisment

ଟେଣ୍ଡର ପରେ ଟେଣ୍ଡର ଡକା ଯାଉଛି। ହେଲେ ମା’ ତାରିଣୀଙ୍କ ନଡ଼ିଆ କେହି କିଣିବାକୁ ରାଜି ହେଉନାହାନ୍ତି। ଯେଉଁଥିପାଇଁ ଖୋଲା ବଜାରରେ ବିକ୍ରି ହେଉଛି ମା’ ତାରିଣୀଙ୍କ ମାନସିକ ନଡ଼ିଆ। ଯିଏ ଯେତେବେଳେ ଚାହିଁଲେ, କମ୍‌ ଦାମରେ ମନ୍ଦିର ପ୍ରଶାସନଠାରୁ ନଡ଼ିଆ କିଣି ନେଉଛନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ଘଟଗାଁ ତାରିଣୀ। ମା’ଙ୍କ ପାଖକୁ ନଡିଆଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ରାତି ପାହିଲେ ମା’ଙ୍କ ପୀଠକୁ ହଜାର ହଜାର ନଡିଆ ପହଞ୍ଚିଥାଏ। ଆସୁଥିବା ମାନସିକ ନଡିଆ ମା' ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆର ଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ।

ଚଳିତ ବର୍ଷ ଜିତେନ୍ଦ୍ର ନାରାୟଣ ଜେନା ନଡିଆ ଗୋଟା ପ୍ରତି ୪ ଟଙ୍କା ୬୫ ପଇସାରେ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିଲେ। ହେଲେ କିଛି ମାସ ପରେ ସମସ୍ୟା ଦେଖାଦେବାରୁ ସେ ଟେଣ୍ଡରରୁ ଓହରି ଯାଇଥିଲେ। ତା’ପରଠୁ ମାନସିକ ନଡ଼ିଆ ନେବା ପାଇଁ ୪ ଥର ଟେଣ୍ଡର ଡ଼କାଗଲାଣି। ହେଲେ ଏଥିରେ କେହି ଅଂଶ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ଏବେ ଗୋଦାମରେ ନଡ଼ିଆ ସଂଖ୍ୟା ୧୧ ଲକ୍ଷ ପାର କରିଛି।

Advertisment

କିଛି ଦିନ ତଳେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ପଇସାରେ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ। ପୁଣି ନଡ଼ିଆ ଗୋଟାକୁ ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ଯେଉଁଠି ୩ ଟଙ୍କା ୭୦ ପଇସାରେ କିଣିବାକୁ କେହି ରାଜି ହୋଇନଥିଲେ। ଏବେ ଲୋକେ କିପରି ୪ ଟଙ୍କା ୬୦ ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ୧୦ ରୁ ୧୫ ହଜାର ମାନସିକ ନଡିଆ ମା’ଙ୍କ ମନ୍ଦିରକୁ ଆସିଥାଏ। ଏବେ ନଡିଆ ସଂଖ୍ୟା ୧୧ ଲକ୍ଷ ଡେଇଁଲାଣି। ତୁରନ୍ତ ନିଲାମ ନହେଲେ ଏସବୁ ଗୋଦାମ ଗୃହରେ ପଡି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଯାହାକି ଭକ୍ତଙ୍କ ଭାବନା ଓ ବିଶ୍ୱାସ ପ୍ରତି ବଡ଼ କୁଠାରଘାତ ହେବ ବୋଲି ମତପ୍ରକାଶ ପାଇଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe