/odisha-reporter/media/post_attachments/uploadimage/library/16_9/16_9_0/IMAGE_1697615483.jpg)
lok seva bhawan
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅବସରରେ ରାଜ୍ୟରେ ଆଉ ୨୧ଟି ନୂଆ ଏନଏସି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିବାର ୨୪ଘଣ୍ଟା ଭିତରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨ଟି ନୂଆ ଏନଏସି ଗଠନ ନିମନ୍ତେ ଚିଠା ବିଜ୍ଞପ୍ତି ଜାରି ହୋଇଛି । ୭ଟି ଜିଲ୍ଲାରେ ଏହି ୧୨ଟି ନୂଆ ଏନଏସି(ବିଜ୍ଞାପିତ ଅଂଚଳ ପରିଷଦ) ଗଠନ ହେବ ।
ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଘୋଷଣା କରିଥିବା ୩୪ଟି ନୂଆ ଏନଏସି ତାଲିକା ମଧ୍ୟରୁ ମାତ୍ର ୬ଟିକୁ ଏହି ଚିଠା ବିଜ୍ଞପ୍ତିରେ ସାମିଲ କରାଯାଇଥିବାବେଳେ ବାକି ୬ଟିକୁ ମୋହନ ସରକାର ନିଜ ଆଡ଼ୁ ସାମିଲ କରିଥିବା ଜଣାପଡ଼ିଛି । ତେବେ ନବୀନ ସରକାର ୨୦୨୪ ଫେବୃୟାରୀ ୨୪ତାରିଖରେ ଘୋଷଣା କରିଥିବା ନୂଆ ଏନଏଏସି ଓ ୫ଟି ଏନଏସିକୁ ପୌର ପରିଷଦକୁ ଉନ୍ନୀତ କରିବା ନିଷ୍ପତ୍ତି ଏବେ କେଉଁସ୍ତରରେ ରହିଛି ତଥା କାହିଁକି ସରକାର ସେସବୁ ଅଂଚଳର ଦାବି ପ୍ରତି ଦୃଷ୍ଟି ଦେଇନାହାନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।
ସୂଚନା ଅନୁସାରେ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟରେ ଆଉ ୧୨ଟି ନୂଆ ଏନଏସି ଗଠନ ନିମନ୍ତେ ଚିଠା ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି । ୭ଟି ଜିଲ୍ଲା ଯଥା- ପାଲଲହଡ଼ା (ଅନୁଗୁଳ), ବୀରମହାରାଜପୁର (ସୁବର୍ଣ୍ଣପୁର), ସିମୁଳିଆ, ବସ୍ତା ଓ ବେତନଟୀ (ବାଲେଶ୍ୱର), ବାଙ୍ଗିରିପୋଷି ଓ ଚିତ୍ରଡ଼ା (ମୟୂରଭଞ୍ଜ) , ବିଷମକଟକ (ରାୟଗଡ଼ା) , ବାମରା ଓ ରେଙ୍ଗାଲି (ସମ୍ବଲପୁର) , ତିହିଡ଼ି ଓ ଧୂଷୁରୀ (ଭଦ୍ରକ) ରହିଛି । ଏହିସବୁ ଅଂଚଳକୁ ଏନଏସି ଘୋଷଣା କରି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି ।
ଅନ୍ୟପକ୍ଷରେ ପୂର୍ବ ବିଜେଡି ସରକାର ୨୦୨୪ ଫେବୃଆରୀ ୨୪ରେ ଯେଉଁ ୩୪ଟି ନୂଆ ଏନଏଏସି ଘୋଷଣା କରିଥିଲେ ସେଥିରୁ ପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟୀ ଏବଂ ବିଷମକଟକକୁ ଏନଏସି ମାନ୍ୟତା ଦେବା ନିମନ୍ତେ ବିଜେପି ସରକାର ଆଜି ଜାରି ୧୨ଟି ନୂଆ ଏନଏସି ଚିଠା ବିଜ୍ଞପ୍ତିରେ ସାମିଲ କରିଛନ୍ତି । ମାତ୍ର ବାମରା, ରେଙ୍ଗାଲି, ତିହିଡ଼ି, ଧୂଷୁରୀ, ବାଙ୍ଗିରିପୋଷି ଏବଂ ଚିତ୍ରଡ଼ାକୁ ଏନଏସି ମାନ୍ୟତା ଦେବା ପାଇଁ ମୋହନ ମାଝୀଙ୍କ ସରକାର ନିଜଆଡ଼ୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯଦିଓ ଏହି ୬ଟି ଅଂଚଳକୁ ଏନଏସି ମାନ୍ୟତା ଦେବା ନିଷ୍ପତ୍ତି ପୂର୍ବ ସରକାର ନେଇନଥିଲେ ।
ସୂଚନାଯୋଗ୍ୟ, ୨୦୨୪ ମସିହା ଫେବୃଆରୀ ୨୪ ତାରିଖରେ, ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଏବଂ ୪ ଜିଲ୍ଲାରେ ୫ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏବେ ଚିଠା ବିଜ୍ଞପ୍ତି କେବଳ ୧୨ଟି ଏନଏସି ପାଇଁ ଜାରି ହୋଇଛି,ଯେଉଁଥିରେ ୬ଟି ସମ୍ପୂର୍ଣ୍ଣ ନୂଆ (ପୂର୍ବ ତାଲିକାରେ ନଥିଲା) । ତେବେ ନବୀନ ସରକାରର ୩୪ଟି ପ୍ରସ୍ତାବିତ ନୂଆ ଏନଏସିରୁ ମାତ୍ର ୬ଟିକୁ ସାମିଲ କରିଥିବା ମୋହନ ସରକାର ବାକି ୨୮ଟି ଏନଏସି ଗଠନ ଓ ୫ଟି ଏନଏସିକୁ ପୌର ପରିଷଦକୁ ଉନ୍ନୀତିକରଣ ଦିଗରେ କି ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
