ରାଜ୍ୟର ବିଜେପି ସରକାର ଓଡ଼ିଆ ଭାଷାରେ ସରକାରୀ ନଥିପତ୍ର କାର୍ଯ୍ୟ କରିବା ପାଇଁ କଡ଼ା ଆଭିମୁଖ୍ୟ ପୋଷଣ କରିବାପରେ ଏବେ ସରକାରୀସ୍ତରରେ ତତ୍ପରତା ଦେଖାଦେଇଛି । ଏଣିକି ଥାନା, ଗ୍ରାମପଂଚାୟତ, ପଂଚାୟତ ସମିତି(ବ୍ଲକ), ଜିଲ୍ଲା ପରିଷଦ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ନଥିପତ୍ର(ଫାଇଲ) କାର୍ଯ୍ୟ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ପଂଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ରାଜ୍ୟ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ମଧ୍ୟ ସମସ୍ତ ପୁଲିସ ଏସପି ଓ ପୁଲିସ ପ୍ରତିଷ୍ଠାନର ମୁଖ୍ୟଙ୍କୁ ସରକାରୀ ନଥିକାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ରାଜ୍ୟ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ଜୁଲାଇ ୩୧ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସମସ୍ତ ନଥି କାର୍ଯ୍ୟ ଓଡ଼ିଆରେ ସମ୍ପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ତେଣୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ତ ସମସ୍ତ ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ଲୋହାନୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଏହାକୁ ଅତ୍ୟନ୍ତ ଜୁରୀ ବୋଲି ବିବେଚନା କରିବାକୁ ମଧ୍ୟ କହିଛନ୍ତି ।
ସେହିପରି ଗତକାଲି ଓଡ଼ିଶା ପୁଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି ଆର.କେ.ଶର୍ମା ସମସ୍ତ ପୁଲିସ ଜିଲ୍ଲା ଏସପି ଓ ପୁଲିସ ପ୍ରତିଷ୍ଠାନ ମୁଖ୍ୟଙ୍କୁ ଚିଠି ଲେଖି ଏଣିକି ସମସ୍ତ ସରକାରୀ ନଥି କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରି ତତସଂକ୍ରାନ୍ତ ଏକ ଅନୁପାଳନ ରିପୋର୍ଟ ଗୃହ ବିଭାଗକୁ ପଠାଇବାକୁ କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅନୁପାଳନ ରିପୋର୍ଟ ମାଗିବା ପରେ ବିଭାଗୱାରି ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।