ଏନଆରଜିଏସ୍ ଯୋଜନାରେ ଲୋକଙ୍କ ବଦଳରେ ମେସିନ୍ କାର୍ଯ୍ୟ କରୁଛି । ଏହି ସରକାରୀ ପାଣ୍ଠିକୁ ଦୁରୂପଯୋଗ କରିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମୁଖ୍ୟ ସାଧନ ପାଲଟିଛି । ଯାହାକି ଏମଜିଏନଆରଜିଏସ୍ ଆଇନର ମୂଳ ଉଦ୍ଦେଶ୍ୟକୁ ଧ୍ୱଂସ କରିବାରେ ଲାଗିଛି । ଏଭଳି ଢଙ୍ଗରେ ବିଭାଗୀୟ ସମୀକ୍ଷା ବୈଠକରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ଆଉ ମନ୍ତ୍ରୀଙ୍କ ଏପରି ଉଦବେଗ ପରେ ବିଭାଗର ଚେତା ପଶିଛି ଓ ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ(ପିଡି)ଙ୍କୁ ଚିଠି ଲେଖି ଏନଆରଜିଏସ୍ ଯୋଜନାରେ ଲୋକଙ୍କ ବଦଳରେ ମେସିନ୍ର ଉପଯୋଗ କରାଯିବା ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ।
ପଂଚାୟତିରାଜ ବିଭାଗର ସଚିବ ଏନଏସ ଗିରିଶ ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ମନରେଗା ଯୋଜନାରେ କାମ ଚାହୁଁଥିବା ଶ୍ରମିକଙ୍କୁ ପର୍ଯ୍ୟାପ୍ତ ପରିମାଣର କାମ ଯୋଗାଇବାକୁ ସୁନିଶ୍ଚିତ କରିବା ସହ ଲୋକଙ୍କ ବଦଳରେ ମେସିନ୍ ଉପଯୋଗ ଉପରେ କଟକଣା ଜାରି କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ମାଷ୍ଟର ସର୍କୁଲାରର ଆନେକ୍ସ-୨ରେ ଯେଉଁସବୁ କାର୍ଯ୍ୟ ପାଇଁ ଯେତିକି ପରିମାଣର ମେସିନ୍ ଉପଯୋଗ କରିବାକୁ କୁହାଯାଇଛି ତାହା କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ଶ୍ରୀ ଗିରିଶ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଏହାସହିତ ନଭେମ୍ବର ୨୮ତାରିଖରେ ବିଭାଗର ସମୀକ୍ଷା ବୈଠକବେଳେ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କିଭଳି ଲୋକଙ୍କ ବଦଳରେ ମେସିନ୍ କାର୍ଯ୍ୟ କରୁଛି ଓ ଅସାଧୁ କର୍ମଚାରୀଙ୍କ ପାଇଁ ମନରେଗା ପାଣ୍ଠି କିପରି ଅର୍ଥ ଉପାର୍ଜନର ମାଧ୍ୟମ ହୋଇଛି ତାହା ଉଲ୍ଲେଖ କରି ଉଦବେଗ ବ୍ୟକ୍ତ କରିଥିବା ନେଇ ମଧ୍ୟ ଶ୍ରୀ ଗିରିଶ ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି । ତେଣୁ ବିଭାଗ ପକ୍ଷରୁ ମନରେଗା କାର୍ଯ୍ୟ ନିମନ୍ତେ ସାନି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରୋଗ୍ରାମ ଅଫିସର ଓ କ୍ଷେତ୍ର କର୍ମଚାରୀମାନେ ଯେଭଳି ବିଭାଗର ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ମନରେଗା ଯୋଜନାର ପ୍ରକଳ୍ପରେ ମଣିଷ ବଦଳରେ ମେସିନ୍ ଉପଯୋଗ କରାଯିବ ନାହିଁ । କେବଳ ବାର୍ଷିକ ମାଷ୍ଟର ସର୍କୁଲାର ୨୦୨୪-୨୫ରେ ଉଲ୍ଲେଖ ଥିବା ମାନଦଣ୍ଡ ଆଧାରରେ ପ୍ରକଳ୍ପ କାର୍ଯ୍ୟରେ ମେସିନ୍ ଉପଯୋଗ ହୋଇପାରିବ ।
ପଂଚାୟତ ଓ ଗାଁସ୍ତରରେ ଯଥାର୍ଥ ପରିମାଣର ପ୍ରକଳ୍ପକୁ ଅନୁମୋଦନ କରାଇ ବର୍ଷତମାମ କାମ ଚାହୁଁଥିବା ଲୋକଙ୍କୁ କାମ ଦେବାକୁ କୁହାଯାଇଛି । ଅଣକୁଶଳୀ ଶ୍ରମିକମାନେ ଯିଏ ସ୍ୱଇଚ୍ଛାରେ ଶାରୀରିକ ଭାବେ ଶ୍ରମ କରିବେ ତାଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଭାବେ ‘ରୋଜଗାର ଦିବସ’ କରି ଲୋକଙ୍କ କାମ ଆବଶ୍ୟକତାର ରେକର୍ଡ ରଖିବା ସହ ସେହି ଶ୍ରମିକମାନଙ୍କର ଅଭିଯୋଗର ସମାଧାନ ମଧ୍ୟ କରିବାକୁ କୁହାଯାଇଛି । ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ ଓ ପରିଚାଳନା ପାଇଁ ବରିଷ୍ଠ ଅଫିସରମାନଙ୍କୁ ଫିଲଡକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବା ଏନଚଆରଜିଏସ କାର୍ଯ୍ୟ ଯଥା ଏନଆରଏମ୍ ,ଜଳଛାୟା ମିଶନ, ବୃକ୍ଷରୋପଣ ଓ ଜଳସଂରକ୍ଷଣ ପାଇଁ ମନରେଗାରେ ହେଉଥିବା ପ୍ରକଳ୍ପ କାର୍ଯ୍ୟର ତଦାରଖ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଫିସର କରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏସବୁରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଗିରିଶ ଜିଲ୍ଲାପାଳମାନଙ୍କୁ ସୂଚାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜେଡି ଶାସନକାଳରେ ମନରେଗା ପ୍ରକଳ୍ପ କାର୍ଯ୍ୟରେ ମନଇଚ୍ଛା ଦୁର୍ନୀତିର ଅଭିଯୋଗ ଆସୁଥିଲା । ବ୍ଲକଗୁଡ଼ିକରେ ମନରେଗା ଯୋଜନାରେ ୨୫ରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ହେଉଥିଲା ଓ ଲୋକଙ୍କ ବଦଳରେ ମେସିନ୍ ଦ୍ୱାରା କାର୍ଯ୍ୟ ସମ୍ପାଦିତର ପୁଳାପୁଳା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟୁଥିଲା ।