“ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ରି ଦିନିକିଆ ମ୍ୟାଚ ବେଳେ ଫ୍ଲଡ ଳାଇଟ୍ ନଜଳିବା ଏକ ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି ଥିଲା । ଏହି ତ୍ରୁଟିକୁ ନେଇ ଆଇସିସି, ବିସିସିଆଇ, ମ୍ୟାଚ୍ ଅଧିକାରୀ, ଖେଳାଳୀ କେହି କୌଣସି ଆପତ୍ତି-ଅଭିଯୋଗ କରିନାହାନ୍ତି । କେବଳ ବ୍ୟାକଅପ୍ ଜେନେରେଟରକୁ କାର୍ଯ୍ୟକ୍ଷମ କରିବାରେ କିଛି ସମୟ ବିଳମ୍ବ ହୋଇଥିଲା । କିନ୍ତୁ ସମ୍ପୃକ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା ।” ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ କାରଣଦର୍ଶାଅ ନୋଟିସର ଜବାବ ରଖିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) । ଆଉ ସେଦିନର ଘଟଣାକୁ ନେଇ ଯେଉଁ ଅସୁବିଧା ହୋଇଛି ସେଥିପାଇଁ ଦୁଃଖ ବ୍ୟକ୍ତ କରିବା ସହ ଓସିଏ ଦ୍ୱାରା କୌଣସି ତ୍ରୁଟି ହୋଇନଥିବା ପରୋକ୍ଷରେ ସୂଚାଇ ଦେଇଛି ।
ମ୍ୟାଚ ପାଇଁ ଷ୍ଟାଡିୟମରେ ଥିବା ଜେନେରରେଟର ବ୍ୟବସ୍ଥାର ତଦାରଖ ଓ ପ୍ରମାଣପତ୍ର ମଧ୍ୟ ରାଜ୍ୟ ଶକ୍ତି ବିଭାଗ ଦେଇଥିଲା ବୋଲି କହି ଓସିଏ ପରୋକ୍ଷରେ ଏହି ବୈଷୟିକ ତ୍ରୁଟି ନିମନ୍ତେ ଶକ୍ତି ବିଭାଗ ଆଡ଼କୁ ଦୋଷ ଠେଲିବାକୁ ପ୍ରୟାସ କରିଛି । ଅବଶ୍ୟ ଭବିଷ୍ୟତରେ ଏଭଳି ତ୍ରୁଟିର ପୁନରାବୃତ୍ତି ନହେବା ପାଇଁ ଓସିଏ ପ୍ରତିବଦ୍ଧ ବୋଲି କହି ଷ୍ଟାଡ଼ିୟମରେ ବ୍ୟାକଅପ୍ ସିଷ୍ଟମକୁ ଷ୍ଟାଣ୍ଡବାଏ ସିଷ୍ଟମରେ ଅପଗ୍ରେଡ୍ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସରକାରଙ୍କୁ ଅବଗତ କରାଇଛି । ଏଣିକି ଷ୍ଟାଡ଼ିୟମରେ ୮ଟି ପ୍ରାଥମିକ ଜେନେରେଟର ଓ ୮ଟି ଷ୍ଟାଣ୍ଡବାଏ ଜେନେରେଟର ରହିବ । ଯାହାକି ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିବ ।
ତେବେ ପରିଚାଳନାଗତ ତ୍ରୁଟି ଭାରତ-ଇଂଲଣ୍ଡ ମ୍ୟାଚ ଫ୍ଲଡଲାଇଟ୍ ପାଇଁ ବାଧାପ୍ରାପ୍ତ ହେବା ନେଇ ସମଗ୍ର ବିଶ୍ୱରେ ଓଡ଼ିଶାକୁ ଯେଉଁ ନିନ୍ଦିତ ହେବାକୁ ପଡ଼ିଲା ସେସମ୍ପର୍କରେ ଓସିଏ ନିରବ ରହିଛି । ଏହାକୁ ଯାନ୍ତ୍ରିକ ତ୍ରୁଟି କହି ଓସିଏ ନିଜ ଦୋଷ ଛଡ଼ାଇବାକୁ ଯଥାସମ୍ଭବ ଉଦ୍ୟମ କରିଛି ଓ ରାଜ୍ୟ ଶକ୍ତି ବିଭାଗର ଭୂମିକା ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠାଇଛି । ‘ଓଡ଼ିଶା ରିପୋର୍ଟର’କୁ ମିଳିଥିବା ଓସିଏ ସିଇଓ ସୁବ୍ରତ କୁମାର ବେହେରାଙ୍କ ଦୁଇପୃଷ୍ଟା ବିଶିଷ୍ଟ ସ୍ପଷ୍ଟୀକରଣରୁ ଏଭଳି ସନ୍ଦେଶ ମିଳିଛି ।
ସରକାରଙ୍କ କାରଣଦର୍ଶାଅ- ଓସିଏର ନିଜ ପ୍ରଶଂସା
ବାରବାଟୀ ଷ୍ଟାଡ଼ିୟମରେ ଫେବୃୟାରୀ ୯ତାରିଖରେ ଭାରତ-ଇଂଲଣ୍ଡ ଦିବାରାତ୍ରି ମ୍ୟାଚରେ ଫ୍ଲଡ୍ ଲାଇଟ୍ ନଜଳିବା ଯୋଗୁ ଅଧଘଣ୍ଟାରୁ ଅଧିକ ସମୟ ଧରି ମ୍ୟାଚ୍ ବନ୍ଦ ରହିବା ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା । ଓସିଏର ପରିଚାଳନାଗତ ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା ହେବାକୁ ପଡ଼ିଲା । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବାପରେ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଫେବୃୟାରୀ ୧୦ତାରିଖରେ ଓସିଏକୁ କାରଣଦର୍ଶାଅ ନୋଟିସ୍ ଜାରି କରି ୧୦ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ । ଓସିଏ ମଧ୍ୟ ଧାର୍ଯ୍ୟ ସମୟସୀମା ପୂର୍ବରୁ ଫେବୃୟାରୀ ୧୯ତାରିଖରେ ନିଜର ସ୍ପଷ୍ଟୀକରଣ ଦାଖଲ କରିଛି । ଦୁଇପୃଷ୍ଠାର ସ୍ପଷ୍ଟୀକରଣରେ ଓସିଏ କର୍ତ୍ତୃପକ୍ଷ ବାରବାଟୀରେ ସଫଳତାପୂର୍ବକ ମ୍ୟାଚ୍ ଆୟୋଜନ ସମ୍ପର୍କରେ ସୂଚନା ଦେବା ସହ ଆନ୍ତର୍ଜାତିକ ମ୍ୟାଚ୍ ସହ ଜଡ଼ିତ ଷ୍ଟେକହୋଲଡରମାନେ (ଆଇସିସି-ବିସିସିଆଇ, ମ୍ୟାଚ୍ ଅଧିକାରୀ ଓ ଖେଳାଳୀ) କେହି କିଛି ଆପତ୍ତି ଉଠାଇ ନଥିବା ସ୍ପଷ୍ଟ କରିଛି ।
ଏପରିକି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ମ୍ୟାଚ୍ ଉପରେ କୌଣସି ପ୍ରଭାବ ପକାଇନଥିଲା କିମ୍ବା ମ୍ୟାଚକୁ ନିର୍ଦ୍ଧାରିତ ଅବଧିରେ ଶେଷ କରାଯାଇଥିଲା । ଭାରତ ଏହି ମ୍ୟାଚରେ ଜିତିଥି୍ଲା ଓ ସମସ୍ତ ଦର୍ଶକ ମ୍ୟାଚକୁ ଉପଭୋଗ କରିବା ସହ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସନ୍ତୋଷ ବ୍ୟକ୍ତ କରିଥିଲେ । ୨୦୦୩ ମସିହାରୁ ଓସିଏ ଅନେକ ମ୍ୟାଚ ସଫଳତାପୂର୍ବକ ସଂଚାଳନ କରିବାର ସୁଯୋଗ ପାଇଛି । ଯେଉଁଥିରେ ୧୩ଟି ଆନ୍ତର୍ଜାତିକ ମ୍ୟାଚ, ୬ଟି ଆଇପିଏଲ ମ୍ୟାଚ ଓ ନିକଟରେ ଫେବୃୟାରୀ ୧୬ତାରିଖରେ ସେଲିବ୍ରେଟି କ୍ରିକେଟ ଲିଗ୍ ମ୍ୟାଚ ଆୟୋଜନ କରିବା ସମତେ ବାରବାଟୀ ଷ୍ଟାଡ଼ିୟମରେ ଫ୍ଲଡଲାଇନରେ ଅନେକ ଘରୋଇ ମ୍ୟାଚ୍ ମଧ୍ୟ ହୋଇଛି । ଏଭଳି ଗୋଟିଏ ବି ଉଦାହରଣ ନାହିଁ ଯେଉଁଠି ଡିଜି(ଜେନେରେଟର) ସିଷ୍ଟମ ଫେଲ୍ ହେବାରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଏହା ଦୀର୍ଘବର୍ଷର ବିଶ୍ୱସନୀୟତାର ଟ୍ରାକ୍ ରେକର୍ଡର ପ୍ରମାଣ ଦେଉଛି । ଏହି ମ୍ୟାଚ୍ ଉଚ୍ଚସ୍ତରୀୟ କମିଟିର ତଦାରଖରେ ହୋଇଥିଲା । ମ୍ୟାଚ୍ ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ଘଟଣା ଏକ ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି ଯୋଗୁ ହୋଇଥିଲା ବୋଲି ପ୍ରମାଣିତ ହେଲା । ତେଣୁ ଆମକୁ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ସୁଯୋଗ ଦିଆଗଲେ ସମସ୍ତ ତଥ୍ୟ ଓ ଘଟଣାକୁ ଭଲଭାବେ ବୁଝାଇପାରିବୁ ବୋଲି ଓସିଏ ସିଇଓ ଶ୍ରୀ ବେହେରା ଦୁଇପୃଷ୍ଠାର ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛନ୍ତି ।
ଶକ୍ତି ବିଭାଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ
ପ୍ରତ୍ୟେକ ଆନ୍ତର୍ଜାତିକ ମ୍ୟାଚ ପୂର୍ବରୁ ଜେନେରେଟରଗୁଡ଼ିକ ସମେତ ସମସ୍ତ ଉପକରଣକୁ ସମ୍ବନ୍ଧିତ ଏଜେନ୍ସୀ ଦ୍ୱାରା ନିରୀକ୍ଷଣ କରାଯିବା ସହ ଟ୍ରାଏଲ ରନ୍ ମଧ୍ୟ କରାଯାଏ । ଫେବୃୟାରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚର ୭ଦିନ ପୂର୍ବରୁ ମଧ୍ୟ କମିନ୍ସ କମ୍ପାନୀର ଟେକନିସିଆନମାନଙ୍କ ଦ୍ୱାରା ଏସବୁର ଟ୍ରାଏଲ ରନ୍ ମଧ୍ୟ ହୋଇଥିଲା । କମିନ୍ସ ଇଣ୍ଡିଆ ଲିମିଟେଡ୍ ଏକ ଆନ୍ତର୍ଜାତିକ ବିଶ୍ୱସନୀୟ ବ୍ରାଣ୍ଡ । ସେହି ସଂସ୍ଥାଠୁ କ୍ରୟ କରାଯାଇଥିବା ୮ଟି ଜେନେରେଟର କ୍ରୟ କରାଯାଇଥିଲା ଓ ଯେଉଁଥିରୁ ଫ୍ଲଡଲାଇଟକୁ ନିରନ୍ତର ବିଦ୍ୟୁତ ଯୋଗାଣ ହୋଇପାରିବ । ଏହାବାଦ୍ ରାଜ୍ୟ ଶକ୍ତି ବିଭାଗ ମଧ୍ୟ ମ୍ୟାଚ୍ ପୂର୍ବରୁ ଏସବୁ ଜେନେରେଟରଗୁଡ଼ିକର ନିରୀକ୍ଷଣ କରି ପ୍ରମାଣପତ୍ର ମଧ୍ୟ ଦେଇଥିଲେ ।
ଏସବୁ ସୁରକ୍ଷା ଉପାୟ ସତ୍ତ୍ୱେ ଫେବୃୟାରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚରେ ୮ଟି ମାସ୍ଟ ଫ୍ଲଡଲାଇଟ୍ ମଧ୍ୟରୁ ଗୋଟିଏରେ ଅପ୍ରତ୍ୟାଶିତ ତ୍ରୁଟି ଏହି ଜେନେରରେଟରରେ ଖରାପ ଯୋଗୁ ହୋଇଥିଲା । ଯେଉଁଥିପାଇଁ ମାସ୍ଟ ଫ୍ଲଡଲାଇଟକୁ ବିଦ୍ୟୁତ ଯୋଗାଣ ସମ୍ଭବପର ହୋଇନଥିଲା ଓ ପଡ଼ିଆରେ ଲାଇଟ୍ ଅସ୍ଥାୟୀ ଭାବେ ୩୦୦୦ଏଲୟୁଏକ୍ସ ହ୍ରାସ ପାଇଥିଲା । ଏହା ଅପ୍ରତ୍ୟାଶିତ ଓ ନିୟନ୍ତ୍ରଣ ବାହାରେ ଥିଲା ବୋଲି ଓସିଏ କହିଛି । ତେବେ ଏହି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ପରେ ଶକ୍ତି ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲା । ଷ୍ଟାଡ଼ିୟମରେ ଜେନେରେଟରରେ ଖେଳ ହେଉଥିଲା, ସେଥିରେ ଶକ୍ତି ବିଭାଗ କରିବ କ’ଣ ବୋଲି ଖୋଦ୍ ରାଜ୍ୟ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ମାତ୍ର ଏବେ ଓସିଏ କର୍ତ୍ତୃପକ୍ଷ ହିଁ ଶକ୍ତି ବିଭାଗକୁ କାଠଗଡ଼ାରେ ଛିଡ଼ା କରିଛନ୍ତି । ଶକ୍ତି ବିଭାଗର ପ୍ରମାଣପତ୍ର ପରେ ମଧ୍ୟ ଜେନେରେଟର କାମ ନକରିବା ପାଇଁ ଓସିଏ କିଭଳି ଦୋଷୀ ବୋଲି ପରୋକ୍ଷରେ ସୂଚାଇ ଦେବାକୁ ଚାହିଁଛି।
ଷ୍ଟାଡିୟମରେ ରହିବ ଅଧିକ ଜେନେରେଟର, ସ୍ୱୟଂଚାଳିତ ଢଙ୍ଗରେ କରିବ କାର୍ଯ୍ୟ
ଓସିଏ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ବାରବାଟୀ ଷ୍ଟାଡ଼ିୟମରେ କମିନ୍ସ କମ୍ପାନୀର ଶବ୍ଦମୁକ୍ତ ୮ଟି ଜେନେରେଟର ରହିଛି । ପ୍ରତ୍ୟେକ ଜେନେରରେଟର ୧୨୫କେଭିଏ କ୍ଷମତା ବିଶିଷ୍ଟ । ଏହାସହିତ ଟ୍ରକରେ ୪ଟି ଜେନେରେଟ ରହିଛି ଯାହାକି ବ୍ୟାକଅପ୍ ପାଇଁ ରହିଥାଏ । ଏହି ବ୍ୟାକଅପ୍ ପାଇଁ ଉଦ୍ଦିଷ୍ଟ ଜେନେରେଟରକୁ ମାନୁଆଲ ପରିଚାଳନା କରାଯାଏ । ଯାହାକି ସ୍ୱୟଂଚାଳିତ ଷ୍ଟାଏବାଏ ସିଷ୍ଟମଠୁ ଭିନ୍ନ । ସେଦିନ ମଧ୍ୟ ଏହି ବ୍ୟାକଅପ୍ ଜେନେରେଟରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସମୟ ଲାଗିଥିଲା । ପ୍ରଥମେ ସ୍ୱୟଂଚାଳିତ ଷ୍ଟାଣ୍ଡବାଏ ସିଷ୍ଟମକୁ ହଟାଇବାକୁ ପଡ଼େ ଓ ତା’ପରେ ବ୍ୟାକଅପ୍ ଜେନେରେଟରରୁ ବିଦ୍ୟୁତ ସଂଯୋଗ ଦିଆଯାଏ । ଏହି ପ୍ରକ୍ରିୟା ପାଇଁ ସାଧାରଣତଃ ୨୦ରୁ ୨୫ମିନିଟ୍ ସମୟ ଲାଗିଥାଏ ।
ମ୍ୟାଚ୍ ଦିନ ମଧ୍ୟ ଏହି ବ୍ୟାକ୍ ଅପ୍ ଜେନେରେଟର ଚଳାଇବା ପାଇଁ ତ୍ୱରିତ୍ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ମ୍ୟାଚ୍ ଅଫିସିଆଲଙ୍କ ନିର୍ଦ୍ଦେଶରେ ସାମୟିକ ଭାବେ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । ତେବେ ବିସିସିଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଲାଇଟ୍ ବ୍ୟବସ୍ଥା କରାଯାଇଥିଲା ଓ ମ୍ୟାଚ୍ ନିୟମରେ ମଧ୍ୟ କୌଣସି ପରିବର୍ତ୍ତନ ନକରି ମ୍ୟାଚ୍ ସମାପ୍ତ ହୋଇଥିଲା । ଅପ୍ରତ୍ୟାଶିତ ଟେକନିକାଲ ତ୍ରୁଟି ଯୋଗୁ ଏଭଳି ଘଟଣା ହେଶଇଥିଲା । ଭବିଷ୍ୟତରେ ଏହାକୁ ରୋକିବା ପାଇଁ ଓସିଏ ନିଜର ପ୍ରତିବଦ୍ଧତା ଜାହିର କରିଛି । ବ୍ୟାକଅପ୍ ସିଷ୍ଟମକୁ ଷ୍ଟାଣ୍ଡବାଏ ସିଷ୍ଟମରେ ଅପଗ୍ରେଡ୍ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଯେଉଁଥିରେ ୮ଟି ପ୍ରାଥମିକ ଜେନେରେଟର ଓ ୮ଟି ଷ୍ଟାଣ୍ଡବାଏ ଜେନେରେଟର ସାମିଲ ଅଛି । ଆଉ ଏସବୁ ସ୍ୱୟଂଚାଳିତ ଢଙ୍ଗରେ କାର୍ଯ୍ୟ କରିବ । ଆଉ ମାନୁଆଲ ହସ୍ତକ୍ଷେପର ଆବଶ୍ୟକତା ପଡ଼ିବ ନାହିଁ ।
ଓସିଏ ସ୍ପଷ୍ଟୀକରଣର ୨୩ଦିନ ପରେ ମଧ୍ୟ ସରକାର ନିରବ
ଏହି ଆନ୍ତର୍ଜାତିକ ମ୍ୟାଚ ପୂର୍ବରୁ ଓସିଏ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବାରମ୍ବାର ସମୀକ୍ଷା ବୈଠକ ଏବଂ ପ୍ରସ୍ତୁତି ଅଗ୍ରଗତିର ତଦାରଖ ସତ୍ତ୍ୱେ ବାରବାଟୀ ଷ୍ଟାଡ଼ିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଅଧଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ଖୋଲାଖୋଲି ଭାବେ ଓଡ଼ିଶାର ପରିଚାଳନାଗତ ତ୍ରୁଟି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସମଗ୍ର ବିଶ୍ୱର ନଜର ବାରବାଟୀ ଷ୍ଟାଡ଼ିୟମ ଉପରେ ରହିଥିଲାବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଓସିଏ ଏହାକୁ ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟି କହୁ କିମ୍ବା ଅନ୍ୟ କିଛି, ମାତ୍ର ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଫଳ ମ୍ୟାଚ୍ ଆୟୋଜନ ପାଇଁ ରାଜ୍ୟ ସରକାର ନିଜଆଡ଼ୁ ନୀତିଗତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।
ଓସିଏ ତା’ର ସ୍ପଷ୍ଟୀକରଣ ଦେବାର ୨୩ଦିନ ବିତିଲାଣି । ଏହି ସ୍ପଷ୍ଟୀକରଣରେ କାହାର ତ୍ରୁଟି ରହିଲା ଓ କିଏ ଦାୟୀ ସେନେଇ ଓସିଏ ସିଧାସଳଖ ଉଲ୍ଲେଖ ନକରି ଶକ୍ତିବିଭାଗ ଆଡ଼କୁ ଦୋଷ ଠେଲିବାକୁ ଉଦ୍ୟମ କରିଛି । ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ସ୍ୱୀକାର କରିଥିବା ଓସିଏ କ’ଣ ଆନ୍ତର୍ଜାତିକ ମ୍ୟାଚ୍ ପୂର୍ବରୁ ଏଭଳି ଯାନ୍ତ୍ରିକ ତ୍ରୁଟି ବି ହୋଇପାରେ ବୋଲି ଚିନ୍ତା କରିନଥିଲା କି? ଓସିଏର ଏଭଳି ଅସଙ୍ଗତିପୂର୍ଣ୍ଣ ସ୍ପଷ୍ଟୀକରଣ ସତ୍ତ୍ୱେ ରାଜ୍ୟ ସରକାର ଗତ ୨୩ଦିନ ଧରି ନିରବ ରହିବା ମଧ୍ୟ ପ୍ରକାରନ୍ତରେ ଓସିଏକୁ ସମର୍ଥନ ଭଳି ପ୍ରତୀତ ହେଉଛି । ବିଶ୍ୱରେ ଓଡ଼ିଶାର ପରିଚାଳନାଗତ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଥିବାବେଳେ ଓସିଏ ଯେଉଁ ସଫେଇ ଦେଇଛି ତାକୁ ସରକାର କିଭଳି ସ୍ୱୀକାର କରିନେଇ ଚୁପ୍ ବସିଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।