/odisha-reporter/media/post_attachments/uploadimage/library/16_9/16_9_0/IMAGE_1685381549.jpg)
Loka Seva Bhaban
ରାଜ୍ୟର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସାଇନବୋର୍ଡ ଲଗାଇବା ପାଇଁ ପୂର୍ବର ସବୁ ନୀତି-ନିୟମ ଫେଲ୍ ମାରିବା ପରେ ରାଜ୍ୟ ସରକାର ଆଜି ପୁଣିଥରେ ନୂଆ ପଦକ୍ଷେପ ନେଇଛନ୍ତି । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଲାଗୁଥିବା ସାଇନବୋର୍ଡ(ନାମଫଳକ)ର ୬୦ ପ୍ରତିଶତ ଓଡ଼ିଆ ଭାଷାରେ ରହିବ । ସରକାରଙ୍କ ଏହି ନିୟମକୁ ବ୍ୟବସାୟୀମାନେ ପାଳନ କଲେ ସେମାନଙ୍କୁ ଟ୍ରେଡ୍ ଲାଇସେନ୍ସ ଫି’ ନବୀକରଣରେ ୫% ପ୍ରୋତ୍ସାହନ ମିଳିବ । ଯଦି ଅମାନ୍ୟ କରିବେ ସେମାନଙ୍କୁ ଦୈନିକ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।
ଓଡ଼ିଆ ଭାଷାରେ ନାମଫଳକକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ସମ୍ପୂର୍ଣ୍ଣ ସଫଳ ହୋଇପାରୁନଥିବାରୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା । କିନ୍ତୁ ବୁଧବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନ୍ୟ ରାଜ୍ୟ ଯଥା ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସ୍ଥାନୀୟ ଭାଷାର ସାଇନବୋର୍ଡ ନିୟମ ଅନୁରୂପ କରାଯାଇ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଥିବା ଏବଂ ନାମଫଳକରେ ୬୦ପ୍ରତିଶତ ଓଡ଼ିଆ ଭାଷା ପାଇଁ ଉଦ୍ଦିଷ୍ଟ ରହିଥିବାରୁ ଏହାକୁ ବ୍ୟବସାୟୀମାନେ କାର୍ଯ୍ୟକାରୀ କରିବେ ବୋଲି ସରକାର ଆଶାବାଦୀ ଅଛନ୍ତି ।
ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶନାମା
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀ ବୁଧବାର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର, ପୌର ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟର ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ(ସାଇନବୋର୍ଡ) ଲଗାଇବା ବାଧ୍ୟତାମୂଳକ ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି । ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ସାଇନବୋର୍ଡର ମୋଟ କ୍ଷେତ୍ରଫଳର ଅତିକମରେ ୬୦% ଓଡ଼ିଆ ଭାଷାରେ ହେବା ବାଧ୍ୟତାମୂଳକ । ଯେଉଁମାନେ ଏହାକୁ ପାଳନ କରିବେ ସେମାନଙ୍କୁ ନିଜର ଟ୍ରେଡ୍ ଲାଇସେନ୍ସ ନବୀକରଣବେଳେ ୫ ପ୍ରତିଶତ ରିହାତି ମିଳିବ । ସେମାନେ ଏହି ସୁବିଧା ସୁଯୋଗ ଓ ଭୁବନେଶ୍ୱରଡଟ୍ ମି ୱେବପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ । ଯେଉଁମାନେ ଏହାକୁ ଅନୁପାଳନ ନକରିବେ ସେମାନଙ୍କଠାରୁ ୫୫ଦିନର ସଂଶୋଧନ ଅବଧି ପରେ ଦୈନିକ ୫୦୦ଟଙ୍କା ଜୋରିମାନା ଆଦାୟ କରାଯିବ । ସମସ୍ତ ପୌରାଂଚଳରେ ଏହି ନିର୍ଦ୍ଦେଶନାମାକୁ ଅନୁପାଳନ ନିମନ୍ତେ ଶେଷ ତାରିଖ ୨୦୨୫ ସେପ୍ଟେମ୍ବର ୩୦ତାରିଖ ରଖାଯାଇଛି । ଦୋକାନୀମାନଙ୍କୁ ସଚେତନ କରିବା ଓ ଅନୁପାଳନକୁ ସହଜ କରାଇବା ନିମନ୍ତେ ପୌରାଂଚଳଗୁଡ଼ିକ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ବିଭାଗୀୟ ସଚିବ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ପ୍ରୟାସ ସତ୍ତ୍ୱେ ସଫଳ ହୋଇନାହାନ୍ତି ସରକାର
ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସାଇନବୋର୍ଡ ଲଗାଇବା ପାଇଁ ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ସତ କିନ୍ତୁ ଏଥିରେ ସଫଳତା ମିଳିପାରିନାହିଁ । ଯାହାକି ସରକାରଙ୍କ ଦୁର୍ବଳ କାର୍ଯ୍ୟକାରିତାର ପ୍ରମାଣିତ କରାଇଛି । ଏଥିପାଇଁ ତତକାଳୀନ ବିଜେଡି ସରକାରଙ୍କ କ୍ୟାବିନେଟ୍ ୨୦୧୬ ମାର୍ଚ୍ଚ ମାସରେ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬’ରେ ସଂଶୋଧନକୁ ଅନୁମୋଦନ କରିଥିଲେ, ଯାହା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ସାଇନବୋର୍ଡ ଲଗାଇବାକୁ ବାଧ୍ୟତାମୂଳକ କରିଥିଲା । ଏଥିପାଇଁ ଏକ ମାସର ଅନୁପାଳନ ଅବଧି ଦିଆଯାଇଥିଲା । ପ୍ରଥମ ଉଲ୍ଲଂଘନ ପାଇଁ ୧ହଜାରରୁ ୫ହଜାର ଟଙ୍କା ଓ ପରବର୍ତ୍ତୀ ଉଲ୍ଲଘଂନ ପାଇଁ ୨ରୁ ୨୫ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇଥିଲା । ୨୦୧୮ ମେ’ ୧ରେ ତତକାଳୀନ ବିଜେଡି ସରକାରଙ୍କ ଦ୍ୱାରା ଓଡ଼ିଶା ବିଧାନସଭାରେ ଏହି ସଂଶୋଧନ ବିଲ୍ ଗୃହୀତ କରାଯାଇଥିଲା । ସାଇନବୋର୍ଡ ଅନ୍ୟ ଭାଷାରେ ଲାଗି ପାରିବ କିନ୍ତୁ ସେଥିରେ ଓଡ଼ିଆ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବାର ପ୍ରାବଧାନ ରହିଥିଲା । ୨୦୧୯ ମସିହାରେ ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ପାଇଁ ଏକ ନିୟମାବଳୀ ଜାରି କରିଥିଲେ । ୨୦୨୩ ଏପ୍ରିଲ ମାସରେ ରାଜ୍ୟ ସରକାର ୨୦୧୮ର ନିର୍ଦ୍ଦେଶାନାମା ପାଳନକୁ ପୁଣିଥରେ ଗୁରୁତ୍ୱ ଦେଇ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଯାଂଚ ଓ ଉଲ୍ଲଂଘନ ପାଇଁ ଜୋରିମାନା ଆଦାୟ ନିମନ୍ତେ ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲଂଘନକାରୀଙ୍କୁ ସଂଶୋଧନ ପାଇଁ ୭ ଦିନର ନୋଟିସ ଓ ପ୍ରଥମ ଉଲ୍ଲଂଘନ ପାଇଁ ୫ହଜାର ଟଙ୍କା ଓ ପରବର୍ତୀ ଉଲ୍ଲଂଘନ ପାଇଁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ ହୋଇଥିଲା । ୨୦୨୩ ନଭେମ୍ବର ମାସରେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନାମଫଳକ ଓଡ଼ିଆ ଭାଷାରେ ଲଗାଯିବାର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ହୋଇଥିଲା । ୨୦୨୩ ଅକ୍ଟୋବର ସୁଦ୍ଧା ମୋଟ ୧୩୭୮ଟି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଯାଂଚ କରାଯାଇ ୧୧୩୫ଟିକୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଥିଲା ।
ତେବେ ବୁଧବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଭଳି କେବଳ ପ୍ରଚାରସର୍ବସ୍ୱ ପାଲଟିବ ନା ବିଭାଗ ଏଦିଗରେ କଠୋର ଆଭିମୁଖ୍ୟ ପୋଷଣ କରି ସଚେତନତା, ଯାଂଚ ଓ ଜୋରିମାନାକୁ ଗୁରୁତ୍ୱ ଦେବ ତାହା ଉପରେ ସମସ୍ତଙ୍କ ନଜର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
