Advertisment

୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ସମୃଦ୍ଧ ସହର ଯୋଜନା ପାଇଁ ୪୮୭୯କୋଟି ଟଙ୍କା, କୁଳପତି ନିଯୁକ୍ତି ପାଇଁ ଅଧ୍ୟାଦେଶ

"ସମୃଦ୍ଧ ସହର’ ଯୋଜନା ପାଇଁ ୪୮୭୯.୩୦କୋଟି ଟଙ୍କା, ଓଡ଼ିଶା ରାଜସ୍ୱ ସେବାରେ ଦୁଇ ତୃତୀୟାଂଶ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଓ ଏକ ତୃତୀୟାଂଶ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ ।

Cabinet

Cabinet

Advertisment

ଏଣିକି ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମାଗଣା ହଷ୍ଟେଲ ସୁବିଧା ମିଳିବ । ରାଇରଙ୍ଗପୁର ଏକ ନୂଆ ପୁଲିସ ଜିଲ୍ଲା ହେବ । "ସମୃଦ୍ଧ ସହର’ ଯୋଜନା ପାଇଁ ୪୮୭୯.୩୦କୋଟି ଟଙ୍କା, ଓଡ଼ିଶା ରାଜସ୍ୱ ସେବାରେ ଦୁଇ ତୃତୀୟାଂଶ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଓ ଏକ ତୃତୀୟାଂଶ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏସବୁ ପ୍ରସ୍ତାବ ସମେତ ମୋଟ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

Advertisment

୧-  ରାଇରଙ୍ଗପୁରରେ ନୂଆ ପୁଲିସ ଜିଲ୍ଲା

ଜନସାଧାରଣଙ୍କୁ ଉନ୍ନତ ଓ ସୁଲଭ ପୁଲିସ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଇରଙ୍ଗପୁର ଏକ ନୂଆ ପୁଲିସ ଜିଲ୍ଲା ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭାଜନ କରି ଏହି ନୂଆ ପୁଲିସ ଜିଲ୍ଲା ସ୍ଥାପନ କରାଯାଇଛି, ଯାହାର ମୁଖ୍ୟାଳୟ ରାଇରଙ୍ଗପୁରରେ ରହିବ ଓ ଏହା ଅଧୀନରେ ଦୁଇଟି ଏସଡିପିଓ (ରାଇରଙ୍ଗପୁର ଓ କରଞ୍ଜିଆ) ରହିବ । ଏହି ନୂଆ ପୁଲିସ ଜିଲ୍ଲା ଅଧୀନରେ ୧୪ଟି ପୁଲିସ ଷ୍ଟେସନ, ୫ଟି ଆଉଟପୋଷ୍ଟ ଓ ୨ଟି ବିଟ୍ ହାଉସ ସାମିଲ ରହିବ, ଯାହା ଅଧିକ ପ୍ରଭାବୀ ଢଙ୍ଗରେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ କାର୍ଯ୍ୟ କରିବ ।

୨- ଡାଏଲ ୧୧୨ ଆଉ ୫ବର୍ଷ ଚାଲିବ,୨୨୬୧କୋଟି ଟଙ୍କାର ବ୍ୟୟବରାଦ

ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା(ଇଆରଏସଏସ)- ଡାଏଲ-୧୧୨ ଯୋଜନାକୁ ଆଉ ୫ବର୍ଷ ପାଇଁ ସମ୍ପ୍ରସାରଣ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୨୫-୨୬ରୁ ୨୦୨୯-୩୦ ମସିହା ପର୍ଯ୍ୟନ୍ତ ଏହି ଡାଏଲ-୧୧୨ ନିମନ୍ତେ ମୋଟ ୨୨୬୦.୮୯କୋଟି ଟଙ୍କାର ବ୍ୟୟ ଅଟକଳକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହି ଯୋଜନାରେ ନାଗରିକମାନେ ଯେକୌଣସି ସହାୟତା ପାଇଁ ‘୧୧୨’ ନମ୍ବରକୁ ଡାଏଲ କରୁଛନ୍ତି ଓ ସେମାନଙ୍କୁ ତ୍ୱରିତ୍ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ୪୧୯୫ଟି ନୂଆ ପଦବୀ ସୃଷ୍ଟି ଓ ୬୪୫ଟି ଜରୁରୀକାଳୀନ ରେସପନ୍ସ ଯାନ(ଇଆରଭି) ଯୋଗାଇ ଦେବାର ପ୍ରସ୍ତାବ ରହିଛି ।

Advertisment

୩. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମାଗଣା ହଷ୍ଟେଲ ସୁବିଧା

ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଥିବା ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ରେ ମାଗଣା ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସମସ୍ତ ଆଦର୍ଶ ବିଦ୍ୟାଳୟରେ ୧୦୦ଟି ଲେଖାଏଁ ବାଳକ ଓ ୧୦୦ଟି ଲେଖାଏଁ ବାଳିକା ହଷ୍ଟେଲ ରହିବ ।  ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷାରେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ‘ନନ-କେଜିବିଭି ହଷ୍ଟେଲ’ରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲ ଫି’ ବାବଦରେ ଦେଉଥିବା ମାସିକ ୨୦୦୦ ଟଙ୍କାର ଫି’କୁ ଛାଡ଼ କରିବାକୁ ସରକାର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଆଗାମୀ ୫ବର୍ଷ ନିମନ୍ତେ ୨୦୨୫ ଏପ୍ରିଲ ପହିଲାରୁ ୨୦୩୦ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏବାବଦରେ ୩୪୯.୨୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

୪. ଓଡ଼ିଶା ରାଜସ୍ୱ ସେବାରେ ନିଯୁକ୍ତି ନିୟମାବଳୀରେ ସଂଶୋଧନ

ଓଡ଼ିଶା ରାଜସ୍ୱ ସେବା(ଓଆରଏସ) କ୍ୟାଡ଼ରରେ ଆଉ ଅଣରାଜସ୍ୱ ସେବା କର୍ମଚାରୀମାନଙ୍କୁ ଚୟନ(ସିଲେକ୍ସନ) ଆଧାରରେ ନିଯୁକ୍ତି ମିଳିବ ନାହିଁ । ପ୍ରଚଳିତ ନିୟମାନୁସାରେ ଏନେଇ ୧୦ପ୍ରତିଶତ ପଦବୀ(ସିଲେକ୍ସନ ଆଧାରିତ) ସଂରକ୍ଷିତ ରହିଥିଲା । ମୋଟ ରାଜସ୍ୱ ପଦବୀର ୫୦ ପ୍ରତିଶତ ପ୍ରତ୍ୟକ୍ଷ ନିଯୁକ୍ତି(ଓପିଏସସି ପରୀକ୍ଷା ମାଧ୍ୟମରେ), ୪୦ ପ୍ରତିଶତ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତିରେ ଓ ବାକି ୧୦ ପ୍ରତିଶତ ଚୟନ ଆଧାରିତ ଥିଲା । ମାତ୍ର ରାଜ୍ୟ ସରକାର ଏହି ଓଡ଼ିଶା ରାଜସ୍ୱ ସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରି ଏଣିକି ଓଆରଏସ୍ ପଦବୀର ମୋଟ ଦୁଇ ତୃତୀୟାଂଶ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବାକି ଏକ ତୃତୀୟାଂଶ ପଦବୀକୁ ପଦୋନ୍ନତିଭିତ୍ତିରେ ପୂରଣ କରାଯିବ । ପଦୋନ୍ନତି ପାଇଁ ବିଚାର କରାଯାଉଥିବା ଅଧିକାରୀମାନଙ୍କୁ ଓଆରଏସପି ନିୟମ, ୨୦୧୭ ଅନୁଯାୟୀ ଲେଭେଲ-୯ରେ ରାଜସ୍ୱ ସୁପରଭାଇଜର,ରାଜସ୍ୱ ନିରୀକ୍ଷକ କିମ୍ବା ଅମଲା ଭାବେ ୬ ବର୍ଷର ସେବା ସଂପୂର୍ଣ୍ଣ କରିବାକୁ ହେବ । ପଦୋନ୍ନତି ପାଇଁ ବୟସ ସୀମା ୫୩ରୁ ୫୦ ବଷର୍କୁ ହ୍ରାସ କରାଯାଇଛି ।

୫. ‘ସମୃଦ୍ଧ ସହର’ ଯୋଜନା ପାଇଁ ୪୮୭୯.୩୦କୋଟି ଟଙ୍କା

ଆସନ୍ତା ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟର ସହରଗୁଡ଼ିକୁ ବିକାଶ ଓ ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍ ଆଜି ‘ସମୃଦ୍ଧ ସହର’ ଯୋଜନାର ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ମୋଟ ୪୮୭୯.୩୦କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଓଡ଼ିଶାରେ ଯୋଜନାବଦ୍ଧ ସହରୀକରଣ ଓ ସନ୍ତୁଳିତ ଆଂଚଳିକ ବିକାଶକୁ ପ୍ରୋତ୍ସାହନ ଦେବ ।

ଯୋଜନାରେ ଦୁଇଟି ମୁଖ୍ୟ ଉପାଦାନ ରହିଛି: ଟାଉନ ପ୍ଲାନିଂ ସ୍କିମରେ ୪୧୧୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସହର ପାଶ୍ୱର୍ବର୍ତ୍ତୀ ଅଂଚଳର ଜମିକୁ ଏକତ୍ରିତ କରି ପୁନର୍ଗଠନ କରିବା ଓ ଯୋଜନାବଦ୍ଧ ସହରୀ ବିକାଶକୁ ତ୍ୱରିତ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ିବା ପାଇଁ ୭୬୫.୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏକୀକୃତ ଅର୍ଥନୈତିକ କ୍ଲଷ୍ଟର, ଶିଳ୍ପ ଟାଉନସିପ ଓ ଉଚ୍ଚ ସମ୍ଭାବନା ବିଶିଷ୍ଟ ସହରୀ କରିଡରର ବିକାଶକୁ ସମର୍ଥନ କରି ସହରୀ ଅଂଚଳଗୁଡ଼ିକୁ ଅର୍ଥନୈତିକ ରୂପାନ୍ତରଣର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବ । ଏହା ଆଂଚଳିକ ଗତିଶୀଳତା ଉନ୍ନତ କରିବ ଏବଂ ସହରୀ ଯୋଜନା ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବ ।

୬. ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତିକୁ ନେଇ ଅଧ୍ୟାଦେଶ

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶୈକ୍ଷିକ ପରିବେଶ ଓ ପ୍ରଶାସନିକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ, ୨୦୨୫ ଜାରି କରିଛନ୍ତି । ଏହି ସଂଶୋଧନ ଫଳରେ କୁଳପତି ନିଯୁକ୍ତି କ୍ଷେତ୍ରରେ କୁଳାଧିପତି(ରାଜ୍ୟପାଳ)ଙ୍କ କ୍ଷମତା ପରିସର ବୃଦ୍ଧି ପାଇବ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ ଅନୁଯାୟୀ  ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ସମ୍ବନ୍ଧରେ କୁଳାଧିପତିଙ୍କୁ କ୍ଷମତା ପ୍ରଦାନ କରିବ ।

ରାଜ୍ୟ କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି । ଫଳରେ କୌଣସି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଅନ୍ୟ ବ୍ୟକ୍ତିଙ୍କୁ କୁଳପତି ଭାବେ ନିଯୁକ୍ତି ଦେବା ଓ ତାଙ୍କର କାର୍ଯ୍ୟକାଳ ନିର୍ଦ୍ଧାରଣ କରିବାରେ କୁଳାଧିପତି ସକ୍ଷମ ହେବେ । ଏବେ ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି ବା ସମାପ୍ତ ହେବାକୁ ଯାଉଛି । ନିୟମିତ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ ହୋଇଛି । ପ୍ରଚଳିତ ନିୟମ ଅନୁସାରେ ଯେକୌଣସି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦେବା ଯୋଗୁ ଶୈକ୍ଷିକ ଓ ପ୍ରଶାସନିକ ପରିଚାଳନାରେ ଅସୁବିଧା ଅନୁଭୂତ ହେବାର ସମ୍ଭାବନା ଥିବାରୁ ଏହି ସଂଶୋଧନକୁ ଅଧ୍ୟାଦେଶ ଆକାରରେ ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

୭- ଆଇଏଫଏମଏସ ୩.୦ ପ୍ରୋଜେକ୍ଟର ଟେଣ୍ଡର ଟିସିଏସ୍ ଲିଃକୁ ଅନୁମୋଦନ

ରାଜ୍ୟ ଅର୍ଥନୀତି ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟି ଆପ୍ଲିକେସନ ‘ଆଇଏଫଏମଏସ ୩.୦’ ପ୍ରୋଜେକ୍ଟର ଟେଣ୍ଡର ଟାଟା କନ୍ସଲଟାନ୍ସି ସର୍ଭିସେସ୍ ସପକ୍ଷରେ ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଟାଟା କନ୍ସଲଟାନ୍ସିର ଅନୁମୋଦିତ ବିଡ୍‌଼ ଟେକ୍ନିକାଲ କମିଟିର ପ୍ରାଥମିକ ଆକଳନ ର୍ଖଚ୍ଚରୁ ୨୩.୫୧% କମ ରହିଛି । ଏହି ପ୍ରୋଜେକ୍ଟର ମୂଲ୍ୟ ୨୯୦.୬୬ କୋଟି ଟଙ୍କା (ଟିକସ ବ୍ୟତୀତ) । ଆଇଏଫଏମଏସ ୩.୦କୁ \"ମାଇକ୍ରୋ-ସର୍ଭିସ’ ଆର୍କିଟେକ୍ଟର ଆଧାରରେ ଏକ ଆଧୁନିକ ସିଷ୍ଟମକୁ ଉନ୍ନୀତ କରାଯିବ, ଯାହା ବଜେଟିଂ, ପେମେଂଟ ପ୍ରୋସେସିଂ, ହିସାବ, ଅଡ଼ିଟ ଓ ରିପୋର୍ଟିଂ କାର୍ଯ୍ୟକୁ ଉନ୍ନତ କରିବ । ଆଇଏଫଏମଏସ୍ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶାସନିକ ବିଭାଗ, ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ସାଧାରଣ ଜନତା ଦ୍ୱାରା ସରକାରୀ ଦେୟ ପରିଶୋଧ ଓ ରାଜସ୍ୱ ସଂଗ୍ରହ ପାଇଁ ବ୍ୟବହୃତ ହୁଏ ।

୮. ରାଜ୍ୟ ବିଧି ଆୟୋଗ ରିଜୋଲ୍ୟୁସନରେ ସଂଶୋଧନ

ଓଡ଼ିଶା ରାଜ୍ୟ ବିଧି ଆୟୋଗ ସଂକ୍ରାନ୍ତ ସରକାରଙ୍କ ଦ୍ୱାରା ଜାରି ରିଜୋଲ୍ୟୁସନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଅନୁମୋଦନ ଦେଇଛନ୍ତି ।ଏହି ସଂଶୋଧନ ଫଳରେ ବିଧି ଆୟୋଗର ଅଧ୍ୟକ୍ଷ, ଯିଏକି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅବା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅବା ଅବସରପ୍ରାପ୍ତ ହୋଇଥିବେ,ସେ ତାଙ୍କର ସେବା କାଳ ମଧ୍ୟରେ ପ୍ରାପ୍ତ ଭତ୍ତା ଓ ଅନ୍ୟାନ୍ୟ ସେବା ସର୍ତ୍ତ ଅନୁଯାୟୀ ସୁବିଧା ପାଇବେ । ସେ ବିଧି ଆୟୋଗରେ ନିଯୁକ୍ତି ପରେ ତାଙ୍କର ସେବା ସର୍ତ୍ତରେ ପରିବର୍ତ୍ତନ ହେବ ନାହିଁ ।

ଏସବୁ ବ୍ୟତୀତ ଓଡ଼ିଶା ଫ୍ୟକଟ୍ରି ଓ ବ୍ରଏଲର ନିରୀକ୍ଷଣ ସେବା ନିୟମ ସଂଶୋଧନ, ଓଡ଼ିଶା ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ,ଓଡ଼ିଶା ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ଓ ଫେବଲେସ ପଲିସି-୨୦୨୩ର ଦ୍ୱିତୀୟ ସଂଶୋଧନ, ଓଡ଼ିଶା ପମ୍ପଡ୍ ସଂରକ୍ଷଣ ପ୍ରକଳ୍ପ ନୀତି ଓ ୨୦୨୩ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଡିସକମ, ଗ୍ରୀଡକୋ ଓ ଅନ୍ୟ ୟୁଟିଲିଟି ଆକାଉଣ୍ଟ ବହିରେ ଥିବା ଆଇବିଆରଡି ଋଣ, କ୍ୟାପେକ୍ସ ଋଣ ଓ ଆର-ଏପିଡିଆରପି ଋଣ ଉପରେ ବକେୟା ଥିବା ସୁଧକୁ ପୁଞ୍ଜିକରଣ କରିବା ଏବଂ ପରବର୍ତ୍ତୀ ଅବଧି ପାଇଁ ଶୂନ ସୁଧ ବହନକାରୀ ଋଣରେ ରୂପାନ୍ତରଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Odisha Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe