ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହେବାକୁ ପ୍ରାୟ ୯ବର୍ଷ ବିତିଲାଣି । ମାତ୍ର ଆଇନ ଅନୁରୂପ ରାଜ୍ୟରୁ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ପୁଣିଥରେ ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଅବଧିକୁ ଆଉ ୬ମାସ ବଢ଼ାଇଛନ୍ତି । ରାଜ୍ୟରେ ଏବେ ୬୬୭୫ ଘରୋଇ ଡିଲର ଅଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ-୨୦୧୬ ଅଧିସୂଚନାରେ ଥିବା ପ୍ରାବଧାନକୁ ଆଉ ୬ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଜି କ୍ୟାବିନେଟ୍ ବୈଠକରେ ମୋଟ ୧୨ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ହୋଇଥିଲା ସେଥିରୁ ୧୪ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ଗୋଟିଏ ପ୍ରସ୍ତାବ ପରବର୍ତ୍ତୀ ଆଲୋଚନା ପାଇଁ ରଖାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଘରୋଇ ଡିଲରମାନଙ୍କୁ ଦିଆଯାଇଥିବା ଲାଇସେନ୍ସର ଅବଧିକୁ ଆଉ ୬ମାସ ବୃଦ୍ଧି ହୋଇଛି । ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଲାଇସେନ୍ସ ଅବଧି ବୃଦ୍ଧି ପାଇବ । ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ-୨୦୧୬ ମାର୍ଚ୍ଚ ମାସରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ-୨୦୧୬ ଅଧିସୂଚନା ଜାରି କରାଯାଇଥିଲା । ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟପଦ୍ଧତି ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା (ନିୟନ୍ତ୍ରଣ)-୨୦୧୬ରେ ଥିବା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକାରୀ ହେଉଛି ।
ଏହି ସାଧାରଣ ବଂଟନ ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ୧୩୨୯୬ସଂଖ୍ୟକ ସୁଲଭ ମୂଲ୍ୟ ଦୋକାନମାନଙ୍କ ମାଧ୍ୟମରେ ସମ୍ପାଦିତ ହେଉଛି । ଏହି ସୁଲଭ ମୂଲ୍ୟ ଦୋକାନମାନଙ୍କ ମଧ୍ୟରୁ ୬୬୨୧ ଗୋଟି ଆନୁଷ୍ଠାନିକ ଡିଲର ଓ ଅବଶିଷ୍ଟ ୬୬୭୫ଗୋଟି ବେସରକାରୀ ଡିଲର ଅଛନ୍ତି ଯାହାଙ୍କର ଲାଇସେନ୍ସ ସମୟସୀମା ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିଲା । ଯେହେତୁ ଏହି ଅବଧି ମାର୍ଚ୍ଚ ୩୧ତାରିଖରେ ଶେଷ ହେଉଛି, ତେଣୁ ସାଧାରଣ ବଂଟନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଯେଉଁ ଡିଲରମାନଙ୍କ ବିରୁଦ୍ଧରେ ଖାଉଟିମାନଙ୍କର ଅଭିଯୋଗ ନାହିଁ ଅବା ତାଙ୍କ ବିରୁଦ୍ଧରେ ଜରୁରୀ ଦ୍ରବ୍ୟ ଆଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ନାହିଁ, ସେହି ଡିଲରମାନଙ୍କର ଲାଇସେନ୍ସଗୁଡ଼ିକର ପୁନଃ ୬ମାସ ନବୀକରଣ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଭୁୂବନେଶ୍ୱର ଉପକଣ୍ଠର ଡେରାସଠାରେ ୩୨୯କୋଟି ଟଙ୍କା ବ୍ୟୟରେ ୬୯୫୨ଟି ବେଡ୍ ବିଶିଷ୍ଟ ୱାର୍କିଂ ୱିମେନ ହଷ୍ଟେଲ ନିର୍ମାଣ କରାଯିବାର ଟେଣ୍ଡରକୁ ଅନୁମୋଦନ ମିଳିଛି । ନିକଟସ୍ଥ ଶିଳ୍ପାଂଚଳ ଓ ସି-ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକମାନଙ୍କ ପାଇଁ ଏଠାରେ ରହିବା ସୁବିଧା ହେବ । ଏହି ହଷ୍ଟେଲ ନିର୍ମାଣ କାର୍ଯ୍ୟ ୨୭ମାସ ମଧ୍ୟରେ ଶେଷ ହେବ । ଉକ୍ତ ପ୍ରକଳ୍ପର ଟର୍ଣ୍ଣ କି ଟେଣ୍ଡର ମୂଲ୍ୟ ୩୨୯କୋଟି ଟଙ୍କା ଓ ଏହି ଟେଣ୍ଡରକୁ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।