ନୂଆବର୍ଷରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ, ସବୁ ଖର୍ଚ୍ଚ ରାଜ୍ୟ କରିବ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବ ।

Representational Image

  • Published: Saturday, 07 October 2023
  • , Updated: 07 October 2023, 08:43 PM IST

ଭୁବନେଶ୍ୱର ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ୨୦୨୪ ଜାନୁୟାରୀ ପହିଲା ନୂଆବର୍ଷ ଦିନ ଶିଳାନ୍ୟାସ କରାଯିବ । ୪ବର୍ଷ ମଧ୍ୟରେ ଏହି ମେଟ୍ରୋ ଟ୍ରେନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏବାବଦରେ ମୋଟ ୫୯୨୯କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ପ୍ରକଳ୍ପ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ଟ୍ରେନର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ଅନୁମୋଦନ କରିଛନ୍ତି ଏବଂ ଏହି ପ୍ରକଳ୍ପ ଫାଇଭ-ଟି ଉପକ୍ରମରେ ହାତକୁ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଓ ୪୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପକୁ ୨୦୨୪ ଜାନୁୟାରୀ ପହିଲାରେ ଶିଳାନ୍ୟାସ କରିବେ । ପ୍ରକଳ୍ପ ସହ ଜଡ଼ିତ ସବୁ ଏଜେନ୍ସୀଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯିଏକି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ୨୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରଠୁ ତ୍ରିଶୁଳିଆ ଛକ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ବର୍ତ୍ତମାନର ରୋଡ୍ ମଝି କିମ୍ବା ପାଶ୍ୱର୍ରେ ଏହି ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉପରେ ରେଳମାର୍ଗ ନିର୍ମାଣ ହେବ । ନନ୍ଦନକାନନ, କିଟ୍ ଛକ, ଡମଣା ଛକ, ଜୟଦେବ ବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁଭବନ ଛକ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଏହି ମେଟ୍ରୋ ଷ୍ଟେସନ ରହିବ ।

ସୂଚନାଯୋଗ୍ୟ, ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଓ ଆନୁସଙ୍ଗିକ ଖର୍ଚ୍ଚବାବଦରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୪.୦୫କୋଟି ଟଙ୍କା ବ୍ୟୟ କରିଛନ୍ତି ।

Related story