Advertisment

କେନ୍ଦ୍ର ପାଖରେ ଦାବି ରଖିଲା ଓଡ଼ିଶା: ସମ୍ବଲପୁରରେ ଦ୍ୱିତୀୟ ଏମସ୍‌, ସୁଭଦ୍ରା ଯୋଜନା ପାଇଁ ସହାୟତା

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଯୋଗ ଦେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।

author-image
Ordigital Desk
BJP

BJP

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସମ୍ବଲପୁରରେ ଦ୍ୱିତୀୟ ଏମସ୍ (ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ) ସ୍ଥାପନ ପାଇଁ ଆଜି କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏହାସହିତ ଚଳିତ ନିର୍ବାଚନରେ ଗେମଚେଞ୍ଜର ‘ସୁଭଦ୍ରା ଯୋଜନା’କୁ କାର୍ଯ୍ୟକାରୀ ପାଇଁ ଆଂଶିକ ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବନିମ୍ନ ୫ଲକ୍ଷ ଘର ଯୋଗାଇ ଦେବାକୁ ଓଡ଼ିଶା ଦାବି ଉପସ୍ଥାପନ କରିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପାଖରେ ଏହା ଓଡ଼ିଶାର ପ୍ରଥମ ଦାବି ।

Advertisment

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଯୋଗ ଦେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଏହି ବୈଠକରେ ଓଡ଼ିଶାର ଅର୍ଥ ସଚିବ ମଧ୍ୟ ସାମିଲ ହୋଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ଆସନ୍ତୁ ଜାଣିବା କ’ଣ ସବୁ ଦାବି ରଖିଲା ଓଡ଼ିଶା

୧- ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ସମ୍ବଲପୁରଠାରେ ଦ୍ୱିତୀୟ ଏମ୍‌ସ ହସ୍ପିଟାଲ ସ୍ଥାପନ ପାଇଁ ବ୍ୟବସ୍ଥା

Advertisment

୨- ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା,

୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଅତିକମରେ ୫ଲକ୍ଷ ଗୃହ ଆଂବଟନ ନିମନ୍ତେ ବଜେଟରେ ବ୍ୟୟବରାଦ

୪-ଓଡ଼ିଶାରେ ଗ୍ରୀନ୍ ଏନର୍ଜି କରିଡ଼ର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ

୫- ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ, ସଂଶୋଧିତ ବିତରଣ ସେକ୍ଟର ସ୍କିମ(ଆରଡିଏସଏସ) ଅଧୀନରେ ଓଡ଼ିଶାର ବିଦ୍ୟୁତ ବିତରଣ ସଂସ୍ଥା(ଡିସକମ)ଗୁଡ଼ିକୁ ସାମିଲ କରିବା, ସବୁଜ ହାଇଡ୍ରୋଜେନ୍ ଭଳି ନୂଆ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା

୬-ଓଡ଼ିଶାରେ ନୂଆ ସହରର ବିକାଶ ଓ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା

୭- ଓଡ଼ିଶାରେ ଜାତୀୟ ରାଜପଥ ବିଶେଷକରି କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ

୮-ଓଡ଼ିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡ଼ିଶାକୁ ପୁଞ୍ଜିନିବେଶର କେନ୍ଦ୍ର ଭାବେ ଉପଯୁକ୍ତ ପ୍ରୋତ୍ସାହନ

୯- ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା

୧୦- ଭିତ୍ତିଭୂମି ବ ିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିନିବେଶ ନିମନ୍ତେ ୨୦୨୪-୨୫ରେ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ରାଜ୍ୟକୁ ଅଧିକ ଆବଂଟନ

୧୧-କେନ୍ଦ୍ର ବଜେଟରେ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ଅଧୀନରେ ରାଜ୍ୟୱାରି ବାର୍ଷିକ ଆବଂଟନର ଅଗ୍ରୀମ ସୂଚନା ପ୍ରଦାନ, ଯାହା ରାଜ୍ୟକୁ ନିଜସ୍ୱ ବଜେଟ ପ୍ରସ୍ତୁତିକୁ ବାସ୍ତବବାଦୀ ଓ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ ।

ସୂଚନାଯୋଗ୍ୟ, ପୂର୍ବର ବିଜେଡି ସରକାର ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏକାଧିକବାର ଦାବି ଉପସ୍ଥାପନ କରିଥିଲେ । ଯାହାକୁ କେନ୍ଦ୍ର ସରକାର ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ କେନ୍ଦ୍ରର ଏନଡିଏ ସରକାର ଏହି ଦାବି ପ୍ରତି ସକରାତ୍ମକ ଆଭିମୁଖ୍ୟ ପୋଷଣ କରିବେ ବୋଲି ଚର୍ଚ୍ଚା ହେଉଛି ।

Bjp Odisha Budget