Advertisment

ରାଜ୍ୟରେ ଆଜିଠାରୁ ଚାଲିଲା ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ଆଉ ଗୋଟିଏ ଗଡ଼ିବ

ପୂର୍ବରୁ ଓଡ଼ିଶାରେ ତିନିଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଥିଲା।

ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

Advertisment

ଆଜି ଗଡ଼ିଲା ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ। କାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ। ପୂର୍ବରୁ ଓଡ଼ିଶାରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ୁ ଥିଲା। ଏଥିରେ ଆଉ ୨ ଯୋଡ଼ି ହୋଇଛି। କାଲି ଆଉ ଗୋଟିଏ ଯୋଡ଼ି ହେବ।

Advertisment

ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟରେ ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବ ଭାରତର ଆର୍ଥିକ ପ୍ରଗତିରେ
ସହାୟକ ହେବ। ଆର୍ଥିକ ବିକାଶ ପାଇଁ ଆଧୁନିକ ରେଳ ବିକାଶ ନିତ୍ୟାନ୍ତ ଜରୁରୀ। ସେଥିପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

ଏହି ଅବସରରେ ବ୍ରହ୍ମପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବା ଫଳରେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ଯୋଡ଼ି ହେଲା। ରୋଜଗାର ଏବଂ ଉଦ୍ୟୋଗ ପାଇଁ ଏହା ସହାୟକ ହେବ। ଆଗାମୀ ଦିନରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍ ଡିଭିଜନଗୁଡିକୁ ରେଳ ପଥ ସଂଯୋଗ ହେବ। ଗତ ମାସରେ ଆସିଥିବା ୬ଟି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ବି ଖୁବ୍ ଶୀଘ୍ର ସରିବ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବ ସରକାର ଜମି ଅଧିଗ୍ରହଣରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁନଥିଲେ। କିନ୍ତୁ ଡବଲ୍ ଇଞ୍ଜିନ ସରକାରରେ ବନ୍ଦେ ଭାରତ ଏକ୍ସପ୍ରେସ ବେଗରେ ତାଙ୍କ ସରକାର କାମ କରିବ।

ନିଜେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଏଁ ଯାତ୍ରା କରିବା ସହିତ ଚିଲିକାର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ତା’ ସହ ସମସ୍ତ ବଗି ବୁଲି ଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁର୍ଗ ରେଳଷ୍ଟେନରୁ ପତାକା ଦେଖାଇ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ। ଏହି ବନ୍ଦେ ଭାରତ ଏକ୍ସପ୍ରେସଟି ଦୁର୍ଗରୁ ବାହାରି ରାୟପୁର, ମହସମୁନ୍ଦ, ଓଡ଼ିଶାର ଖରିଆର୍ ରୋଡ୍, କଣ୍ଟାବାଞ୍ଜି, ଟିଟିଲାଗଡ, କେସିଙ୍ଗା ଓ ରାୟଗଡ଼ା ଦେଇ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଇତ୍ୟାଦି ଷ୍ଟେସନ ଅତିକ୍ରମ କରି ବିଶାଖାପାଟଣା ପହଞ୍ଚିବ।

ନୂଆ ବନ୍ଦେ ଭାରତରେ ରହିଛି ଅଧିକ ଅତ୍ୟାଧୁନିକ ସୁବିଧା

ପୁରୁଣା ବନ୍ଦେ ଭାରତ ଅପେକ୍ଷା ନୂଆ ବନ୍ଦେ ଭାରତରେ ରହିଛି ଅଧିକ ଅତ୍ୟାଧୁନିକ ସୁବିଧା। ନୂଆ ଟ୍ରେନ, ପୂର୍ବ ଟ୍ରେନ ଅପେକ୍ଷା ଓଜନରେ ୩୬ ଟନ୍ କମ୍। ସେହିପରି ନୂଆ ବନ୍ଦେ ଭାରତ ୧୫ ପ୍ରତିଶତ କମ୍ ବିଜୁଳି ବ୍ୟୟ କରିବ। ସବୁଠୁ ବଡ଼ ଫିଚର ରହିଛି ଫୋଟୋ କାଟାଲିକ ୟୁଭି ଏୟାର ପ୍ୟୁରିଫିକେସନ। ଅର୍ଥାତ ଏହା ଦ୍ୱାରା ବାୟୁମଣ୍ଡଳରୁ ପୂରା ନିର୍ମଳ ବାୟୁ ବଗି ଭିତରକୁ ଆସିବ। ସେହିପରି ଟ୍ରେନରେ ସମସ୍ତ ବ୍ୟବସ୍ଥା ଟଚ୍ ଫ୍ରି ରହିଛି। ଯେମିତି ବାର୍ଥ ରୁମ୍ ଡୋର, ପିଇବା ପାଣି, ଲାଇଟ୍। ସେହିପରି ୱାଇଫାଇ, LED ଲାଇଟ୍ ସହ ଡିଜିଟାଲ ଡିସ୍‌ପ୍ଲେ ସାହାଯ୍ୟରେ ଯାତ୍ରୀ ପାଇବେ ସମସ୍ତ ତଥ୍ୟ। ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବାୟୋ ଭାକ୍ୟୁମ ଟଏଲେଟ୍ ଲଗାଯାଇଛି। ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଦେଖି ପ୍ରଥମ ଦିନରେ ଟ୍ରେନରେ ଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।

ଯିବାଆସିବା ସମୟ

ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ବ୍ରହ୍ମପୁରରୁ ସକାଳ ୫ଟା ୧୫ରୁ ବାହାରି ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବାଂଶପାଣି, ଚାଇବସା ଷ୍ଟେସନ ଦେଇ ଟାଟନଗରରେ ଦିନ ୨ଟା ୨୦ରେ ପହଞ୍ଚିବ। ସେହିପରି ଟାଟାନଗରରୁ ଦିନ ୨ଟା ୫୦ରେ ଛାଡ଼ି ରାତି ୧୧ଟା ୫୫ରେ ବ୍ରହ୍ମପୁରରେ ପହଞ୍ଚିବ।

ରାଉରକେଲା-ହାୱଡ଼ା ବନ୍ଦେ ଭାରତ ରାଉରକେଲାରୁ ଦିନ ଗୋଟାଏ ୪୦ରେ ବାହାରି କୋଲକାତାରେ ସଂଧ୍ୟା ୭ଟା ୪୦ରେ ପହଞ୍ଚିବ। ଏହି ଟ୍ରେନ୍ ଚକ୍ରଧରପୁର, ଟାଟାନଗର, ଖଡଗପୁରରେ ରହିବ। ଦୁଇଟି ଯାକ ଟ୍ରେନ ମଙ୍ଗଳବାର ଛଡା ସପ୍ତାହର ଅନ୍ୟ ୬ ଦିନ ଚାଲିବ।

Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe