Advertisment

୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର

ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

author-image
Ordigital Desk
ଅଦ୍ୟତନ ହୋଇଛି
Chemical plant (File Photo)

Chemical plant (File Photo)

ରାଜ୍ୟରେ ଆଉ ୧୩୬୬୨୨.୨୪କୋଟି ଟଙ୍କାର ୨୦ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟଥର ପାଇଁ ଆଜି ହାଇଲେଭଲ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ) ବୈଠକ ବସି ଏହି ୧.୩୬ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚଏଲସିଏ ବୈଠକରେ ନିବେଶକଙ୍କ ପାଇଁ ଅନୁକୂଳ ଇକୋ-ସିଷ୍ଟମ ଯୋଗାଇବାର ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉତ୍କର୍ଷ ଓଡ଼ିଶା-୨୦୨୫ ରାଜ୍ୟ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଯାହାକି ଓଡ଼ିଶାକୁ ପ୍ରମୁଖ ନିବେଶର କେନ୍ଦ୍ରସ୍ଥଳୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ବୈଠକରେ ଯେଉଁ ୨୦ଟି ପ୍ରକଳ୍ପକୁ ଏଚଏଲସିଏ ମଞ୍ଜୁରୀ ମିଳିଛି ସେଗୁଡ଼ିକ ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପନ ହେବାର ପ୍ରସ୍ତାବ ରହିଛି। ୯ଟି ଭିନ୍ନ ଭିନ୍ନ କ୍ଷେତ୍ରର ମୋଟ ୨୦ଟି ଶିଳ୍ପ ପ୍ରକଳ୍ପକୁ ଆଜି ମଞ୍ଜୁରୀ ମିଳିଛି। ଏଥିରେ ଷ୍ଟିଲ, କେମିକାଲ, ଆଲୁମିନିୟମ, ଆଭିଏସନ୍ ଫୁଏଲ, ଗ୍ରୀନ୍ ଏନର୍ଜି ଆଣ୍ଡ ଇକ୍ୱିପମେଂଟ, ଆପାରେଲ ଓ ଟେକ୍ସଟାଇଲ, ବିଦ୍ୟୁତ ଓ ଅକ୍ଷୟଶକ୍ତି, ସିମେଂଟ ଉତ୍ପାଦନ ଆଦି ରହିଛି।

ଆଜିର ବୈଠକରେ ଯେଉଁସବୁ ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ସେଥିରେ ଯାଜପୁରରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ୬୧ ହଜାର ୭୬୯ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ ରହିଛି। ଏହି ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ଫଳରେ ଅତିରିକ୍ତ ୧୪ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। କମ୍ପାନୀର ଉତ୍ପାଦନ କ୍ଷମତା ବାର୍ଷିକ ୦.୯୮ ନିୟୁତ ଟନରୁ ୯.୫୦ ନିୟୁତ ଟନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସେହିପରି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ସମ୍ବଲପୁରରେ ନିଜର ପ୍ଲାଂଟର ସମ୍ପ୍ରସାରଣ କରିବ। ଏଥିରେ ୧୦୬୪୫ କୋଟି ଟଙ୍କା ନିବେଶ କରିବ ଓ ୧୫୦୫ଜଣଙ୍କୁ ଅତିରିକ୍ତ ନିଯୁକ୍ତି ଯୋଗାଇ ଦେବ। ଅମ୍ବୁଜା ସିମେଂଟ ଦ୍ୱାରା ମାଲକାନଗିରିରେ ୪ହଜାର କୋଟି ଟଙ୍କା ନିବେଶରେ ସିମେଂଟ ଉତ୍ପାଦନ କରାଯିବ, ଏଥିରେ ପ୍ରାୟ ୧୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

Advertisment

ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁରରେ ‘ଉତ୍କର୍ଷ ଓଡ଼ିଶା’ ରୋଡ ଶୋ’ ମାଧ୍ୟମରେ ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରଇଛି। ଚଳିତବର୍ଷ ଜୁନ୍‌ରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶା ୭୩ଟି ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧.୮୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିପାରିଛି। ଏହା କାର୍ଯ୍ୟକ୍ଷମ ହେଲେ ପ୍ରାୟ ୧.୧ଲକ୍ଷ ଚାକିରି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

Odisha Mohan Charan Majhi HLCA Investment Projects Utkarsh Odisha