ସରକାରଙ୍କୁ ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ଓଡ଼ିଶା ମେଡିକାଲ ସେବା ସଂଘ ବା ଓମସା।

କ୍ଷତିଗ୍ରସ୍ତ ଆମ୍ବୁଲାନ୍ସ ଓ ଔଷଧ ବିତରଣ କେନ୍ଦ୍ର

  • Published: Sunday, 22 October 2023
  • , Updated: 22 October 2023, 03:49 PM IST

ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ଓଡ଼ିଶା ମେଡିକାଲ ସେବା ସଂଘ ବା ଓମସା। ସରକାରୀ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନେ ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରୁଥିବାରୁ ଏହାକୁ ଓମସା ପକ୍ଷରୁ ନିନ୍ଦା କରାଯାଇଛି।

ବିଶେଷ କରି କଟକ ଆଠଗଡ଼ କାନପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିବା ଘଟଣାକୁ ନେଇ ତାତିଛି ଓମସା। ଯଦି ସରକାର ଦୋଷୀଙ୍କ ବିରୋଧରେ ତୁରନ୍ତ ତଥା କଠୋର କାର୍ଯ୍ୟନୁଷ୍ଠାନ ନ ନେବେ, ତା’ହେଲେ ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଓମସାର ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ କହିଛନ୍ତି, ଆଠଗଡ଼ର କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରେରେ ଘଟିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ରୋଗୀଙ୍କ ସମ୍ପର୍କୀୟ ମଦ ଖାଇ ଆସି ଡାକ୍ତରଙ୍କୁ ମାଡ଼ ମାରିବାକୁ ଗୋଡ଼ାଇଥିଲେ। ସେଠାକାର ସୁରକ୍ଷା କର୍ମଚାରୀ ଓ ଦିଦିମାନଙ୍କ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି।  ଏଥିସହ ସହ ଆମ୍ବୁଲାନ୍ସ ଓ ଡାକ୍ତରଖାନାର ଝରକା କାଚ ଭାଙ୍ଗିଛନ୍ତି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ ୩ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ଡାକ୍ତରଙ୍କୁ ଏଭଳି ଆକ୍ରମଣ କରାଯାଇଛି। ତେଣୁ ସରକାରୀ ଡାକ୍ତରଖାନାରେ କାମ କରିବାକୁ ଏବେ ଡାକ୍ତରମାନେ ଭୟ କଲେଣି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୋଷୀଙ୍କ ରୋଧରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

ଏଭଳି ଘଟଣାରେ ଦୋଷୀଙ୍କୁ ସଶ୍ରମ କାରାଦଣ୍ଡ ଦିଆଯାଉ। କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁଣ୍ଡାଗର୍ଦ୍ଦି କରିଥିବା ଲୋକଙ୍କ ବିରୋଧରେ ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନଚେତ ଡାକ୍ତରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧର୍ମଘଟକୁ ଓହ୍ଲାଇବ ବୋଲି ସେ ଚେନାବନୀ ଦେଇଛନ୍ତି।

Related story