ଆସାମ ସରକାରଙ୍କ ଦ୍ୱାରା ରାଜ୍ୟରେ ଗୋମାଂସ ଖାଇବା ଉପରେ କଟକଣା ଜାରି କରାଯିବା ପରେ ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ଓଡ଼ିଶାରେ ଗୋହତ୍ୟା ଓ ଗୋମାଂସ ଚାଲାଣ ବନ୍ଦ କରାଯିବା ପାଇଁ ଖୁବଶୀଘ୍ର କଡ଼ା ଆଇନ୍ ସହ ବିଲ୍ ଆଣିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବାକୁ ଆମର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ୍ ମଧ୍ୟ ଆସୁଥିବା ନଜରକୁ ଆସିଛି । ରାଜ୍ୟ ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଗୋହତ୍ୟା ଓ ଗୋଚାଲାଣ ରୋକାଗଲେ ଗୋବଂଶ ବୃଦ୍ଧି ହେବ। ଯେଉଁମାନେ ଗୋ-ଚାଲାଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତରପ୍ରଦେଶ ପ୍ରଥମ ଓ ମଧ୍ୟପ୍ରଦେଶ ଦ୍ୱିତୀୟରେ ରହିଛି । ସେସବୁ ରାଜ୍ୟରେ ଗୋମାତା’କୁ କାଟିବାକୁ ଫ୍ୟାକ୍ଟରିଂ ହୋଇଛି । ସେଥିରେ କେଉଁ ଦଳ ଲୋକ ସମ୍ପୃକ୍ତ, ଜାଣିବା ଦରକାର । ଆନ୍ଧ୍ରକୁ କେଉଁମାନେ ଗାଁ ଷଣ୍ଢ ଚାଲାଣ କରୁଛନ୍ତି । ତାହା ସ୍ପଷ୍ଟ ହେବା ଦରକାର । ଗୋହତ୍ୟା ନିରୋଧ ଆଇନକୁ ବିରୋଧ କରୁନୁ । ହେଲେ ଆଗ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି ସେ କହିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।