କ୍ଷମତା ନିଶାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସ୍ୱତନ୍ତ୍ର ପୁଲିସ ଆଇନ ନାହିଁ କି ପୁଲିସ ପ୍ରଶାସନରେ ଏପର୍ଯ୍ୟନ୍ତ ସଂସ୍କାର ଆସିପାରିନି କିମ୍ବା ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଓଡ଼ିଶା ପାଳନ କରିବାରେ ଆଗ୍ରହ ଦେଖାଇନି। ଗତ ୮ବର୍ଷ ତଳେ ରାଜ୍ୟପାଳ ଫେରାଇଥିବା ଓଡ଼ିଶା ପୁଲିସ ବିଲ୍କୁ ସଂଶୋଧନ କରି ବିଧାନସଭାରେ ଆଗତ ପାଇଁ ସରକାର ସାମାନ୍ୟତମ ପ୍ରୟାସ ମଧ୍ୟ କରିନାହାନ୍ତି । ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯିଏ ରାଜ୍ୟ ନିରାପତ୍ତା ଆୟୋଗ ଗଠନ କରିନାହିଁ । ଇତିମଧ୍ୟରେ ୩ଜଣ ରାଜ୍ୟପାଳ ଗଲେଣି, କିନ୍ତୁ ବିଲ୍ ଉପରେ ରାଜ୍ୟପାଳ ମାଗିଥିବା ସ୍ପଷ୍ଟୀକରଣ ସରକାରଙ୍କ ପକ୍ଷରୁ ଦିଆଯାଉନି କିମ୍ବା ସଂଶୋଧିତ ରୂପରେ ବିଧାନସଭାରେ ଏହାକୁ ଆଗତ ମଧ୍ୟ କରାଯାଉନି । ଏଭଳି ଅବ୍ୟବସ୍ଥା ମଧ୍ୟରେ ରାଜ୍ୟରେ ପୁଲିସ ପ୍ରଶାସନ ପରିଚାଳିତ ହେଉଛି, ଯାହାକି ସିଧାସଳଖ ସୁପ୍ରିମକୋର୍ଟଙ୍କ ଅବମାନନା । ତଥାପି ପୁଲିସ ପ୍ରଶାସନ ଉପରେ ମାତ୍ରାଧିକ ହସ୍ତକ୍ଷେପ ଜାରି ରଖିବାକୁ ଓଡ଼ିଶା ସରକାର ଗତ ୮ବର୍ଷ ଧରି ‘ଓଡ଼ିଶା ପୁଲିସ ବିଲ୍’କୁ ଡଷ୍ଟବିନରେ ପକାଇ ରଖିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଦେଶରେ ପୁଲିସ ସଂସ୍କାର ନିମନ୍ତେ ୨୦୦୬ ମସିହାରେ ପ୍ରକାଶ ସିଂ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଓଡ଼ିଶା ଏପର୍ଯ୍ୟନ୍ତ ପାଳନ କରିନି। ସରକାର ଓ ରାଜନେତାଙ୍କ ପ୍ରଭାବରୁ ପୁଲିସକୁ ମୁକ୍ତ ରଖିବା ପାଇଁ ପୁଲିସ ସଂସ୍କାର ଆଣିବା ନିମନ୍ତେ ସୁପ୍ରିମକୋର୍ଟ ଦେଇଥିବା ରାୟ ଓ ମାନଦଣ୍ଡକୁ ପାଳନ ଉପରେ ଓଡ଼ିଶା ସରକାର ଆଖିବୁଜି ଦେଇଛନ୍ତି। କେବଳ ଲୋକଦେଖାଣିଆ ନିର୍ଦ୍ଦେଶକ ଅନୁପାଳନ ଭାବେ ପୁଲିସ ଡିଏସପି ଓ ନିମ୍ନ ପାହ୍ୟାର ଅଫିସରଙ୍କ ବଦଳି ଓ ନିଯୁକ୍ତି ନିମନ୍ତେ ‘ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ’ ଡିଜି ଓ ୪ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଗଠନ ହୋଇଛି । ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ କରିବା ଏବଂ ଡିଜିପିଙ୍କ ଚୟନ ପ୍ରକ୍ରିୟା ୟୁପିଏସସି ଦ୍ୱାରା କରାଇବା ପାଇଁ ଥିବା ନିର୍ଦ୍ଦେଶକୁ ମାତ୍ର ଗୋଟିଏଥର ଓଡ଼ିଶା ସରକାର ଅନୁପାଳନ କରିଛନ୍ତି। ଏହି ଦୁଇଟି ମାନଦଣ୍ଡକୁ ବାଦ୍ ଦେଲେ ଆଉ ପ୍ରାୟ ୧୬ଟି ମାନଦଣ୍ଡ(ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ) ଉପରେ ଓଡ଼ିଶା ସରକାର ନିରବ ରହିଛନ୍ତି।
ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଯେଉଁ ନିର୍ଦ୍ଦେଶନାମା ଓ ମାନଦଣ୍ଡ ପାଳନ ପାଇଁ ଓଡ଼ିଶା ସରକାର ଆଗ୍ରହ ଦେଖାଇନାହାନ୍ତି ସେଗୁଡ଼ିକ ହେଲା- ରାଜ୍ୟ ନିରାପତ୍ତା ଆୟୋଗ ଗଠନ, ଆୟୋଗର ବାର୍ଷିକ ରିପୋର୍ଟ ପ୍ରସ୍ତୁତ ସହ ଏହାକୁ ବିଧାନସଭାରେ ଉପସ୍ଥାପନ, ଡିଜିପିଙ୍କୁ ସର୍ବନିମ୍ନ ୨ବର୍ଷ ଅବଧି ପୂର୍ବରୁ କାଢ଼ିବା ପାଇଁ ଉଦ୍ଦିଷ୍ଟ ୪ଟି ସର୍ତ୍ତ ପାଳନ, ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ମାଧ୍ୟମରେ ଏସପି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରଙ୍କ ବଦଳି ଓ ନିଯୁକ୍ତିର ସୁପାରିଶ, ବଦଳି ଓ ନିଯୁକ୍ତି ନିଷ୍ପତ୍ତି ଉପରେ ଅପିଲ୍ ପାଇଁ ଅଫିସରଙ୍କୁ ସୁଯୋଗ, ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଭିନ୍ନ ଭିନ୍ନ ପୁଲିସ ଅଭିଯୋଗ ପ୍ରାଧିକରଣ ଗଠନ, ତଦନ୍ତ ଓ ଆଇନଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍ ଆଦି ନିମନ୍ତେ ସୁପ୍ରିମକୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଥିଲେ । ଦେଶର ପ୍ରାୟତଃ ସମସ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ‘ରାଜ୍ୟ ନିରାପତ୍ତା ଆୟୋଗ’ ଗଠନ କରିଥିଲେ ମଧ୍ୟ ଏକମାତ୍ର ରାଜ୍ୟ ଓଡ଼ିଶା ଏଥିରୁ ବାଦ୍ ପଡ଼ିଛି ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ ପାଇଁ କେନ୍ଦ୍ର ସରକାରଙ୍କ ବାରମ୍ବାର ଚାପ ପଡ଼ିବା ପରେ ରାଜ୍ୟ ସରକାର ୨୦୧୫ ମସିହାରେ ଓଡ଼ିଶା ପୁଲିସ ବିଲକୁ ବିଧାନସଭାରେ ଆଗତ କରିଥିଲେ । ଓଡ଼ିଶା ପୁଲିସ ଆକ୍ଟ-୧୮୬୧ ଓ ଓଡ଼ିଶା ଆର୍ମଡ ପୁଲିସ ଆକ୍ଟ ୧୯୪୬କୁ ମିଶାଇ ସରକାର ‘ଓଡ଼ିଶା ପୁଲିସ ବିଲ୍-୨୦୧୫’ ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ କକ୍ଷତ୍ୟାଗ ଓ ହଟ୍ଟଗୋଳ ମଧ୍ୟରେ ବିଜେଡି ସରକାର ୨୦୧୫ ଅଗଷ୍ଟ ୨୭ତାରିଖରେ ‘ଓଡ଼ିଶା ପୁଲିସ ବିଲ୍-୨୦୧୫’କୁ ଗୃହୀତ କରାଇ ନେଇଥିଲେ । ପୁଲିସ ବିଲରେ ତ୍ରୁଟି ଓ ମାନବିକ ଉଲ୍ଲଘଂନ ହେଉଥିବା ଦର୍ଶାଇ ରାଜ୍ୟପାଳଙ୍କ ନିକଟରେ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ନାଗରିକ ସମାଜ ଫେରାଦ ହେବାପରେ ତତକାଳୀନ ରାଜ୍ୟପାଳ ଏସ ସି ଜମିର ୨୦୧୫ ନଭେମ୍ବର ମାସରେ ଉକ୍ତ ବିଲର କେତେକ ପ୍ରାବଧାନ ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ । ସେବେଠୁ ଏହି ବିଲକୁ ସରକାର ଡଷ୍ଟବିନରେ ପକାଇ ରଖିଛନ୍ତି। ଆଉ ପୁଲିସ ପ୍ରଶାସନ ଉପରେ ମାତ୍ରାଧିକ ହସ୍ତକ୍ଷେପ ବଢ଼ିଚାଲିଛି।
ଇତିମଧ୍ୟରେ ରାଜ୍ୟପାଳ ଭାବେ ଏସସି ଜମିର, ସତ୍ୟପାଲ ମଲ୍ଲିକ(୨ମାସ) ଓ ପ୍ରଫେସର ଗଣେଶୀଲାଲ( ସାଢ଼େ ୫ବର୍ଷ) ରହିଥିଲେ ମଧ୍ୟ ଏହି ପୁଲିସ ବିଲ୍ ନେଇ କୌଣସି ପ୍ରକାରର ଖୋଳତାଡ଼ ମଧ୍ୟ ରାଜଭବନ ପକ୍ଷରୁ ହୋଇନଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ମଧ୍ୟ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କାହିଁକି ହେଉନି ସେନେଇ ତାଗିଦ୍ କରୁନଥିବାରୁ ଓଡ଼ିଶା ସରକାର ଅଚିନ୍ତାରେ ବସିଛନ୍ତି। ସୁପ୍ରିମକୋର୍ଟଙ୍କ ଅବମାନନା ଖୋଲାଖୋଲି ହୋଇଥିଲେ ମଧ୍ୟ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଓ ସଚେତନ ନାଗରିକ ସମାଜ ନିରବ ରହିଛନ୍ତି । ଯାହାର ଫାଇଦା ନେଇ ରାଜ୍ୟ ସରକାର ବି ସଂଶୋଧିତ ପୁଲିସ ବିଲ୍ ଆଣିବାକୁ ଆନ୍ତରିକତା ଦେଖାଉନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।