
୨୦୨୩ ବର୍ଷ ପାଇଁ ଡ. ପ୍ରଣବ କିଶୋର ପଟ୍ଟନାୟକଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ
କଳା,ସଂସ୍କୃତି, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଶିଷ୍ଟ ପ୍ରତିଭାମାନଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ସମ୍ମାନିତ କରାଯାଇଛି । ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏକକାଳୀନ ୩ବର୍ଷର ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩, ୨୦୨୪ ଓ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ଉତ୍ସବ ପାଳନ ହୋଇଛି ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ତିନି ବର୍ଷ ପାଇଁ ଛଅ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ପ୍ରଦାନ କରାଯାଇଛି । ୨୦୨୩ ବର୍ଷ ପାଇଁ ଡ. ପ୍ରଣବ କିଶୋର ପଟ୍ଟନାୟକ ଓ ବାଦଲ ଶିକ୍ଦାର ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ୨୦୨୪ ବର୍ଷ ନିମନ୍ତେ ମୋହିନୀ ମୋହନ ପଟ୍ଟନାୟକ ଓ ସୁଧାକର ସାହୁ ପୁରସ୍କୃତ ହୋଇଥିବାବେଳେ ୨୦୨୫ ବର୍ଷ ପାଇଁ ଘନଶ୍ୟାମ ପଣ୍ଡା ଓ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନ ଦିଆଯାଇଛି ।
୨୦୨୫ ବର୍ଷର ପୁରସ୍କାର ବିଜେତା
୨୦୨୫ ବର୍ଷ ପାଇଁ ଅଭିନୟ କ୍ଷେତ୍ରରେ ଶତୃଘ୍ନ ମାଟି , ଲକ୍ଷ୍ମୀପ୍ରଭା ପତି ଓ ଦିଲ୍ଲୀପ କୁମାର ଦାଶଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ନାଟ୍ୟ ରଚନା ପାଇଁ ପଂଚାନନ ଦାଶ ଏବଂ ନିର୍ଦେ୍ଦଶନା ପାଇଁ ସୁଧାଂଶୁ ମୋହନ ଦ୍ୱିବେଦୀ ମନୋନୀତ ହୋଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ସୁଗମ ସଙ୍ଗୀତ ପାଇଁ ମହାପ୍ରସାଦ କର , ସଙ୍ଗୀତ ନିର୍ଦ୍ଦେଶନା ପାଇଁ କୃପାସିନ୍ଧୁ ବେହେରା ଓ ନବୀନ କିଶୋର ପଟ୍ଟନାୟକ ଏବଂ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ନିମାକାନ୍ତ ରାଉତରାୟ ଙ୍କୁ ସମ୍ମାନିତ କରାଯାଇଛି ।
କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ୨୦୨୫ ଅନ୍ତର୍ଗତ ସଙ୍ଗୀତ ବିଭାଗରେ ବିଷ୍ଣୁମୋହନ କବି , ବାଦ୍ୟରେ ବୈଭବ ଦାଶ ଏବଂ ଓଡ଼ିଶୀ ନୃତ୍ୟରେ ଅରୂପା ଗାୟତ୍ରୀ ପଣ୍ଡାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
୨୦୨୪ ବର୍ଷର ପୁରସ୍କାର ବିଜେତା
୨୦୨୪ ବର୍ଷ ପାଇଁ ଅଭିନୟ ନିମନ୍ତେ ସତ୍ୟ ରଞ୍ଜନ ବେହେରା , ଅଶ୍ରୁମୋଚନ ମହାନ୍ତି ଓ ପ୍ରକାଶ ମହାରଣାଙ୍କୁ ପୁରସ୍କାର ମିଳିଛି । ନାଟ୍ୟ ରଚନାରେ ଡ. ସମର ମୁଦାଲି ଓ ପ୍ରଦୀପ ଭୌମିକ ଏବଂ ନିର୍ଦେ୍ଦଶନାରେ ମିହିର ମେହେର ସମ୍ମାନିତ ହୋଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ସୁଗମ ସଙ୍ଗୀତ ପାଇଁ ବିଷ୍ଣୁଚରଣ ନାୟକ (ସୌରଭ) , ସଙ୍ଗୀତ ନିର୍ଦେ୍ଦଶନା ପାଇଁ ମନ୍ମଥ କୁମାର ମିଶ୍ର ଓ ପ୍ରଫୁଲ କୁମାର ମିତ୍ର ଏବଂ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ମହାପାତ୍ର ମିନତି ଭଞ୍ଜଙ୍କୁ ଚୟନ କରାଯାଇଛି । କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ୨୦୨୪ ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତରେ ହିମାଂଶୁ ଶେଖର ସ୍ୱାଇଁ , ଓଡ଼ିଶୀ ନୃତ୍ୟରେ ଗୌରୀଶଙ୍କର ଦାଶ ଏବଂ ଛଉନୃତ୍ୟରେ ଶିବଚରଣ ମହାନ୍ତ ପୁରସ୍କାର ପାଇଛନ୍ତି ।
୨୦୨୩ ବର୍ଷର ମୁଖ୍ୟ ପୁରସ୍କାର ବିଜେତା
୨୦୨୩ ବର୍ଷ ପାଇଁ ଅଭିନୟ କ୍ଷେତ୍ରରେ ଡ. ସମିତାରାଣୀ ମହାନ୍ତି , ପ୍ରେମାଞ୍ଜନ ପରିଡ଼ା ଓ ଅନୁଜ କୁମାର ପଟ୍ଟନାୟକଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ନାଟ୍ୟ ରଚନା ପାଇଁ ନୀଳାଦ୍ରି ଭୂଷଣ ହରିଚନ୍ଦନ ଏବଂ ନିର୍ଦ୍ଦେଶନା ପାଇଁ ଲଲାଟେନ୍ଦୁ ରଥ ଓ ସତ୍ୟ ନାରାୟଣ ଜେନା ପୁରସ୍କୃତ ହୋଇଛନ୍ତି । ସଙ୍ଗୀତ ବିଭାଗରେ ଭକ୍ତି ସଙ୍ଗୀତ ପାଇଁ ଦୁଃଖୁଶ୍ୟାମ ତ୍ରିପାଠୀ , ସୁଗମ ସଙ୍ଗୀତ ପାଇଁ ଆଦ୍ୟାଶା ଦାସ , ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଅଲେଖ ଚନ୍ଦ୍ର ସାମଲ ଏବଂ ସଙ୍ଗୀତ ନିର୍ଦେ୍ଦଶନା ପାଇଁ ରମେଶ ମହାନନ୍ଦ ଓ ଓମ୍ ପ୍ରକାଶ ମହାନ୍ତିଙ୍କୁ ଚୟନ କରାଯାଇଛି । କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ବର୍ଗରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ରୂପକ କୁମାର ପରିଡ଼ା , କଣ୍ଠ ସଙ୍ଗୀତ ପାଇଁ ଡାକ୍ତର ଚନ୍ଦନ କୁମାର ଗନ୍ତାୟତ ଓ ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ୱାଇଁ ଓ ରାଜଶ୍ରୀ ପ୍ରହରାଜଙ୍କୁ ସମ୍ମାନିତ କରାଯାଇଛି ।
ସେହିପରି ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତରେ ସୁନନ୍ଦା ପଟ୍ଟନାୟକ ସମ୍ମାନ ଯଥାକ୍ରମେ ରଞ୍ଜିତ କୁମାର ମହାପାତ୍ର (୨୦୨୩) , କରୁଣାକର ନାୟକ ଓ ରାଜେଶ ଷେଣ୍ଢ (୨୦୨୪) ଓ ଚନ୍ଦନ କୁମାର ଜେନା (୨୦୨୫) ଙ୍କୁ ପ୍ରଦାନ କରାଯାଇଛି । କଳା କ୍ଷେତ୍ରରେ ଗବେଷଣା ପାଇଁ କୀର୍ତ୍ତନ ନାରାୟଣ ପାଢ଼ୀ , ଡକ୍ଟର ଶ୍ୟାମସୁନ୍ଦର ଧର , ଶୁଭକାନ୍ତ ପାଢ଼ୀ ଏବଂ ଡ. ପ୍ରସନ୍ନ ମିଶ୍ର ସମ୍ମାନିତ ହୋଇଛନ୍ତି । କଳା ସଂଗଠନ କ୍ଷେତ୍ରରେ ୨୦୨୫ ପାଇଁ ପୁରୀର ଅନ୍ନପୂର୍ଣ୍ଣା ଥିଏଟର ‘ଏ’ ଗ୍ରୁପ୍ ଏବଂ ବଲାଙ୍ଗୀରର ଦୁଲଦୁଲି କଳାପରିଷଦକୁ ସମ୍ମାନିତ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
