ବିଏମସିକୁ OHRCଙ୍କ ନୋଟିସ, ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦିଅ

ଏହି ଘଟଣାକୁ ନେଇ ବିଏମସି କମିଶନରଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ(OHRC) ।

ଭୁବନେଶ୍ୱର ସୈନିକ ସ୍କୁଲ ପାଖରେ ଗଦା ହୋଇଥିବା ଅଳିଆ ପାହାଡ଼ ।

  • Published: Monday, 06 November 2023
  • , Updated: 06 November 2023, 02:02 PM IST

ରାଜଧାନୀର ସୈନକ ସ୍କୁଲ ପାଖରେ ଜମିଥିବା ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ । ବିଏମସି ଅଳିଆ ପାହାଡ ହଟାଇବା ନେଇ ଦିନ ଗଡ଼ାଉଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଏହି ଘଟଣାକୁ ନେଇ ବିଏମସି କମିଶନରଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ(OHRC) । ଆସନ୍ତା ଡିସେମ୍ବର ୧୧ ତାରିଖ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

ମଞ୍ଚେଶ୍ୱର ରେଲୱେ କଲୋନୀ ଅଞ୍ଚଳର ଜଣେ ବାସିନ୍ଦା ଏନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଏମସି ଦ୍ୱାରା ମଞ୍ଚେଶ୍ୱର ଅଞ୍ଚଳରେ ଆବର୍ଜନା ଗଦା କରାଯାଉଛି । ତାହା ପାହାଡ଼ ସଦୃଶ ହୋଇ ଯାଇଥିବା ବେଳେ ତାହାକୁ ଉଠାଇବାକୁ ଦିନ ଗଡ଼ାଉଛି ବିଏମସି। ଫଳରେ ସ୍ଥାନୀୟ ଅଞ୍ଚଳରେ ରହିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଲୋକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି।

ଏପରି ସ୍ଥିତି ଆହୁରି ୬ରୁ ୭ ମାସ ଲାଗି ରହିବ ବୋଲି ବିଏମସି କମିଶନର କହିଛନ୍ତି। ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହୋଇ ଅଳିଆ ପାହାଡ଼ ହଟିଯିବ ବୋଲି ସେ କହିଛନ୍ତି। ଅର୍ଥାତ ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି ।

କମିଶନରଙ୍କ ଏପରି ବୟାନ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଦୁର୍ଗନ୍ଧରେ ଗୋଟିଏ ମୁହୂର୍ତ୍ତ ରହିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଆହୁରି ୭ ମାସ କିପରି କାଟିବେ ବୋଲି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।

ଏହାକୁ ମାନବାଧିକାର କମିଶନ ଗୁରୁତର ସହ ନେଇଛନ୍ତି । ଅଭିଯୋଗରୁ ଏହା ମାନବାଧିକାର ଉଲ୍ଲଂଘନ କରୁଥିବା ଜଣାପଡ଼ୁଛି । ତେଣୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ସହ ଆସନ୍ତା ଡିସେମ୍ବର ୧୪ରେ ପରବର୍ତ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ମାନବାଧିକାର କମିଶନ ।

Related story