Advertisment

ପ୍ରଶାସନ ବୁଲାଇବାକୁ ନେଇ ହଜାଇଦେଲେ! ବଡ଼ଦାଣ୍ଡରେ ନିଖୋଜ ଦେବକୀ

ଦେବକୀଙ୍କୁ ନେଇଥିବା ପ୍ରଶାସନିକ ଅଧିକାରୀମାନେ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ଦେବକୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ଶେଷରେ ରବିବାର ସନ୍ଧ୍ୟା ବେଳେ ଫୋନ୍‌ କରି କହିଥିଲେ, ତୁମ ମାଆ ହଜି ଯାଇଛନ୍ତି।

Balasore

Balasore

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇଥିଲା ଜିଲ୍ଲା ପ୍ରଶାସନ। ହେଲେ ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା। ଇତି ମଧ୍ୟରେ ୫ ଦିନ ବିତିଲାଣି। ହେଲେ ଦେବକୀଙ୍କ ପତ୍ତା ମିଳୁନି। ସେପଟେ ଜିଲ୍ଲା ପ୍ରଶାସନ ଏନେଇ ମୁହଁ ଖୋଲୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ରାଜ୍ୟର ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇନେଉଛନ୍ତି ରାଜ୍ୟ ସରକାର। ଜିଲ୍ଲା ପ୍ରଶାସନ ବୟସ୍କ ବୃଦ୍ଧା ଓ ବୃଦ୍ଧଙ୍କୁ ବସ୍‌ରେ ଶ୍ରୀକ୍ଷେତ୍ର ଆଣି ବୁଲାଇ ନେଉଛନ୍ତି। ଏହି ଯୋଜନାରେ ବାଲେଶ୍ୱର ଟାଉନ୍‌ର ୧୬ ନମ୍ୱର ୱାର୍ଡର ଦେବକୀ ଜେନାଙ୍କୁ ଶ୍ରୀମନ୍ଦିର ବୁଲିବାକୁ ନେଇଥିଲା ଜିଲ୍ଲା ପ୍ରଶାସନ। ରବିବାର ରାତି ପ୍ରାୟ ୮ଟା ବେଳେ ଅନ୍ୟମାନଙ୍କ ସହିତ ଦେବକୀ ବସ୍‌ ଚଢ଼ିଥିଲେ। ସକାଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ନିତ୍ୟ କର୍ମ ସାରି ଶ୍ରୀମନ୍ଦିର ଯାଉଥିବା ବେଳେ ବଡ଼ଦାଣ୍ଡରେ ହଜିଗଲେ ଦେବକୀ।

ଦେବକୀଙ୍କୁ ନେଇଥିବା ପ୍ରଶାସନିକ ଅଧିକାରୀମାନେ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ଦେବକୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ଶେଷରେ ରବିବାର ସନ୍ଧ୍ୟା ବେଳେ ଫୋନ୍‌ କରି କହିଥିଲେ, ତୁମ ମାଆ ହଜି ଯାଇଛନ୍ତି। ପରିବାର ଲୋକେ ଏକଥା ଶୁଣିବା ପରେ ଅକଲ ଗୁଡୁମ୍‌ ହୋଇ ଯାଇଥିଲା। ତା’ପର ଦିନ ଅର୍ଥାତ ଗତ ସୋମବାର ଶ୍ରୀକ୍ଷେତ୍ର ଆସିଥିଲେ ପରିବାର ଲୋକ। ବହୁ ଖୋଜା ଖୋଜି କରିଥିଲେ। ଦିନ ଯାଇ ରାତି ହେଲା। ହେଲେ ଦେବକୀଙ୍କ କୌଣସି ପତ୍ତା ପାଇଲେ ନାହିଁ। ସିଂହଦ୍ୱାର ଥାନାରେ ଅଭିଯୋଗ କରି ଫେରି ଆସିଥିଲେ।

Advertisment

ପୁରୀରୁ ଫେରିବା ପରେ ଦେବକୀଙ୍କ ପରିବାର ଲୋକେ ସ୍ଥାନୀୟ କାଉନ୍‌ସିଲରଙ୍କ ସହଯୋଗ ଲୋଡ଼ିଥିଲେ। ମାତ୍ର ସେ ସହଯୋଗ କରିବେ କ’ଣ ଓଲଟା ପ୍ରଶ୍ନ କରିଥିଲେ। ତାଙ୍କୁ କାହିଁକି ପଠାଉଥିଲ ବୋଲି ପ୍ରଶ୍ନ କରିଲେ ବୋଲି ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ବୁଲାଇବାକୁ ନେଇଥିବା ପ୍ରଶାସନ ଏପରିସ୍ଥିତିରେ ଚୁପ୍‌ ହୋଇ ବସିଛି। ଦେବକୀଙ୍କ ସମ୍ପର୍କରେ କୌଣସି ସୂଚନା ଦେଉନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Puri Shreemandir Puri Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe