Advertisment

ବ୍ୟାପୁଛି ଝାଡ଼ାବାନ୍ତି; ଜଣେ ମୃତ, ୧୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ!

ଜନ ସଚେତନତା ସୃଷ୍ଟି ପାଇଁ ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି। ଭ୍ରାମ୍ୟମାଣ ଡାକ୍ତରୀ ଟିମ୍‌ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ହୀରାକୁଦ ସହରରେ କାହିଁକି ବ୍ୟାପୁଛି ଡାଇରିଆ?

Sambalpur

Sambalpur

Advertisment

ସମ୍ୱଲପୁର ଜିଲ୍ଲା ହୀରାକୁଦରେ ବ୍ୟାପୁଛି ଡାଇରିଆ। ସହରର ଘରେ ଘରେ ଡାଇରିଆ ରୋଗୀ। ଅଭିଯୋଗ ହୋଇଛି, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ହୀରାକୁଦ ସହର କାଳୁପଡ଼ାର ଟିକେଶ୍ୱର ନାୟକ। ପରିବାର ଲୋକଙ୍କ କହିବା ଅନୁସାରେ, ଝାଡାବାନ୍ତି ହେବାରୁ ପ୍ରଥମେ ତାଙ୍କୁ ହୀରାକୁଦ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା। ୧୩୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Advertisment

ଝାଡ଼ାବାନ୍ତି କବ୍‌ଜାରେ ହୀରାକୁଦ ସହରର କାଳୁପଡ଼ା, ଗୁରୁସଦ୍ୱାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, ନିୟୁ ମାର୍କେଟ କଲୋନୀ ପ୍ରମୁଖ ପଡ଼ା ରହିଛି। ଦେଖିବାକୁ ଗଲେ ଏବେ ପ୍ରତି ପଡ଼ାରେ ପ୍ରତିଦିନ କେହି ନା କେହି ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଉଛି ତ ଆଉ କାହାକୁ ମେଡ଼ିକାଲ୍‌ରେ ଚିକିତ୍ସା କରାଯାଉଛି।

ଜନ ସଚେତନତା ସୃଷ୍ଟି ପାଇଁ ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି। ଭ୍ରାମ୍ୟମାଣ ଡାକ୍ତରୀ ଟିମ୍‌ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ହୀରାକୁଦ ସହରରେ କାହିଁକି ବ୍ୟାପୁଛି ଡାଇରିଆ? ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। PHDର ଦୂଷିତ ପାଣି ପିଇବା ଯୋଗୁ ସଂକ୍ରମଣ ବଢୁଥିବା ଖୋଦ ଏଡିଏମ୍‌ଓ ଅଭିଯୋଗ କରିଥିବା ବେଳେ ଏହାକୁ ବାଏଁ ବାଏଁ ଅସ୍ୱୀକାର କରିଛନ୍ତି PHD କର୍ତ୍ତୃପକ୍ଷ।

Advertisment

ଦୂଷିତ ପିଇବା ପାଣି ଯୋଗୁ ଡାଇରିଆ ବ୍ୟାପୁଥିବା ଉଭୟ ଉତ୍ତରାଞ୍ଚଳ ଆରଡିସି ଓ ଜିଲ୍ଲାପାଳ ମଧ୍ୟ କହିଛନ୍ତି। ଆଜି ହୀରାକୁଦ ମେଡିକାଲ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଆରଡିସି ଓ ଜିଲ୍ଲାପାଳ।

ଗତବର୍ଷ ଡିସେମ୍ବରରେ ରାଉରକେଲାର ସମସ୍ତ ୪୦ଟି ୱାର୍ଡ ଓ ବସ୍ତିରେ ଯାଦୁ ଭଳି ମାଡିଯାଇଥିଲା ଡାଇରିଆ। ଏଥିରେ ସରକାରୀ ହିସାବରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ତେଣୁ ଏବେ ହୀରାକୁଦରେ ତ୍ୱରିତ ପଦକ୍ଷେପ ନିଆନଗଲେ ଅବସ୍ଥା ଆୟତ୍ତ ବାହାରକୁ ଚାଲିଯିବାର ଆଶଙ୍କା ରହିଛି।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ କୁମାର ଜେନା

Sambalpur Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe